ବାଲେଶ୍ୱର ଜିଲ୍ଲାସ୍କୁଲ୍ ସଂପତ୍ତିର ସୁରକ୍ଷା ଦାବିରେ ଗଣଧାରଣା ସ୍ଥଳରେ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସ୍କୁଲ୍ ସଂପତ୍ତିର ସୁରକ୍ଷା ଓ ସ୍କୁଲ୍ ଦଖଲରେ ଥିବା ୧୭ ଏକର ସଂପତ୍ତିକୁ ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରିବା ଦାବିରେ ଆସନ୍ତା ଦଶହରା ପରେ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣବିକ୍ଷୋଭ, ଆସନ୍ତା ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ଭୁବନେଶ୍ୱରରେ ଗଣଧାରଣା ଓ ବାଲେଶ୍ୱର ଜିଲ୍ଲା ବନ୍ଦ ପାଇଁ ସିଭିଲ୍ ସୋସାଇଟି ଆହ୍ୱାନ ଦେଇଛି । ସୋମବାର ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ସିଭିଲ୍ ସୋସାଇଟି, ସ୍କୁଲ୍ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦର ପ୍ରତୀକ ଗଣଧାରଣା ସ୍ଥଳରେ ଏହି ଆହ୍ୱାନ ଦିଆଯାଇଛି । ବରିଷ୍ଠ ଆଇନଜୀବୀ ତଥା ସ୍କୁଲ୍ର ପୁରାତନ ଛାତ୍ର ଶରତ କୁମାର ମହାପାତ୍ର ମହାତ୍ମାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଗଣଧାରଣାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣଧାରଣା ସ୍ଥଳରେ ସୋସାଇଟିର ସଂପାଦକ ମନୋଜ ନାୟକ, ସ୍କୁଲ୍ ପରିଚାଳନା କମିଟିର ସଭାପତି ସଂଜୀବ କୁମାର ମିଶ୍ର, ପୁରାତନ ଛାତ୍ର ସଂସଦର ସଭାପତି ଡାକ୍ତର ସୁରେନ୍ଦ୍ରନାଥ ସାହୁ, ସଂପାଦକ ରାଜେଶ ଗିରି ପ୍ରମୁଖ ଗତ ୧୮୫୩ ମସିହାରେ ପ୍ରତିଷ୍ଠିତ ଏକ ଗୌରବମୟ ଶିକ୍ଷାନୁଷ୍ଠାନର ଦଖଲରେ ଥିବା ୧୭ ଏକର ସଂପତ୍ତିକୁ ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରିବାକୁ ଓ ସ୍କୁଲ୍ର ଖେଳପଡ଼ିଆଭାବେ ବ୍ୟବହାର ହେଉଥିବା ପୁରୁଣା ଷ୍ଟାଡିୟମ୍ ଭୂସଂପତ୍ତି ମଧ୍ୟରେ ପୌର ପରିଷଦ ପକ୍ଷରୁ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କରିଥିଲେ । ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ ବାରମ୍ବାର ମୌଖିକ ଏବଂ ଲିଖିତଭାବେ ଜଣାଇଲେ ମଧ୍ୟ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସଂପର୍କରେ ବକ୍ତାମାନେ ଅଭିଯୋଗ କରିଥିଲେ । ଗତ ୨୦୦୨ ମସିହାରେ ତତ୍କାଳୀନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ରାଜିନାମାର ସର୍ତ୍ତ ଓ ରାଜ୍ୟପାଳ ଏବଂ ରାଜସ୍ୱ ବିଭାଗର ନିର୍ଦ୍ଦେଶକୁ ଜିଲ୍ଲାପ୍ରଶାସନ ଅଦ୍ୟାବଧି କାର୍ଯ୍ୟକାରୀ କରୁନଥିବାରୁ ଏତାଦୃଶ କାର୍ଯ୍ୟକୁ ବହୁ ବକ୍ତା ଦୃଢ଼ନିନ୍ଦା କରିଥିଲେ । ୧୭୧ ବର୍ଷର ଏକ ଗୌରବମୟ ଶିକ୍ଷାନୁଷ୍ଠାନ ଜିଲ୍ଲା ସ୍କୁଲ୍ର ଭୂସଂପତ୍ତିକୁ ସ୍କୁଲ୍ନାମରେ ରେକର୍ଡ଼ଭୁକ୍ତ କରିବାକୁ ଧାରଣା ସ୍ଥଳରେ ଦାବି କରାଯାଇଥିଲା । ସିଭିଲ୍ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗା ପାଣିଗ୍ରାହୀ ଆଗାମୀ ଆନ୍ଦୋଳନ ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।ବିଭିନ୍ନ ରାଜନୈତିକ ଦଳ, ଗଣସଂଗଠନ, ପୁରାତନ ଛାତ୍ର ଓ ସାମାଜିକ ସଂଗଠନମାନଙ୍କ ପକ୍ଷରୁ ଭାଗବତ ପ୍ରତିହାରୀ, ଅରୁଣ ଜେନା, ମାନସ କୁମାର ଦାସ, ବିଧାନ ରାୟ, ସୀତାରାମ ପ୍ରଧାନ, ଲକ୍ଷ୍ମୀନାରାୟଣ ଘୋଷ, ରଘୁନାଥ ଲେଙ୍କା, ଅନୁସୟା ନାୟକ, ସରସ୍ୱତୀ ପଣ୍ଡା, ଗଙ୍ଗାଧର ଦଳାଇ, ପୂର୍ବତନ ଶିକ୍ଷକ ନାରାୟଣ ପଣ୍ଡା ଓ ଶିରିଶ ଚାନ୍ଦ, ଶ୍ୟାମସୁନ୍ଦର ଜେନା, ନିରଞ୍ଜନ ରାଉତ, ବେଣୁଧର ସାହୁ, ପ୍ରଶାନ୍ତ ଦାସ, ଗୋପୀକୃଷ୍ଣ ମହାନ୍ତି, ତୁଷାରକାନ୍ତ ତପସୀ, ସତ୍ୟେନ୍ଦ୍ର ଦାସ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ପ୍ରଶାନ୍ତ ପାଢ଼ୀ, ନନ୍ଦନ ପାଲ୍, ନିରଞ୍ଜନ ପରିଡ଼ା, ବିକାଶ ଦାସ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଜୟନ୍ତ ମହାନ୍ତି, ବେଣୁଧର ବାରିକ, ଭରତ ସେଠୀ, ଇକବାଲ୍ ଖାଁ, ଶରତ ଚନ୍ଦ୍ର ଦଳାଇ, ରାଜକିଶୋର ଲେଙ୍କା ଓ କମଳାକାନ୍ତ ବେହେରା ପ୍ରମୁଖ ଧାରଣାସ୍ଥଳରେ ଆଗାମୀ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇ ବାଲେଶ୍ୱରର ଶିକ୍ଷାପ୍ରେମୀ ଜନସାଧାରଣ ଓ ବୁଦ୍ଧିଜୀବୀ ସହଯୋଗ କରିବାକୁ ନିବେଦନ କରିଥିଲେ । ଶେଷରେ ସନ୍ତୋଷ କୁମାର ସାହୁ ଧାରଣାରେ ଯୋଗ ଦେଇଥିବା ସମସ୍ତ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେଇଥିଲେ ।


