କେବେ ସୁଧୁରିବ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ?

ଆସିକା ତା(ୱାଇଏନ୍‍ଏସ୍‍) : ଆସିକା ସହରରେ ମଙ୍ଗଳବାର ଦିନ ପ୍ରାୟ ସାଢେ ଗୋଟାଏରୁ ପାଖାପାଖି ସାଢେ ଦୁଇଟା ପର୍ଯ୍ୟନ୍ତ ମୁଶଳଧାରାରେ ବର୍ଷା ଲାଗିରହିବା ଯୋଗୁଁ ସଦାସର୍ବଦା ବ୍ୟସ୍ତବହୁଳ ବିନାୟକ ବଜାର, କଳିଙ୍ଗ ରୋଡ, ସୁବର୍ଣ୍ଣପେଟା ସାହି, ଅଶୋକା ସିନେମା ରୋଡ, ତାଲୁକା ରୋଡ ସମେତ ବହୁ ପ୍ରମୁଖ ରାସ୍ତାରେ ବର୍ଷାପାଣି ଦୀର୍ଘ ସମୟ ଧରି ନିଷ୍କାସିତ ହୋଇନପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆସିକା ସହର ମାତ୍ର ଘଣ୍ଟାଏ ବର୍ଷାରେ ବେହାଲ୍‍ ହୋଇପଡିଥିଲା ବେଳେ ଅଧା ସାହିବସ୍ତି ବର୍ଷାପାଣିରେ ଉବୁଟୁବୁ ହୋଇଯାଇଥିଲା । ଯାହାରି ଫଳରେ କେତେକ ଅଞ୍ଚଳର ଜନସାଧାରଣ ଜଳବନ୍ଦୀର ସମ୍ମୁଖୀନ ହୋଇଥିବା ବେଳେ ଯାତାୟତରେ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଆସିକା ସହରର କେତେକ ସାହିବସ୍ତି ଓ କଳିଙ୍ଗରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ଯୋଗୁଁ ଅସରାଏ ବର୍ଷା ଯୋଗୁଁ ବର୍ଷାପାଣି ନିଷ୍କାସିତ ହୋଇନପାରି ରାସ୍ତା ଗୁଡିକ ଜଳାର୍ଣ୍ଣବ ହୋଇରହିଥିଲା । ବର୍ଷ ବର୍ଷ ଧରି ଆସିକା ସହରର କେତେକ ଅଞ୍ଚଳରେ ଲାଗି ରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲାଗି ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିଲେ ବି ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ତାହା ଫଳପ୍ରଦ ହୋଇପାରୁ ନଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ବିଜୟୱାଡା-ରାଂଚି କରିଡର ଅଧୀନସ୍ଥ ଆସିକା କଳିଙ୍ଗରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ଯୋଗୁଁ ନର୍ଦ୍ଦମାରେ ବର୍ଷାଜଳ ନିଷ୍କାସନ ହୋଇନପାରି ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ସମ୍ମୁଖସ୍ଥ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ଅସରାଏ ବର୍ଷାରେ ବର୍ଷାଜଳ ଦୀର୍ଘ ସମୟ ଧରି ଲହୁଡି ମାରୁଥିବା ଦେଖିବାକୁ ମିଳିଥିଲା । ଯାହାରି ଫଳରେ ଜନସାଧାରଣ ଦୀର୍ଘ ସମୟ ଧରି ଯାତାୟତରେ ନାନା ସମସ୍ୟା ସମ୍ମୁଖୀନ ହୋଇଥିଲେ । ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ଯୋଗୁଁ ଆସିକା ସହରର କେତେକ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଆସିକା ସହରର କେତେକ ଅଂଚଳରେ ଏହି ବିପର୍ଯ୍ୟସ୍ତ ଡ୍ରେନେଜ୍‍ ସମସ୍ୟା ଦୀର୍ଘ ବର୍ଷ ଧରି ଲାଗିରହିଥିଲେ ମଧ୍ୟ ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ସମାଧାନ ହୋଇପାରୁ ନାହିଁ ବୋଲି ଚର୍ଚ୍ଚା ହେଉଛି । ଅସରାଏ ହେଉ କି ଲଗାଣ ବର୍ଷା ହେବା ମାତ୍ରେ ସହରର କେତେକ ମୁଖ୍ୟରାସ୍ତାରେ ବର୍ଷାପାଣି ଦୀର୍ଘ ସମୟ ଧରି ନିଷ୍କାସିତ ହୋଇନପାରି ଜମାଟ ବାନ୍ଧ ରହୁଛି । ସହରର କେତେକ ଡ୍ରେନ୍‍ ପୋତି ହୋଇଯାଇଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି । ଆସିକା ସହରର କେତେକ ଅଞ୍ଚଳର ମୁଖ୍ୟରାସ୍ତା ପାଶ୍ୱର୍୍‍ରେ ଲାଗି ରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ସଜାଡିବା ଦିଗରେ ପ୍ରଶାସନ ବିଫଳ ହୋଇଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ବିଜୟୱାଡା-ରାଞ୍ôଚ କରିଡର ଅଧିନସ୍ଥ ଆସିକା ବସ୍‌ଷ୍ଟାଣ୍ଡ କଳିଙ୍ଗରୋଡ୍ ମୁଖ୍ୟରାସ୍ତା ପାଶ୍ୱର୍ରେ ନିର୍ମିତ ହୋଇଥିବା ଡ୍ରେନ୍‌ର କେତେକ ସ୍ଥାନରେ ନାଳପାଣି ଜମାଟ ବାନ୍ଧି ରହି ନିଷ୍କାସିତ ହୋଇନପାରି ପରିବେଶ ପୁରାପୁରି ଅସ୍ୱାସ୍ଥ୍ୟକର ହୋଇପଡୁଛି ବୋଲି ଚର୍ଚ୍ଚା ହେଉଛି । ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଘଣ୍ଟା ଘଣ୍ଟା ଧରି କେତେକ ପ୍ରମୁଖ ରାସ୍ତାରେ ଅସରାଏ ବର୍ଷାରେ ବର୍ଷାପାଣି ଜମାଟ ବାନ୍ଧି ରହିବା ଫଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ବେଳେ ମଶାମାଛି ବଂଶ କାୟା ବିସ୍ତାର କରି ଲାଗିଥିବା ଦେଖିବାକୁ ମିଳୁଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବିପର୍ଯ୍ୟସ୍ତ ହୋଇପଡିଥିବା ସହରର କେତେକ ମୁଖ୍ୟରାସ୍ତା ପାଶ୍ୱର୍ର ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ କାଉନସିଲର୍‍ ନିଗମାନନ୍ଦ ରାଉତ, ପୂର୍ବତନ କାଉନସିଲର୍‍ କୈଳାଶ ଚନ୍ଦ୍ର ପ୍ରଧାନ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା ଓ ଶିବପ୍ରସାଦ ଶତପଥୀ ଦୃଢ ଦାବୀ କରିଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ସାଙ୍ଗକୁ ଘରର ଚତୁଃପାଶ୍ୱର୍ ସହ ବାଡି, ବଗିଚା ଓ ନାଳନର୍ଦ୍ଦମା ପରିଷ୍କାର ଓ ପରିବେଶ ସଫାସୁତରା ସାଙ୍ଗକୁ ମଶାବଂଶ ନିପାତ ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଆସିକା ସହରର କେତେକ ଅଞ୍ଚଳରେ ତାହା ବାଟବଣା ହୋଇଯାଉଥିବା ଅଭିଯୋଗ ହେଉଛି । ଆସିକା ସହରର କେତେକ ଅଞ୍ଚଳରେ ଲାଗି ରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ଯଦି ପଦକ୍ଷେପ ନିଆନଯାଏ ତେବେ ବର୍ଷା ଲାଗିରହିଲେ ପରିସ୍ଥିତି ଆହୁରି ସଙ୍ଗୀନ ହେବା ସମ୍ଭବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ