ଗ୍ରାମ ପଂଚାୟତସ୍ତରୀୟ ଜନ ଶୁଣାଣି ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣା ପଂଚାୟତରେ ପଂଚାୟତସ୍ତରୀୟ ଜନ ଶୁଣାଣି ଶିବିର ବୁଧବାର ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସମୁଦାୟ ୬୨ଟି ଅଭିଯୋଗ ପଂଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କୀୟ ୩୮ଟି, ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କୀୟ ୧୫ଟି, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବିଲ୍ ସଂପର୍କୀୟ ୨ଟି, ଜବକାର୍ଡ ସଂପର୍କୀୟ ୧ଟି, ଉଠାଜଳସେଚନ ସଂପର୍କୀୟ ୧ଟି, ଶୌଚାଳୟ ସଂପର୍କୀୟ ୨ଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ଭାବେ ୩ଟି ଅଭିଯୋଗ ଆସିଥିଲା। ଏହି ଶିବିରରେ ବିଡିଓ ତପନ କୁମାର ମହାପାତ୍ର, ଏବିଡିଓ ଦେବେନ୍ଦ୍ର ପ୍ରଧାନ, ସିଡିପିଓ ବାସନ୍ତୀ ମାଇନ, ସରପଂଚ ଚନ୍ଦ୍ରମଣୀ ବେହେରା, ପିଇଓ ପ୍ରସନ୍ନ ପରିଡାଙ୍କ ସମେତ ବ୍ଲକର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗକୁ ଶୁଣାଣି କରିଥିଲେ। ସୂଚନାଯୋଗ୍ୟ ଯେ ସରକାରଙ୍କ ନିର୍ଦ୍ଦେଶାନୁସାରେ ବ୍ଳକ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୬୮/୧୦ ସେପ୍ଟମ୍ବର ୨୦୨୪ ଅନୁଯାୟୀ ପଂଚାୟତସ୍ତରୀୟ ଜନ ଶୁଣାଣି କରାଯିବା ପାଇଁ ସମସ୍ତ ପଂଚାୟତର ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ପ୍ରଦାନ କରାଯାଇଥିଲା। ବ୍ଲକ କାର୍ଯ୍ୟାଳୟ ପତ୍ର ଅନୁଯାୟୀ ସେପ୍ଟେମ୍ବର ୧୮ରେ ଅଲଣା ପଂଚାୟତରେ ଜନଶୁଣାଣୀ ଶିବିର ହୋଇଥିବା ବେଳେ ଆସନ୍ତା ୨୦ରେ ବଛାଳୋ, ୨୫ରେ ବାଂଶ,୨୭ରେ ଡେରିକି, ଅକ୍ଟୋବର ୪ରେ ଡାବର, ୧୫ରେ ଗଳାଧାରୀ, ୧୮ରେ ଗଜରାଜପୁର, ୨୫ରେ ଘୋଡାଂଶ, ୩୦ରେ ଜାମୁଗାଁ, ନଭେମ୍ବର ୬ରେ କୋରୁଅ, ୮ରେ ନାଉଗାଁ, ୧୩ରେ ନୂଆଗାଁ, ୧୬ରେ ଓଷକଣା, ୨୦ରେ ରୋହିଆ, ୨୨ରେ ଶିଖର, ୨୭ରେ ତିରୁଣା ଆଦି ପଂଚାୟତରେ ଏହି ଶିବିର ଅନୁଷ୍ଠିତ ହେବ। ଏହି ଶିବିର ଦିବା ୧୦.୩୦ ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ପତ୍ର ରେ ଦର୍ଶାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ