ସ୍ଥାୟୀ ନିଯୁକ୍ତି ଦାବିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆୟୁଷ ଡାକ୍ତରଙ୍କ ଗଣଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଆୟୁଷ ଡାକ୍ତର (ଏମ୍‌ଏଚ୍‌ୟୁ, କୋ ଲୋକେଟେଡ଼ ଏବଂ ଆରବିଏସ୍‌କେ) ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଗଣଧାରଣା ଦେଇଛନ୍ତି । ପ୍ରକାଶଥାଉକି, ରାଜ୍ୟର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୨୦୦୧ ମସିହାରୁ ଏମ୍‌ଏଚ୍‌ୟୁ, ୨୦୦୭ ମସିହାରୁ କୋ ଲୋକେଟେଡ଼ ଏବଂ ୨୦୧୩ ମସିହାରୁ ଆରବିଏସ୍‌କେ ଆୟୁଷ ଡାକ୍ତରମାନେ ଅତି ନିମ୍ନମାନର ବେତନରେ ଚାକିରି କରି ଆସୁଛନ୍ତି । ଏମ୍‌ଏଚ୍‌ୟୁ ଆୟୁଷ ଡାକ୍ତରମାନେ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗଉଥିବା ବେଳେ କୋ ଲୋକେଟେଡ଼ ଆୟୁଷ ଡାକ୍ତରମାନେ ସିଏଚ୍‌ସି ଏବଂ ପିଏଚ୍‌ସିରେ ଆୟୁଷ ପଦ୍ଧତି ଅନୁସାରେ ରୋଗୀ ସେବା ଯୋଗାଇବା ସହିତ ପ୍ରସବ କରାଇବା, ରୋଗୀ କଲ୍ୟାଣ ସମିତିର ତଦାରଖ, ଗାଁ କଲ୍ୟାଣ ସମିତିର ତଦାରଖ କରୁଥିବା ବେଳେ ଆରବିଏସ୍‌କେ ଆୟୁଷ ଡାକ୍ତରମାନେ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଗ୍ରହଣ ଖଣ୍ଡିଆ, ପାଦ ବଙ୍କା, ହୃଦ୍‌ରୋଗୀ, ଜନ୍ମାତ ଅନ୍ଧ, ଅପପୁଷ୍ଟି, କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟସେବା ଭଳି ଅନେକ ଶିଶୁରୋଗ ଆଦିର ସଫଳ ଚିକିତ୍ସା କରିଥାନ୍ତି ।ସେହିଭଳି ଏହି ସମସ୍ତ ବର୍ଗର ଆୟୁଷ ଡାକ୍ତରମାନେ ଗ୍ରାମୀଣ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଦିବସର ତଦାରଖ, ଜାତୀୟ ଟୀକାକରଣର ତାଦାରଖ ସହ ବିଭିନ୍ନ ପ୍ରକାରର ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅନୁଧ୍ୟାନ ଏବଂ ତଦାରଖ କରୁଛନ୍ତି । ଏପରିକି ତୃଣମୂଳସ୍ତରରେ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ସମସ୍ତ ଆୟୁଷ ଡାକ୍ତରମାନଙ୍କ ଭୂମିକା ଅତି ପ୍ରଶଂସନୀୟ । ଏହି ଆୟୁଷ ଡାକ୍ତରଙ୍କ କାମ କରିବାର ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଯୋଗୁଁ ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି । ସେହିପରି ବିଭିନ୍ନ ଦୈବୀ ଦୁର୍ବିପାକ, ମହାମାରୀ ତଥା ଯେକୌଣସି ଜରୁରୀ ପରିସ୍ଥିତିରେ ସାଧରାଣ ଜନତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ଏହି ଆୟୁଷ ଡାକ୍ତରମାନେ । ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନାରେ ମଧ୍ୟ ଆୟୁଷ ଡାକ୍ତରଙ୍କ କାର୍ଯ୍ୟ ଅତି ଉଚ୍ଚକୋଟୀର ଥିଲା । ରାଜ୍ୟରେ ଏହି ଡାକ୍ତରମାନେ ପ୍ରାୟ ୧୨ରୁ ୨୩ ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟଜନକ କଥା ଆୟୁଷ ଡାକ୍ତରମାନଙ୍କୁ ନା ମିଳୁଛି ଯୋଗ୍ୟତା ଅନୁସାରେ ବେତନ ନା ଅଛି ଚାକିିରିରେ ସ୍ଥାୟିତ୍ୱ । ବାରମ୍ବାର ଦାବି ଜଣାଇବା ପରେ ପ୍ରତିଶ୍ରୁତି ମିଳିଥିବା ସତ୍ତ୍ୱେ ସରକାର ସେମାନଙ୍କୁ କଣ ପାଇଁ ଅଣଦେଖା କରୁଛନ୍ତି ତାହା ସମସ୍ତ ଆୟୁଷ ଡାକ୍ତର ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯାଇଥଲେ ମଧ୍ୟ ତାହାର ଫଳାଫଳ କିଛି ମିଳୁନି । ଗତ ତା ୧୭.୧୨.୨୦୨୪ରିଖରେ ମିଶନ ନିର୍ଦ୍ଦେଶାଳୟରୁ ଡାକରା ଆସିଥିଲା କିନ୍ତୁ ଦୀର୍ଘ ୧ ଘଣ୍ଟାର ଆଲୋଚନା ପରେ କିଛି ସଫଳ ପ୍ରତିଶ୍ରୁତି ମିଳିନାହିଁ । ତେଣୁ ରାଜ୍ୟର ଆୟୁଷ ଡାକ୍ତର ମିଳିତ ମଞ୍ଚର ଅଧ୍ୟକ୍ଷ ସଂଘର ଡାକ୍ତର ବିଶ୍ୱରଞ୍ଜନ ଜେନା ଏବଂ ସମ୍ପାଦକ ଡା ହିମାଂଶୁ ଶେଖର ମିଶ୍ର, ଆବାହକ ଡାକ୍ତର ଦେବବ୍ରତ ବାରିକଙ୍କ ଡାକରାରେ ଚାକିରିରେ ସ୍ଥାୟୀକରଣ, ସ୍ଥାୟୀକରଣ ହେବା ପର୍ଯ୍ୟନ୍ତ (ଉଚ୍ଚତମ ନ୍ୟାୟାଳୟ ଦିଶା ନିର୍ଦ୍ଦେଶ ଅନୁଯାୟୀ) ସମାନ କାମକୁ ସମାନ ଦରମା ପ୍ରଦାନ, ଅବସରକାଳୀନ ରାଶି ଏକକାଳୀନ ପ୍ରଦାନ, ୧୧ ମାସିଆ ଚୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ, ପିଆଇ ମୂଳ ଦରମାରେ ମିଶ୍ରଣ, ଉଚ୍ଚଶିକ୍ଷା ପାଇଁ ଗଲେ ଶିକ୍ଷା ସମାପ୍ତ ପରେ ଆସି ନିଜ ଚାକିରିରେ ଯୋଗଦାନ, ଦୁର୍ଘଟଣାରେ ଅକର୍ମଣ୍ୟ ବା ମୃତ୍ୟୁ ହେଲେ ଆର୍ଥିକ କ୍ଷତିପୂରଣ ପ୍ରଦାନ, ସାମାଜିକ ସୁରକ୍ଷା ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାରେ ଅନ୍ତର୍ଭୁକ୍ତ, ଆୟୁଷ ବିଭାଗ (ନାସନାଲ ଆୟୁଷ ମିଶନ)କୁ ସମସ୍ତ ଆୟୁଷ ଡାକ୍ତରଙ୍କୁ ସ୍ଥାନାନ୍ତରଣ ଏବଂ ରାଜ୍ୟର ସମସ୍ତ ଆୟୁଷ ଡାକ୍ତରଙ୍କୁ ସ୍ୱତନ୍ତ୍ର ଆୟୁଷ ବିଭାଗରେ ଅନ୍ତର୍ଭକ୍ତ କରିବା ଆଦି ୧୦ ଦଫା ଦାବି ପୂରଣ ନିମନ୍ତେ ରାଜ୍ୟର ପ୍ରାୟ ୩୦୦୦ ଆୟୁଷ ଡାକ୍ତରମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଗଣଧାରଣା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ