ଓଡ଼ିଶା ପ୍ରେସ୍ ଏକାଡ଼େମୀର ବାର୍ଷିକ ସମାରୋହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ପ୍ରେସ୍ ଏକାଡ଼େମୀର ୩୦ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ‘ସାମ୍ବାଦିକଙ୍କ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନେ ବର୍ତ୍ତମାନ କିପରି ସାମାଜିକ ଓ ଅର୍ଥନୈତିକ ପ୍ରତିରୋଧ ମଧ୍ୟରେ ଗତି କରୁଛନ୍ତି, ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ନିଜସ୍ୱ ପାରିଶ୍ରମିକ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ପୂର୍ବରୁ ସେବା ମନୋବୃତ୍ତି ରଖି ସାମ୍ବାଦିକତା ଆରମ୍ଭ ହୋଇଥିଲା ବେଳେ ବର୍ତ୍ତମାନ ଏହା ପେଷାରେ ପରିଣତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ଯୋଗଦେଇ ସାମ୍ବାଦିକମାନେ ସମାଜରେ ଦେଖା ଯାଉଥିବା ଅବ୍ୟବସ୍ଥା ସମ୍ପର୍କରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାନ୍ତି । ସାମ୍ବାଦିକମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ସମ୍ପର୍କରେ ସରକାର ଚିନ୍ତା କରିବା ଉଚିତ୍ ବୋଲି କହିଥିଲେ । ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ପାଇଁ ପେନସନ ବ୍ୟବସ୍ଥା ରାଜ୍ୟ ସରକାର ଏବଂ ଗଣମାଧ୍ୟମ ଅନୁଷ୍ଠାନର ସହଯୋଗରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି । ଆଗାମୀ ବଜେଟରେ ସରକାର ଅନୁଦାନର ବ୍ୟବସ୍ଥା ସହ ଓଡ଼ିଶା ପ୍ରେସ୍ ଏକାଡ଼େମୀକୁ ନୋଡ଼ାଲ ଏଜେନ୍ସି ଭାବେ ଦାୟିତ୍ୱ ଗ୍ରହଣ କରିବ ବୋଲି ଆଶାପ୍ରକାଶ କରିଥିଲେ ଏବଂ ପେନସନ ବାବଦରେ ସ୍ୱତନ୍ତ୍ର ଭାବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶା କର୍ମଜୀବି ସଂଘର ସଭାପତି ଶ୍ରୀ ସୁଜ୍ଞାନ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିନା ସହଯୋଗରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ନିଜର ଦାୟିତ୍ୱ ସମ୍ପନ୍ନ କରୁଥିବାରୁ ତାଙ୍କ ଅସୁବିଧା ଦୂର କରାଯାଇ ପାରିନାହିଁ ବୋଲି ମତବ୍ୟକ୍ତ କରିଥିଲେ ।ପ୍ରାରମ୍ଭରେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପ୍ରଧାନ ଆଲୋଚନାଚକ୍ରର ଆବଶ୍ୟକତା ସମ୍ପର୍କରେ ସୂଚନା ଦେବା ସହ ଅନ୍ୟ ପେଷାଦାର ସାମ୍ବାଦିକ କର୍ମଚାରୀମାନଙ୍କର ପଞ୍ଜିକରଣର ବ୍ୟବସ୍ଥା ଆମ ରାଜ୍ୟରେ କରାଯାଇ ନାହିଁ, ଯାହାକି ଅନ୍ୟ ରାଜ୍ୟରେ କାର୍ଯ୍ୟକ୍ଷମ ଅଛି । ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ କର୍ମନିଯୁକ୍ତିରେ ପତ୍ର ଆଧାରରେ ଓଡ଼ିଶା ଗଣମାଧ୍ୟମ ପରିଷଦ ନାମରେ ଏକ ଅନୁଷ୍ଠାନ ଗଠନ କରି ସରକାରଙ୍କୁ ପଞ୍ଜିକରଣ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଓଡ଼ିଶା ପ୍ରେସ୍ ଏକାଡ଼େମୀର ଉପାଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଶ୍ରୀଯୁକ୍ତ ରବି ରାୟ ସଭା ପରିଚାଳନା କରିଥିବା ବେଳେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ସମ୍ପାଦିକା ରୀତାଞ୍ଜଳୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।