ସୈନିକ ସ୍କୁଲ୍ ଡମ୍ପିଂୟାର୍ଡ ସ୍ଥାନାନ୍ତରଣ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୈନିକ ସ୍କୁଲ୍ ଡମ୍ପିଂୟାର୍ଡ ସ୍ଥାନାନ୍ତରଣ ଦାବିରେ ବୁଧବାର ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସୈନିକ ସ୍କୁଲ୍ ନିକଟସ୍ଥ ଡମ୍ପିଂୟାର୍ଡ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ପ୍ରଧାନ କହିଥିଲେ ଯେ, ଭୁବନେଶ୍ୱର ମହାନଗର କେନ୍ଦ୍ରସ୍ଥଳରେ ସରକାର ଡମ୍ପିଂୟାର୍ଡ ରଖିବା ଦୁର୍ଭାଗ୍ୟଜନକ । ସେଠାରେ ସୈନିକ ସ୍କୁଲ୍‌, ବାଲ୍ ସୈନିକ ସ୍କୁଲ୍‌, ରେଲ୍‌ୱେ ହସ୍ପିଟାଲ ଏବଂ ଡମ୍ପିଂୟାର୍ଡ ଚାରିପଟେ ଜନବସତି ରହିଛି । ଡମ୍ପିଂୟାର୍ଡ ଯୋଗୁଁ ସେଠାକାର ପରିବେଶ ସମ୍ପୂର୍ଣ୍ଣ ଦୂଷିତ ହୋଇଯାଇଛି । ସେଠାରେ ଥିବା ବସ୍ତି ଏବଂ କଲୋନୀ ତଥା ଗାଁର ଅଧିବାସୀମାନେ ଚର୍ମରୋଗରେ ପୀଡ଼ିତ ହେଉଛନ୍ତି । ଏପରିକି ଏଥିପାଇଁ ମାରତ୍ମକ କର୍କଟ ରୋଗ ବ୍ୟାପିଥିବା ଅଭିଯୋଗ ହେଉଛି । ବର୍ଷାଦିନେ ଏଠାରୁ ଜଳ ନିଷ୍କାସନ ହୋଇନପାରି ବସ୍ତି ଏବଂ ସେଠାକାର ବିଭିନ୍ନ ସ୍ଥାନରେ ଥିବା ଜଳାଶୟ ତଥା କୁଅ ପ୍ରଭୃତିରେ ମିଶିବା ଫଳରେ ଏହି ଜଳ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ । ବିଶେଷକରି ଏହି ଡମ୍ପିଂୟାର୍ଡ ପରିସରରେ ବହୁ ପୁରାତନ ଶିବ ମନ୍ଦିର ରହିଛି । ସେହି ମନ୍ଦିର ଚାରିପଟେ ସହର ଯାକର ଅଳିଆ ଗଦା ହେଉଛି । ସେଠାକାର ବସ୍ତିର ୯୦ ଭାଗ ଲୋକ ଆଦିବାସୀ ସମ୍ପ୍ରଦାୟର । ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଡମ୍ପିଂୟାର୍ଡ ଆଖପାଖରେ ଭୟଙ୍କର ଦୁର୍ଗନ୍ଧ ହେତୁ ସେଠାକାର ଲୋକମାନେ ଘରୁ ବାହାରକୁ ଯାଇପାରୁ ନାହାଁନ୍ତି । ଏପରିକି ସେହି ବାଟ ଦେଇ ଗାଡ଼ି ମଟରରେ ଯିବା ଆସିବା କରିବା ସମୟରେ ମଧ୍ୟ ନାକ ଫାଟି ପଡ଼ୁଛି । ସେଠାରେ ଥିବା ବସ୍ତିବାସିନ୍ଦାମାନେ ଅତି ଯନ୍ତ୍ରରେ ଦିନ କାଟୁଛନ୍ତି । ବିଜେପି ଦଳର ପକ୍ଷରୁ ଏହି ଡମ୍ପିଂୟାର୍ଡ ହଟିବା ପାଇଁ ୨୧ ଦିନ ଧାରଣା ଦିଆଯାଇଥିଲା । ମାତ୍ର ସରକାରକୁ ଆସିବା ପରେ ବିଜେପି ନିଜେ ସମ୍ପନ୍ନ କରିଥିବା ଧାରଣା କଥାକୁ ପାଶୋରି ଦେଇଛନ୍ତି । ଏହି ଡମ୍ପିଂୟାର୍ଡ ତୁରନ୍ତ ସ୍ଥାନାନ୍ତରଣ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯିବା ସହ ସ୍ଥାନାନ୍ତରଣ ନହେଲେ ଛାତ୍ର କଂଗ୍ରେସ ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କୁହାଯାଇଛି ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅତିରିକ୍ତ କମିଶନର ଘଟଣାସ୍ଥଳକୁ ଆସି ଛାତ୍ରକଂଗ୍ରେସ ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି । ଏ ସଂକ୍ରାନ୍ତରେ ବିଏମ୍‌ସି କମିଶନରଙ୍କ ସହ ଆସନ୍ତା ୨୫ ତାରିଖ ଦିନ ସବିଶେଷ ହେବ ବୋଲି ବିଏମ୍‌ସିର ଅତିରିକ୍ତ କମିଶନର ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୟାସିର ନୱାଜ, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ବୁଲୁ ପତି, ଅଜୟ ସାହୁ, ଗୋପନ ମାର୍ଥା, ମୀର୍ଜା ଇସଲାମ ବେଗ୍‌, ଶୁଭମରାଜ, ବିଶ୍ୱରଞ୍ଜନ ମିଶ୍ର, ପ୍ରଜ୍ଞା ପ୍ରୀତମ ବେହେରା, ଆଦିତ୍ୟ ଅଂଶୁମାନ ପାତ୍ର, ପ୍ରତୀକ ଦାସ, ଭବାନୀ ଶଙ୍କର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ