ଆହାର କେନ୍ଦ୍ରରେ ଲୋକଙ୍କୁ ଖାଇବାକୁ ମିଳୁନାହିଁ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗରସ୍ଥିତ ଆହାର କେନ୍ଦ୍ରରେ ଲୋକଙ୍କୁ ଖାଇବାକୁ ମିଳୁନାହିଁ। ଏହି ଆହାର କେନ୍ଦ୍ରରେ ୫୦୦ଜଣ ଖାଇବାର ବ୍ୟବସ୍ଥା ରହିଛି। କିନ୍ତୁ ରବିବାର ଛାଡ଼ି ଦେଲେ ସବୁଦିନେ ଏଠାରେ ପଞ୍ଚଶହରୁ ଅଧିକ ଲୋକ ଖାଇବାକୁ ଆସିଥାନ୍ତି | ତେଣୁ ଲୋକମାନେ ନଖାଇ ଫେରିଥାନ୍ତି। କହିବାକୁ ଭଞ୍ଜନଗର ଏକ ଉପଖଣ୍ଡ ହୋଇଥିବାରୁ ଏଠାକୁ ପ୍ରତିଦିନ ବିଭିନ୍ନ କାମରେ ଶହ ଶହ ଲୋକ ଆସନ୍ତି। ବ୍ୟାଙ୍କ, କୋର୍ଟ, ମେଡ଼ିକାଲ, ବିଭିନ୍ନ ଅଫିସ କାମରେ ଭଞ୍ଜନଗର ବ୍ଲକ ବ୍ୟତୀତ ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା ଏପରି ବୁଗୁଡ଼ାରୁ ଗରିବ ଲୋକମାନେ ଆସିଥାନ୍ତି ଏବଂ ଏହି ଆହାର କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଏପରିକି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏଠାରେ ମଧ୍ୟାହ୍ନ ଭୋଜନ ଖାଆନ୍ତି। କିନ୍ତୁ ପାଞ୍ଚଶହ ଲୋକଙ୍କ ଖାଇବାର ବ୍ୟବସ୍ଥା ଥିôବାରୁ ଅନେକ ଲୋକ ଖାଇବାର ସୁଯୋଗ ପାଇପାରନ୍ତି ନାହିଁ। ପାଖରେ ଉପଖଣ୍ଡ ଡ଼ାକ୍ତରଖାନା ଏବଂ କୋର୍ଟ ରହିଥିବାରୁ ଅନେକ ଗରିବ ଲୋକ ଏଠାକୁ ଆସିଥାନ୍ତି। ମ୍ୟାନଜର କହିବାକୁ ଅନୁସାରେ କୋଭିଡ଼ ପୂର୍ବରୁ ଏଠାରେ ୭୫୦ଜଣ ଲୋକ ଖାଇବାର ବ୍ୟବସ୍ଥା ଥିଲା କିନ୍ତୁ ତା’ପର ଠାରୁ ୫୦୦ଲୋକଙ୍କ ଖାଇବାର ବ୍ୟବସ୍ଥା ରହିଛି ଯଦ୍ୱାରା ରବିବାର ଦିନ ବ୍ୟତୀତ ସମସ୍ତ ଦିନ ଅନେକ ଲୋକ ଫେରିଯାଆନ୍ତି। ତେବେ ଏହି ଆହାର କେନ୍ଦ୍ରରେ ଏକ ହଜାର ଲୋକ ଖାଇବାର ବ୍ୟବସ୍ଥା କରାଯାଉବୋଲି ସର୍ବସାଧାରଣ ଲୋକ ଦାବି ଜଣାଇଛନ୍ତି।