ଖଇରା ବ୍ଲକକୁ ଜିଲ୍ଲାପାଳଙ୍କ ଆକଷ୍ମିକ ପରିଦର୍ଶନ
ବାଲେଶ୍ୱର, (ସରୋଜ ପଣ୍ଡା):ତୃଣମୂଳସ୍ତରରେ ଶିକ୍ଷାଦାନର ମୂଲ୍ୟାଙ୍କନ ଓ ଉନ୍ନତି ନିରୀକ୍ଷଣ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଖଇରା ବ୍ଲକ ଅନ୍ତର୍ଗତ ଅର୍ଜୁନପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି I ଏହି ଗସ୍ତ ସମୟରେ ଖଇରା ବିଡ଼ିଓ ଶ୍ରୀ ଅନନ୍ତ ହାଁସଦା, ତହସିଲଦାର ଶ୍ରୀ ଜିତେନ୍ଦ୍ର ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରାଚୀ ତନୟା ଗିରି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଧରଣୀଧର ପାତ୍ର ଏବଂ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଦାଧର ଦାସ ଉପସ୍ଥିତ ଥିଲେ I ଉକ୍ତ ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ବିକାଶ ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ କରି ସେମାନଙ୍କ ଶୈକ୍ଷିକ ଆକାଂକ୍ଷା, ବ୍ୟକ୍ତିଗତ ସ୍ୱପ୍ନ ଏବଂ ସଂସ୍ଥାଗତ ଆବଶ୍ୟକତାକୁ ପଚାରି ବୁଝିବା ସହିତ ତୃଣମୂଳସ୍ତରରେ ଶୈକ୍ଷିକ ପରିଦୃଶ୍ୟ ଏବଂ ଛାତ୍ର ଦୃଷ୍ଟିକୋଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ I ଏଥି ସହିତ ଜିଲ୍ଲାପାଳ ଏହି ଅନୁଷ୍ଠାନରେ ଜାରି ଥିବା ମଧ୍ୟାହ୍ନ ଭୋଜନ ଯୋଜନାର ପରିଚାଳନାଗତ ଗତିଶୀଳତା ଉପରେ ମଧ୍ୟ ବିସ୍ତୃତ ଯାଞ୍ଚ କରିଥିଲେ I ଏହି ଗସ୍ତ ପଶ୍ଚାତ ସକ୍ରିୟ ଭାବେ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ଶିକ୍ଷା ଭିତ୍ତିଭୂମି ବୃଦ୍ଧି କରିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି I ପ୍ରାପ୍ତ ସୂଚନା ଅନୁଯାୟୀ, ଜିଲ୍ଲାପାଳ ଖଇରା ବ୍ଲକରେ ଅବସ୍ଥାପିତ ବୃହତ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା କରିବା ସହ ପଥର ଖଣି ପରିଦର୍ଶନ କରିଥିଲେ। ଏଥି ସହିତ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସେଠାରେ ରୋଗୀଙ୍କ ନିମନ୍ତେ ଉପଲବ୍ଧ ସମସ୍ତ ଅବସ୍ଥା ଓ ସାମଗ୍ରିକ ସ୍ୱାସ୍ଥ୍ୟ ସୁବିଧାର ସମୀକ୍ଷା କରିଥିଲେ।