ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ବୈଠକ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଙ୍ଘ ପକ୍ଷରୁ ଚଳିତ ବର୍ଷ ଦଣ୍ଡଯାତ୍ରାକୁ ନେଇ ଏକ ବୈଠକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଜିଲୁଣ୍ଡି କାଳୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ସଂଘର ଜିଲ୍ଲା ସଭାପତି ଶିବ ରାମ ପ୍ରଧାନ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ସାହୁ, ଜିଲ୍ଲା ସହ ସମ୍ପାଦକ ତ୍ରିପତି ମହାରଣା,ସାନ ଖେମୁଣ୍ଡି ବ୍ଲକ ସଂଯୋଜକ ଅଖିଳ ପଟ୍ଟନାୟକ,ଜିଲୁଣ୍ଡି ସଭାପତି ଗୋକୁଳାନନ୍ଦ ପ୍ରଧାନ,ସମ୍ପାଦକ ଜି. ଗଣେଶ ଆଚାରି ଭଞ୍ଜନଗର ସଂଯୋଜକ ସାଧୁ ଚରଣ ସ୍ୱାଇଁ, ବେଲଗୁଣ୍ଠା ସଂଯୋଜକ ଭାସ୍କର ପାତ୍ର,ଡ଼ିହ ପଢାଳ ଅଧିକାରୀ ଶିବାନନ୍ଦ ବରାଡ଼,ଜିଲୁଣ୍ଡି ଅଧିକାରୀ ରାଜେନ୍ଦ୍ର ପ୍ରଧାନ,ସାମ୍ବାଦିକ ତଥା ବରିଷ୍ଠ ନିର୍ଦ୍ଦେଶକ ଲୋକନାଥ କର, ସାମ୍ବାଦିକ ତଥା ଅଭିନେତା ଜୟକୃଷ୍ଣ ପଟ୍ଟନାୟକ ମଞ୍ଚାସୀନ ଥିଲେ।ଜିତେନ୍ଦ୍ର ପ୍ରଧାନ ସଭା ସଂଯୋଜନା କରିଥିଲେ। ଗଞ୍ଜାମ ଜିଲ୍ଲାରେ ନାରୀ ଅଭିନେତ୍ରୀ ମିଳୁ ନ ଥିବାରୁ ବାହାର ଜିଲ୍ଲାର ଅଭିନେତ୍ରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ।ଏହାର ଫାଇଦା ଉଠାଇ ସେମାନେ ଅଧିକ ଦରରେ ଅଭିନୟ ପାଇଁ ଆସନ୍ତି।ଫଳରେ ଯାତ୍ରା କମିଟି କ୍ଷତି ସହିବାକୁ ବାଧ୍ୟ ହୁଏ।ଏହାକୁ ରୋକିବା ପାଇଁ ସେମାନଙ୍କର ଏକ ଦର ତାଲିକା ପ୍ରସ୍ତୁତ କରାଯାଇଛି।ସେଥି ମଧ୍ୟରେ ୧୩ଦିନ ଯାତ୍ରା ପାଇଁ ୪୫ରୁ ୫୦ହଜାର,୧୮ଦିନ ପାଇଁ ୫୦ରୁ ୫୫ହଜାର ଓ ୨୧ଦିନ ପାଇଁ ୫୫ରୁ ୬୩ହଜାର ଟଙ୍କା ରହିଛି।ସେହିପରି ଆଗକୁ ଚିତ୍ରାଳୟ, ମ୍ୟୁଜିକ ଓ ଡ୍ୟାନ୍ସ ଗ୍ରୁପ ପାଇଁ ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯିବ।ସମସ୍ତ ବ୍ଲକ ସଂଯୋଜକ ଓ ସହ ସଂଯୋଜକ ନିଜ ଅଞ୍ଚଳରେ ଥିବା ଦଣ୍ଡ ଯାତ୍ରା କମିଟିକୁ ସହଯୋଗ କରିବେ।ସେହିପରି ବ୍ଲକ ସ୍ତରରେ ଏକ କାର୍ଯ୍ୟାଳୟ ନିର୍ମାଣ ପାଇଁ ମତ ପ୍ରକାଶ ପାଇଥିଲା।ଏଥିସହ ଯାତ୍ରା ସମୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା।


