ଦାୟୀତ୍ୱରେ ଅବହେଳା ପାଇଁ ଡାକ ବିଭାଗକୁ ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନଙ୍କ ଜୋରିମାନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ଦାୟୀତ୍ୱରେ ଅବହେଳା ଓ ସେବା ଯୋଗାଇବାରେ ବିଫଳତା ପାଇଁ ଡାକ ବିଭାଗକୁ ଜୋରିମାନାରେ ଦଣ୍ଡିତ କରିଛନ୍ତି । କମିଶନ ଠାକୁରପାଟଣା ଉପ- ଡାକଘରର ଉପ-ଡାକପାଳ, କେନ୍ଦ୍ରାପଡା ଡିଭିଜନର ଡାକ ଅଧୀକ୍ଷକ ଓ ପାଟକୁରା ଉପଡାକଘରର ଉପ-ଡାକପାଳଙ୍କୁ ୨ହଜାରଟଙ୍କା କ୍ଷତିପୁରଣ ସହ ଅଦାଲତରେ ମାମଲା ଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ଅଭିଯୋଗକାରୀ ପବିତ୍ର କୁମାର ପାଣିଙ୍କୁ ଦେବା ପାଇଁ ନିର୍ଦେଶ ପ୍ରଦାନ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଗ୍ରାମର ସ୍ୱର୍ଗତ କାହ୍ନୁଚରଣ ପାଣିଙ୍କ ପୁଅ ପବିତ୍ର କୁମାର ପାଣି ପାଟକୁରା ଉପ ଡାକଘରେ ଗତ ୨୬.୧୦.୨୦୨୩ରିଖରେ ଦୁଇଟି ଇଏମଓ ୧୮୦୬ଟଙ୍କା ଓ ୨୫ଟଙ୍କା କେନ୍ଦ୍ରାପଡା ମୃତ୍ତିକା ସଂରକ୍ଷଣ ବିଭାଗକୁ ସୂଚନା ଅଧିକାର ଆଇନରେ ତଥ୍ୟ ପାଇବା ପାଇଁ ପଠାଇଥିଲେ । କିନ୍ତୁ ସେହି ଇଏମଓ ଦୁଇଟି ଗତ ୨୧.୧୨.୨୦୨୩ରିଖରେ ବହୁ ବିଳମ୍ବରେ ଅର୍ଥାତ ପ୍ରାୟ ଦୁଇମାସ ପରେ ପେମେଣ୍ଟ କରାଯାଇଥିଲା । ଫଳରେ ଅଭିଯୋଗକାରୀ ମାନସିକ ଯନ୍ତ୍ରଣା ପାଇବା ସହ ନିର୍ଯ୍ୟାତିତ ହୋଇଥିଲେ । ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ଏହି ମାମଲାର ବିଚାର କରି ସମସ୍ତ ତଥ୍ୟ ଓ ପ୍ରମାଣକୁ ଭିତ୍ତି କରି ଡାକବିଭାଗର ଉପରୋକ୍ତ ଅଧିକାରୀମାନଙ୍କୁ ଅଭିଯୋଗକାରୀ ପଠାଇଥିବା ଇଏମଓ ଅର୍ଥ ୧୮୩୧ଟଙ୍କା ଫେରସ୍ତ କରିବା ସମେତ ୨ହଜାର ଟଙ୍କା କ୍ଷତିପୁରଣ ଓ ମାମଲାର ଖର୍ଚ୍ଚ ବାବଦକୁ ଏକ ହଜାର ଟଙ୍କା ନିର୍ଦେଶ ପାଇବାର ୪୫ଦିନ ମଧ୍ୟରେ ଅଭିଯୋଗକାରୀ ପବିତ୍ର କୁମାର ପାଣିଙ୍କୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ