ଯୌତୁକ ଲାଗି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳା ବିଷ ଖାଈ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣା କ୍ରମେ, ଶେରଗଡ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ରାଜୁ ସେଠି ଙ୍କ ଝିଅ ଆରତୀ ଙ୍କ ବୈଦିକ ରୀତିନୀତି ଅନୁଯାୟୀ ଶେରଗଡ ଥାନା ବରମୁଣ୍ଡୁଳି ପଞ୍ଚାୟତ ବରିକୋଟ ଗ୍ରାମର ସ୍ବର୍ଗତ ପିତବାସ ସେଠି ଙ୍କ ପୁଅ ସଞ୍ଜୟ ଙ୍କ ସହିତ ବିବାହ ହୋଈଥିଲା। ବିବାହ ସମୟରେ ଝିଅ କୁ ଜାନିଯୌତୁକ ସହିତ ବର ପକ୍ଷର ଦାବି ମୁତାବକ ଆସବାବପତ୍ର ଯୋଗାଇ ଦିଆଯାଇଥିଲା। କିଛି ଦିନ ବୈବାହିକ ଜୀବନ ସୁରୁଖୁରୁରେ ବିତିଥିଲା ଏବଂ ଈତି ମଧ୍ୟରେ ଆରତୀ ଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହା ପରେ ସଞ୍ଜୟ ସ୍ତ୍ରୀ ଆରତୀ ଙ୍କୁ ବିଭିନ୍ନ ଘଟଣା କୁ ନେଇ ଝଗଡା ସହିତ ମାରପିଟ କରୁଥିଲେ। ଉକ୍ତ ଘଟଣା କୁ ନେଇ ଆରତୀ ସହିନପାରି ବାପାଙ୍କ ଘରକୁ ପଳାଈଥିଲେ। ଏହା ପରେ ସଞ୍ଜୟ ନିଜ ସ୍ତ୍ରୀ ଙ୍କୁ ଆଣିବା ଲାଗି ଆରତୀ ଙ୍କ ଗ୍ରାମରେ ପହଞ୍ଚି ଥିଲେ। ଏହି ସମୟରେ ହିଞ୍ଜିଳି ଥାନାରେ ଆପୋଷ ବୁଝାମଣା ଏବଂ ଆଉ ସ୍ତ୍ରୀ ଙ୍କୁ ମାରପିଟ କରିବି ନାହିଁ କିମ୍ବା ନିର୍ଯ୍ୟାତନା ଦେବି ନାହିଁ ବୋଲି ଲିଖିତ ଭାବେ ଦେବା ପରେ ଆରତୀ ସଞ୍ଜୟ ଙ୍କ ପାଖକୁ ଫେରିଥିଲେ। ଈତି ମଧ୍ୟରେ ସ୍ତ୍ରୀ ଆରତୀ ସ୍ବାମୀ ଙ୍କ ନିର୍ଯ୍ୟାତନା ରେ ଅତିଷ୍ଠ ହୋଇ ଦୁଇ ଥର ଆତ୍ମହତ୍ୟା ଲାଗି ଚେଷ୍ଟା କରିଥିଲେ। ହେଲେ ଗତକାଲି ରାତିରେ ଝଗଡା ଭୟଙ୍କର ରୂପ ନେଈଥିଲା ଏବଂ ସ୍ବାମୀ ସଞ୍ଜୟ ସ୍ତ୍ରୀ ଆରତୀ ଙ୍କୁ ନିର୍ଯାତନା ଦେବା ସହ ମାରପିଟ କରିଥିଲେ। ଏହାକୁ ସହ୍ୟ କରିନପାରି ଆରତୀ ଘରେ ଥିବା ଚାଉଳ ରେ ପକାଈବା ଔଷଧ ଖାଈଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ପଡିଶା ଘର ଲୋକ ଆରତୀ ଙ୍କୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୌଣସି ମତେ ଶେରଗଡ ପୋଲିସ ଖବରପାଇ ମେଡ଼ିକାଲ ରେ ପହଞ୍ଚି ମୃତ ଆରତୀ ଙ୍କ ଶବକୁ ଜବତ କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ଲାଗି ପଠାଈଥିବା ଜଣାପଡିଛି। ଆରତୀ ଙ୍କ ବାପା ରାଜୁ ଙ୍କ ଏତଲା କୁ ଆଧାର କରି ଶେରଗଡ ଥାନା ୪୭୬/୨୪ ରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ସ୍ବାମୀ ସଞ୍ଜୟ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ପ୍ରକାଶ କରାଯାଇଛି।