ଧ୍ବଂସାଭିମୁଖୀ ହୋଇ ପଡ଼ିଛି ନବମ ଶତାବ୍ଦୀର ଅଙ୍ଗେଶ୍ୱର ମନ୍ଦିର

ନିମାପଡ଼ା,(ସନ୍ତୋଷ ଦାଶ): ପ୍ରାଚୀ ଉପତ୍ୟକା ରେ ରହିଛି ଶତାଧିକ ପୁରାତନ କୀର୍ତ୍ତିରାଜି ଓ ମନ୍ଦିର। ତା ମଧ୍ୟରୁ ପିତାପଡ଼ା ଗ୍ରାମ ରେ ଅବସ୍ଥିତ ଅଙ୍ଗେଶ୍ଵର ଶମ୍ଭୁ ମନ୍ଦିର ଏବେ ମରାମତି ଅଭାବ ରୁ ଜରାଜୀର୍ଣ୍ଣ ହୋଇପଡ଼ି ଧ୍ବଂସାଭିମୁଖୀ ହୋଇପଡ଼ିଛି। ଦ୍ଵାପର ଯୁଗରେ ଅଙ୍ଗ ଦେଶ ର ରାଜା କର୍ଣ୍ଣ ଏହି ଶମ୍ଭୁ ଙ୍କୁ ସ୍ଥାପନା କରିବା ସହିତ ପୁରୁଣା ଇଟା ରେ ମନ୍ଦିର ନିର୍ମାଣ କରିଥିଲେ। ଏଣୁ ଶମ୍ଭୁ ଙ୍କ ନାମ ଅଙ୍ଗେଶ୍ୱର ହୋଇଥିବା ପ୍ରାଚୀ ମାହାତ୍ମ୍ୟ ରେ ବର୍ଣ୍ଣିତ ହୋଇଛି। ଐତିହାସିକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ, ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ର ପୁର୍ବତନ ଅଧ୍ୟକ୍ଷ ଡ଼ଃ. ପ୍ରଶାନ୍ତ କୁମାର ରାୟ ପ୍ରମୁଖ ଙ୍କ ମତରେ ଏହି ମନ୍ଦିର ଟି ୯ମ ଶତାବ୍ଦୀ ର କୀର୍ତ୍ତି ଓ ପ୍ରାଚୀ ଉପତ୍ୟକା ରେ ରହିଥିବା ପ୍ରସିଦ୍ଧ ଅଷ୍ଟଶମ୍ଭୁ ଙ୍କ ମଧ୍ୟରେ ଗଣ୍ୟ ହୁଅନ୍ତି।

ପଞ୍ଚରଥ ଶୈଳୀ ରେ ମନ୍ଦିର ଟି ନିର୍ମିତ ହୋଇଥିବା ବେଳେ ପାଶ୍ୱ ଦେବ ଦେବୀ ଭାବେ ମା ପାର୍ବତୀ,ପ୍ରଭୁ କାର୍ତ୍ତିକେୟ, ପ୍ରଭୁ ଶ୍ରୀ ଗଣେଶ ପୂଜା ପାଇ ଆସୁଛନ୍ତି। ମନ୍ଦିର ପରିସର ର ଦକ୍ଷିଣ ପାଶ୍ଵ ରେ ଏକ ଛୋଟ ପିଢ଼ ମନ୍ଦିର ରେ ଅଷ୍ଟଭୂଜାମହିଷାମର୍ଦ୍ଦିନୀ ଦୂର୍ଗା ପୂଜା ପାଉଛନ୍ତି। ଉତ୍ତର ପାଶ୍ଵ ରେ ଏକ ଗୃହ ଭିତରେ ଏକ ଅଷ୍ଟଭୂଜା ଚାମୁଣ୍ଡା, ଏକ ବୌଦ୍ଧ ଧର୍ମ ର ମୂର୍ତ୍ତୀ,ଦୁଇଟି ଉମା ମହେଶ୍ୱର ଯୁଗଳ ମୂର୍ତ୍ତି, ଏକ ଗରୁଡ ମୂର୍ତ୍ତୀ, ତିନୋଟି ନାରୀ ମୂର୍ତ୍ତୀ ଓ ଦୁଇଟି କମନୀୟ ଜନାର୍ଦ୍ଦନ ବିଷ୍ଣୁ ନାରାୟଣ ମୂର୍ତ୍ତୀ ରହିଥିବା ଦେଖିବାକୁ ମିଳେ। ଅଙ୍ଗେଶ୍ୱର ମୁଖ୍ୟ ମନ୍ଦିର ଓ ମୁଖଶାଳା ଉପରେ ଶିଉଳି ସୃଷ୍ଟି ହୋଇଥିବାବେଳେ ବହୁ ପ୍ରକାର ଗଛ ଉଠି ମନ୍ଦିର ଓ ମୁଖଶାଳା କାନ୍ଥ କୁ ଦୁର୍ବଳ କରିବାରେ ଲାଗିଛି। ମନ୍ଦିର ଟି ଧ୍ବଂସାଭିମୁଖୀ ହୋଇ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ମନ୍ଦିର ପୂଜକ ଦେବେନ୍ଦ୍ର କୁମାର ଦୀକ୍ଷିତ କୁହନ୍ତି ଯେ, ଏହି ମନ୍ଦିର ଟିକୁ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ହାତକୁ ନେଇଛି ବୋଲି ମନ୍ଦିର ସମ୍ମୁଖରେ ଏକ ସୂଚନା ଫଳକ ମାରିଥିଲେ। କିନ୍ତୁ କେବେ କୌଣସି ବିଭାଗୀୟ ଅଧିକାରୀ ଏଠାକୁ ଆସି ମନ୍ଦିର ର ଅବସ୍ଥା ସଂପର୍କ ରେ ଅନୁଧ୍ୟାନ କରି ନାହାନ୍ତି। ଏବେ ଆଉ ସେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ। ଗ୍ରାମବାସୀ ଆଉ ପୂଜକ ମାନଙ୍କ ପକ୍ଷରୁ ମନ୍ଦିର ର ଦୂରାବସ୍ଥା ସଂପର୍କ ରେ ଅନେକ ଥର ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଶ୍ରୀ ଦୀକ୍ଷିତ କ୍ଷୋଭ ର ସହିତ ପ୍ରକାଶ କରିଛନ୍ତି। ତୁରନ୍ତ ସରକାର ଏହି ପୁରାଣ ଓ ଇତିହାସ ପ୍ରସିଦ୍ଧ ପୁରାତନ ଶିବ ମନ୍ଦିର କୁ ମରାମତି ଓ ରକ୍ଷଣାବେକ୍ଷଣ କରିବାକୁ ଆଗେଇ ଆସିବାକୁ ସଂସ୍କୃତି ପ୍ରେମୀ ମାନେ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ