ପୁରୁଣା ସୋଠରେ ରାତି ଅଧିଆ କାମ: ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ?
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପୁରୁଷଣ୍ଢ ପଞ୍ଚାୟତ ଆଗରପଡା ବଉଳା ପୁର୍ତ୍ତ ବିଭାଗ ରାସ୍ତା ତାରିଣୀ ଛକ ନିକଟସ୍ଥ ମୂଳାବାଡି ସମ୍ମୁଖରେ ନିର୍ମାଣାଧିନ କଲଭଟ୍ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଜନୈକ ପେଟି ଠିକାଦାର ମନମୁଖୀ ଭାବେ କରୁଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ପୁରୁଣା ସୋଠକୁ ପକାଇ ନିମ୍ନ ମାନର କାର୍ଯ୍ୟ କରାଇ ନୂଆ ରୂପ ଦେଇ ଅର୍ଥ ଲୁଟ୍ ପାଇଁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି । କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁ ନଥିବା ଜଣାଯାଇଛି । ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ନବଘନ ମାରାଣ୍ଡିଙ୍କୁ ପଚରା ଯିବାରୁ ରାତି ଅଧିଆ ନିର୍ମାଣ କାର୍ଯ୍ୟ ହେବାର ପ୍ରାବଧାନ ରହିଛି ଏବଂ ପୁରୁଣା ସୋଠର କାର୍ଯ୍ୟ ହୋଇଥିବା ସେ ଜାଣିନଥିବା କହିଛନ୍ତି । ଯଦି ସେପରି ହୋଇଥାଏ ସଂପୃକ୍ତ ଠିକାଦାରଙ୍କ ବିଲ୍ ବନ୍ଦ କରାଯିବ ବୋଲି କହିଛନ୍ତି । ଠିକାଦାର ସଂଜୟ ମିଶ୍ରଙ୍କୁ ପଚରା ଯିବାରୁ ଭଙ୍ଗା ଓ ପୁରୁଣା ସୋଠ ପକାଇ ଥିଲେ ତାହାକୁ ବାହାର କରାଯାଇ ନୂଆ ସୋଠ ପକାଯିବ । ଆଗକୁ ଏପରି ଅଭିଯୋଗ ଆସିଲେ କୌଣସି ପେଟି ଠିକାଦାରଙ୍କୁ ଭରସା ନ କରି ନିଜେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଅପରପକ୍ଷେ ପୁରୁଣା ଓ ଭଙ୍ଗା ସୋଠର କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଆଇନଜୀବି ଚିନ୍ମୟ ମହାପାତ୍ର, ବିଜେପି ନେତା ଅଶୋକ ପରିଡା, ଭରତ ଚନ୍ଦ୍ର ପାଢୀ, କାଳିଆ ପଲେଇ, କାଳନ୍ଦୀ ଦାସ, ଅଶୋକ ଦାସ ପ୍ରମୁଖ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି ।