ମରୁଡି କବଳରେ କାଠିଆସରା ମୌଜା
ହାଟଡିହି, (ବିକାଶ ବିଶ୍ୱାଳ ) : ବର୍ଷା ଦିନରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗତ ୧୦ ଦିନ ହେଲା ବର୍ଷା ନଥିବାରୁ ହାଟଡିହି ଅଞ୍ଚଳରେ ଚାଷଜମି ସବୁ ଫାଟି ଆଁ କଲାଣି। କେବଳ ସାଳନ୍ଦୀ କେନାଲ ଦ୍ବାରା ଜଳସେଚିତ ଅଞ୍ଚଳ ବ୍ୟତିତ ଅନ୍ୟ ସବୁଆଡେ ଏବେ ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ବସିଛି। ଏପରି ସ୍ଥିତିରେ ଅକରୁଆ ପଞ୍ଚାୟତ କାଠି ଆସରା ମୌଜାରେ ହେକ୍ଟର ହେକ୍ଟର ଚାଷଜମି ସବୁ ଶୁଖି ନଷ୍ଟ ହେବାକୁ ବସିଛି। ଅନେକ ଅର୍ଥ ଖର୍ଚ୍ଚ କରି ବହୁ ବିଳମ୍ବରେ ଧାନଚାଷ କରିଥିବା ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି । କିପରି କେଉଁଠୁ ପାଣି ମୁନ୍ଦେ ମଡାଇ ଧାନଗଛ ଗୁଡିକୁ ବଞ୍ଚାଇ ରଖିବେ ସେନେଇ ଚାଷୀମାନେ ଲାଗି ପଡିଛନ୍ତି। ଏହି ମୌଜାରେ ୬ ଗୋଟି ଉଠାଜଳସେଚନ ପ୍ରକଳ୍ପ ଥିଲେ ବି ତାହା ଅଚ଼ଳ ହୋଇ ପଡିଛି। ଜାନୁୟାରୀ ମାସରୁ ବୋରିଂ ସରିଥିଲେବି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଦିଆଯାଉ ନଥିବାରୁ ପ୍ରକଳ୍ପଗୁଡିକକାର୍ଯ୍ୟକ୍ଷମ ହୋଇପାରୁନି ବୋଲି ଆନନ୍ଦ ଚନ୍ଦ୍ର ନାୟକ, ରତ୍ନାକର ଜେନା, ସନାତନ ସ୍ଵାଇଁ, ରୋବର୍ଦ୍ଧନ ସାମଲ, ପ୍ରଫୁଲ କୁମାର ସ୍ୱାଇଁ, ପୁରୁଷୋତ୍ତମ ଘଡେଇ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ବାରମ୍ବାର ଉଠା ଜଳସେଚନ ବିଭାଗର ଅଧିକାରୀ ମାନଙ୍କୁ ଭେଟୁଥିଲେ ବି କିଛି ସୁଫଳ ମିଳୁନି ବୋଲି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଯଦି ଏହି ଉଠାଜଳସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିଲେ ଶହେ ଏକରରୁ ଉର୍ଦ୍ଧ ଚାଷଜମି ପାଣି ଅଭାବରୁ ରକ୍ଷା ପାଇଯାଇ ପାରନ୍ତା ବୋଲି ଚାଷୀମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି