ସରକାରୀ ବିଦ୍ୟାଳୟରେ ଅନୁଷ୍ଟିତ ହେଲା ପିଟିଏମ୍‌

ଆସିକା (ୱାଇଏନ୍‍ଏସ୍‍) : ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପ୍ରୟାସ ସ୍ୱରୁପ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି। ବିଦ୍ୟାଳୟ ଗୁଡିକରେ ଅନୁଷ୍ଟିତ ହୋଇଥିବା ଏହି ବୈଠକରେ ସମସ୍ତ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୩ଟି କ୍ଳଷ୍ଟରର ପ୍ରାୟ ୧୫୨ଟି ପ୍ରାଥମିକ, ଉଚ୍ଚପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଗୁଡିକରେ ଏହି ପିଟିଏମ୍ ବୈଠକ ଅନୁଷ୍ଟିତ ହୋଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀ ଏବଂ ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ଭଂଜ ବେହେରା ଓ ଶିବରାମ ବେହେରାଙ୍କ ପରାମର୍ଶକ୍ରମେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରୀଙ୍କ ଅଭିଭାବକ, ପରିଚାଳନା କମିଟିର ସଦସ୍ୟମାନେ ଏହି ଅଭିଭାବକ-ଶିକ୍ଷକ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହି ବୈଠକରେ ବିଦ୍ୟାଳୟ ବାହାରେ ଥିବା ଓ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍‍ କରି ନାମ ଲେଖାଇବା ହାରକୁ ବୃଦ୍ଧି କରିବା, କେନ୍ଦ୍ର ସରକାରଙ୍କ ଗୃହ ବ୍ୟାପାର ଓ ବିଦ୍ୟାଳୟ ଶିକ୍ଷା, ସାକ୍ଷରତା ବିଭାଗ ନୁଆଁଦିଲ୍ଲୀ ପକ୍ଷରୁ ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶନାମା ଅନୁଯାୟୀ ଆଗାମୀ ୨୦୨୯ ମସିହା ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ପାଇଁ କାର୍ଯ୍ୟକାରୀ କରାଯାଇଥିବା ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତର ପରିଚୟ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା, ଶିଶୁବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପ୍ରାରମ୍ଭିକସ୍ତର ପର୍ଯ୍ୟନ୍ତ ଆକଳନ ରୂପରେଖକୁ ସଫଳ କରିବା, ମା ପାଇଁ ଗଛଟିରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିାବା, କୈଶୋର ଛାତ୍ରଛାତ୍ରୀମାନଙ୍କ ପାଇଁ ଇନ୍‍ସିନେରେଟର୍‍ ଓ ଭେଣ୍ଡିଂ ମେସିନ୍‍ର ବ୍ୟବସ୍ଥା ସହ ବିଦ୍ୟାଳୟର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା, ସ୍ୱଚ୍ଚତା ପକ୍ଷ-୨୦୨୬ ଏବଂ ସୁରଭି-୨୦୨୬ ପାଳନ କରିବା, ଡିଜିଟାଲ୍‍ ଦୁନିଆରେ ପିଲାଙ୍କ ସୁରକ୍ଷା ଦିଗରେ ଅଭିଭାବକଙ୍କ ଭୂମିକା, ସମଗ୍ର ଶିକ୍ଷା ଯୋଜନାରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ଅଭିଭାବକ-ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତଥା ଗୋଷ୍ଠୀ ଓ ବିଦ୍ୟାଳୟରେ ଏକ ନିରନ୍ତର ସଂପର୍କ ସ୍ଥାପନ କରିବା ଓ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଦକ୍ଷତାକୁ ଉପଲବ୍ଧିକୁ ନିଶ୍ଚିତ କରିବାର ଏହା ଏକ ମାଧ୍ୟମ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, କେ.ନୁଆଁପଲ୍ଲୀ, ଗଙ୍ଗାପୁର, ଆସିକା ଏନ୍‍ଏସି, ବାବନପୁର, ଭେଟନଇ, ବଡଖୋଲି, ହରିଡାପଦର, କାଳଷଣ୍ଢପୁୁର, ନଳବଣ୍ଟା, ଖାରିଆ କ୍ଳଷ୍ଟର ଅଧୀନସ୍ଥ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ଏହି ଅଭିଭାବକ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା/ବିଦ୍ୟାଳୟ ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ