ଆଉ କେତେ ଦିନ ବର୍ଦ୍ଦି ହେବ ବଦନାମ

ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାମଲ
କଳଙ୍କିତ ଅଧ୍ୟାୟ ଆଉ ଥରେ କଡ ଲେଟେଇଲା । ଖାକିରେ ଲାଗିଲା କଳଙ୍କର ଛିଟା । ବର୍ଦ୍ଦି ହେଲା ପୁଣି ବଦନାମ । ଯେଉଁ ବର୍ଦ୍ଦିକୁ ଦେଖିଲେ ସାଧାରଣ ଲୋକଟିର ସମ୍ମାନରେ ମଥା ନଇଁ ଯାଏ। ଯେଉଁ ପୁଲିସ ବାବୁ ମାନଙ୍କୁ ଦେଖିଲେ ମନରେ ଗର୍ବ ଓ ସାହସ ଆସେ। ସେହି ପୁଲିସ ବାବୁ ମାନଙ୍କ ଭିତରୁ କିଛି ରାକ୍ଷସ ରୂପୀ ପୁଲିସ ରକ୍ଷକ ହୋଇ ଭକ୍ଷକ ସାଜୁଛନ୍ତି । ଯେଉଁଥି ପାଇଁ ପୁଲିସ ବାହିନୀ ଉପରୁ ସାଧାରଣ ଲୋକଙ୍କର ଭରଷା ସମ୍ମାନ ଉଠିବାକୁ ବସିଛି । ରାତିରେ ନାରୀଟିଏ ବିପଦରେ ପଡିଲେ ମାଟିଆ ରଙ୍ଗର ପୋଷାକରେ ପୁଲିସ ବାବୁଙ୍କୁ ଦେଖିଲେ ସାମ୍ନାରେ ଭଗବାନ ଅଛନ୍ତି ବୋଲି ନାରୀଟିଏ ମନ କରେ। ରାକ୍ଷସ ମାନେ କିଛି କରିପାରି ବେନି ବୋଲି ଭାବିଥାଏ । ହେଲେ ବର୍ତ୍ତମାନ ପୁଲିସ ବାବୁ ଯେ ରାକ୍ଷସ ପାଲଟି ଯାଉଛନ୍ତି ଯାହା ନାରୀଙ୍କ ସୁରକ୍ଷା ପ୍ରତି ସାଙ୍ଘାତିକ ବିପଦ ସୃଷ୍ଟି କରୁଛି । କାହିଁକି ବାରମ୍ବାର ଖାକିରେ ଲାଗୁଛି କଳଙ୍କର ଛିଟା । କାହିଁକି ପୁଲିସ ସାଧାରଣ ଲୋକ, ନାରୀଙ୍କ ସହ ନିର୍ଭୟରେ କରୁଛି ଦୁର୍ବ୍ୟବହାର । ପୁଲିସ ମାନଙ୍କୁ ସାଧାରଣ ଜନତା, ନାରୀ, ଅସହାୟ ମଣିଷଙ୍କ ସହ କିପରି ବ୍ୟବହାର କରାଯିବ ତାହା ଉପରେ ଟ୍ରେନିଂ ସ୍କୁଲରେ ଶିକ୍ଷା ଦିଆ ଯାଉ ନାହିଁ କି ।ତେବେ ବର୍ତ୍ତମାନ ଦେଶରେ ଚହଳ ସୃଷ୍ଟି କରିଛି ଭରତପୁର ଥାନା ଘଟଣା ଯାହା ଅତ୍ୟନ୍ତ ଲଜ୍ଜ୍ୟା ଜନକ । ରାତି ଅଧରେ ପୋଲିସ ଯେଉଁ ଭଳି ଯୁବତୀଙ୍କୁ ଦୁର୍ବ୍ୟବହାର କରିଛି ତାହା ଶୁଣିଲେ ଛାତି ଥରି ଉଠୁଛି । ବିପଦରେ ପଡି ଶେଷ ଭରଷା ପୋଲିସ ନିକଟକୁ ସାହାଯ୍ୟ ପାଇଁ ଯାଇ ଯଦି ଜଣେ ଅନ୍ୟ ଏକ ବିପଦକୁ ନିମନ୍ତ୍ରଣ କରିବ ତେବେ ସାଧାରଣ ଲୋକଟି ବିପଦ ସମୟରେ କାହାକୁ ସାହାଯ୍ୟ ମାଗିବ। ଭରତପୁର ଥାନା ଘଟଣା କେବଳ ଗୋଟିଏ ଘଟଣା ନୁହେଁ ନିକଟରେ ଭଦ୍ରକରୁ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ଜଣେ ମହିଳାଙ୍କ ସହ ସାମାନ୍ୟ କଥାକୁ ନେଇ ପୁଲିସ ହାତ ଉଠାଇବା ସହିତ ଦୁର୍ବ୍ୟବହାର କରିଥିଲା । କହିବାକୁ ଗଲେ ଏମିତି ଘଟଣା ବାରମ୍ବାର ପୁଲିସ ବାବୁ ମାନଙ୍କୁ ନେଇ ସାମ୍ନାକୁ ଆସୁଛି । ବର୍ତ୍ତମାନର ସରକାର ମଧ୍ୟ ଆଗରୁ ପୋଲିସ ବାବୁଙ୍କ ଦୁର୍ବ୍ୟବହାର ସାମ୍ନା କରିଥିଲେ । ତେବେ ଆଉ କେତେ ଦିନ ସାଧାରଣ ଲୋକ ଟିଏ,ମହିଳା ଟିଏ,ଯୁବତୀ ଟିଏ ଅସହାୟ ଲୋକଟିଏ ପୁଲିସ ପାଖରୁ ଏଭଳି ନିର୍ଯାତନା ସହୁଥିବ । କେବେ ସାଧାରଣ ଲୋକଟିଏ ବିନା ଭୟରେ ପୁଲିସ ପାଖକୁ ଅଭିଯୋଗ ନେଇ ଯାଇ ନ୍ୟାୟ ପାଇ ପାରିବେ । ଆଉ କେତେ ଦିନ ପରେ ରକ୍ଷକ ମାନେ ଭକ୍ଷକ ସାଜିବାକୁ ଭୟ କରିବେ । ତେଣୁ ସରକାରଙ୍କୁ ଅନୁରୋଧ ଉକ୍ତ ଘଟଣାଟିର ସଠିକ ତଦନ୍ତ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଏବଂ ସମ୍ପୃକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ହେଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ