କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ ଜାରି ହେଲା ମାଛଧରା କଟକଣା

ନିମାପଡା,(ସନ୍ତୋଷ ଦାଶ): ନଭେମ୍ବର ୧ ତାରିଖଠାରୁ ଆରମ୍ଭ ହେଉଛି କଇଁଛଙ୍କ ପ୍ରଜନନ ଋତୁ। ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ଜଣାଶୁଣା କେନ୍ଦ୍ରାପଡ଼ା ଜିଲ୍ଲାର ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ର ଦେବୀ ମୁହାଣ ଓ ଗଞ୍ଜାମ ଋଷିକୂଲ୍ୟା ମୁହାଣ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ସାମୁଦ୍ରିକ ମାଛଧରା କଟକଣା। ଏମାନଙ୍କ ସୁରକ୍ଷିତ ଆଗମନ ଓ ଗଣ ଅଣ୍ଡାଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ନଭେମ୍ବର ୧ ତାରିଖରୁ ମଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଧରି ସମୁଦ୍ରକୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜଳରାଶିରେ ଯାନ୍ତ୍ରିକ ଉପାୟରେ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଅଲିଭ୍ ରିଡ଼ଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିଜ୍ଞପ୍ତି ସଂଖ୍ୟା- ୧୮୯୪/୦୪.୧୨.୨୦୦୫ ରେ ଯାନ୍ତ୍ରିକ ଉପାୟରେ ମାଛ ଧରୁଥିବା ସମସ୍ତ ମାଛଧରା ଢଙ୍ଗା, ଟାପା, ଭୁଟୁଭୁଟି ଓ ଟ୍ରଲର ଚଳାଚଳକୁ ଏହି ସମୟ ଅବଧି ମଧ୍ୟରେ ନିର୍ଦ୍ଧିଷ୍ଟ ସାମୁଦ୍ରିକ ଜଳସୀମା ମଧ୍ୟରେ ନିଷେଧ କରାଯାଇଛି। ଏଥି ସହିତ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ରାଜ୍ୟ ପୁଲିସ ଓ ତଟରକ୍ଷୀ ବାହିନୀକୁ ପ୍ରଭୃତ କ୍ଷମତା ଦିଆଯାଇଛି । ସାମୁଦ୍ରିକ କଟକଣା ଉଲଂଘନ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରି ଓଡ଼ିଶା ମେରାଇନ୍ ଫିଶିଂ ରେଗୁଲେସନ ଆକ୍ଟ (ଓମଫରା)୧୯୮୨ କଡାକଡି ପାଳନ କରିବାକୁ ସମସ୍ତ ବନାଞ୍ଚଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ୱର ପହିଲାରୁ ହଜାର ହଜାର ମାଇଲ ସମୁଦ୍ର ଜଳରାଶି ଅତିକ୍ରମ କରି ଓଡ଼ିଶା ଉପକୂଳରେ ଏହି ପ୍ରଜାତିର କଇଁଛଙ୍କ ଗଣ ସମାଗମ ଓ ମିଳନ ଋତୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ସୂଚୀ – ୧ ଅନ୍ତର୍ଭୁକ୍ତ ଏହି ସାମୁଦ୍ରିକ ଜୀବକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଲିଭ ରିଡ଼ଲେ କଇଁଛ ଉପକୂଳର ୨୦ କିଲୋମିଟର ପରିଧି ମଧ୍ୟରେ ସମବେତ ହେବା ସହ ସେମାନେ ଅଣ୍ଡାଦାନ ପୂର୍ବରୁ ୪୫ ରୁ ୬୦ ଦିନ ଯାଏଁ ପ୍ରଜନନ କରିଥାନ୍ତି ଯାହା ପାଇଁ ଏକ ସନ୍ତୁଳିତ ପରିସଂସ୍ଥାନ ଆବଶ୍ୟକ ରହିଛି । ଏ ନେଇ ଯୁବ ପରିବେଶବିତ୍ ତଥା ମିଳିତ ଜାତିସଂଘ ଯୁବ ଅଧିବକ୍ତା ସୌମ୍ୟ ରଞ୍ଜନ ବିଶ୍ବାଳ କୁହନ୍ତି, କଇଁଛଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁଁ କଇଁଛଙ୍କ ମୃତ୍ୟୁହାର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କାର୍ଯ୍ୟରେ ଖିଲାପ କରୁଥିବା ବିଭାଗୀୟ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ