ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ’ ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଷ୍ଟେସନ ନିକଟରୁୁ ସି.ପି.ଆଇ, ସି.ପି.ଆଇ (ଏମ୍‌) ଏବଂ ଫରୱାର୍ଡ଼ ବ୍ଲକ୍ ତରଫରୁ ‘ପାଲେଷ୍ଟାଇନ୍ ସଂହତି ଦିବସ’ ପାଳନ ଅବସରରେ ସୋମବାର ପୂର୍ବାହ୍ନରେ ଏକ ପଟୁଆର ବାହାରି ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକନେତା ତଥା ବରିଷ୍ଠ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ସଭାରେ ସି.ପି.ଆଇ (ଏମ୍‌) ଜିଲ୍ଲା ସଂପାଦକ ଶିଶିର ହୁଇ, ସି.ପି.ଆଇ.ର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ, ସହସଂପାଦକ ଭାଗବତ ପ୍ରତିହାରୀ, ଫରୱାର୍ଡ଼ ବ୍ଲକ୍‌ର ନେତା ଲକ୍ଷ୍ମୀଧର ଗିରି ଏବଂ ସି.ପି.ଆଇ (ଏମ୍‌) ରାଜ୍ୟ ନେତା ନିର୍ମଳ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ପାଲେଷ୍ଟାଇନ୍‌ବାସୀଙ୍କୁ ନିଜ ଭିଟାମାଟିରୁ ଉଚ୍ଛେଦ କରି ସେମାନଙ୍କୁ ଏକପ୍ରକାର ବନ୍ଦୀ ଜୀବନ ବିତାଇବାକୁ ଇସ୍ରାଏଲ୍ ଶପଥ ନେଇଛି। ଏହି ସମୟ ମଧ୍ୟରେ ୪୧ ହଜାରରୁ ଅଧିକ ଶିଶୁ, ମହିଳା, ବୃଦ୍ଧ, ବୃଦ୍ଧାମାନେ ପ୍ରାଣ ହରାଇବା ସହିତ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ଆମେରିକା, ବ୍ରିଟେନ୍‌, କାନାଡ଼ା, ଜର୍ମାନ୍‌, ଅଷ୍ଟ୍ରେଲିଆ ପ୍ରଭୃତି ଦେଶମାନେ ଇସ୍ରାଏଲ୍‌କୁ ଯୁଦ୍ଧାସ୍ତ୍ର ଯୋଗାଇ ଚାଲିଛନ୍ତି। ଯାହାଦ୍ୱାରା ୩ୟ ବିଶ୍ୱଯୁଦ୍ଧର ଆଶଙ୍କା ପ୍ରକାଶ ପାଇଛି। ତେଣୁ ‘ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ’ ବୋଲି ବକ୍ତାମାନେ ଘୋଷଣା କରିଥିଲେ। ଅନ୍ୟପଟରେ ଏହି ସାମ୍ରାଜ୍ୟବାଦୀ ଦେଶମାନେ ହିଜ୍‌ବୁଲ୍ଲାକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ପ୍ରଚାର କରୁଛନ୍ତି। ମାତ୍ର ଏହି ସଂଗଠନ ଏକ ରାଜନୈତିକ ସଂଗଠନ ଏବଂ ଲେବାନନ୍‌ର ଶାସନରେ ଅଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ମୋଦୀ ସରକାର ଇସ୍ରାଏଲ୍‌କୁ ସବୁ ପ୍ରକାର ସାହାଯ୍ୟ ଓ ସମର୍ଥନ ଯୋଗାଇ ଚାଲିଛି। ପାଲେଷ୍ଟାଇନ୍ ଲୋକଙ୍କୁ ବଞ୍ଚାଇବା ପାଇଁ ଭାରତ ସରକାରଙ୍କର କୌଣସି ଉଦ୍ୟମ ନାହିଁ। ଭାରତ ସରକାରଙ୍କର ଗୋଷ୍ଠୀ ନିରପେକ୍ଷ ନୀତି ଆଜି ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି। ଏଣୁ ଭାରତ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାପାଇଁ ଆଜିକା ସଭାରେ ବକ୍ତାମାନେ ମତ ଦେଇଥିଲେ। ଏହି ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ସୀତାଂଶୁ ସେନାପତି, ବନ୍ଦନା ପାତ୍ର, ପ୍ରେମ ରଞ୍ଜନ ପାତ୍ର, ସର୍ବେଶ୍ୱର ମିଶ୍ର, ଗୌତମ ଦାସ, ଜ୍ୟୋତିର୍ମୟ ରାଉତ, ପଲ୍‌ଟୁ ଦାସ, ଚନ୍ଦନ କାମିଳା, ମୃତ୍ୟୁଞ୍ଜୟ ରାଉତ, ଶ୍ୟାମସୁନ୍ଦର ଜେନା, ଅନାମ ପ୍ରସାଦ ବାରିକ ଓ ପ୍ରଭାକର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ। ବିଜୟ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ