ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ୯୯ତମ ଜନ୍ମ ଜୟନ୍ତୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଜନନାୟକ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଳ୍ଲଭ ପଟ୍ଟନାୟକ ଥିଲେ ଏକଧାରରେ ବିଶିଷ୍ଟ ଜନନାୟକ, ରାଜନେତା, ସୁସାହିତ୍ୟିକ ଓ ପ୍ରବୀଣ ସାମ୍ବାଦିକ । ତାଙ୍କ ରାଜନୈତିକ ଜୀବନ ପ୍ରତି ଦୃଷ୍ଟି ଦେଲେ ଜଣାଯାଏ ସେ ହିଁ ପ୍ରଥମେ ଓଡ଼ିଶାରେ ପାଞ୍ଚବର୍ଷ ପାଇଁ ସ୍ଥାୟୀ ଶାସନ ଦେଇଥିଲେ । ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୦ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଉନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ କରିଥିଲେ ବୋଲି ଜୟଦେବ ଭବନରେ ଅନୁଷ୍ଠିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୯ତମ ଜନ୍ମ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ତ୍ତ, ଗୃହନିର୍ମାଣ, ଆଇନ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ତଥା ପୂର୍ବତନ ଆକାଉଣ୍ଟାଣ୍ଟ ଜେନେରାଲ ଶ୍ରୀଯୁକ୍ତ ହରପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ବେନହୁର ପ୍ରମୁଖ ଯୋଗଦାନ କରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ସାହିତ୍ୟ ସାଧନା କ୍ଷେତ୍ରରେ ଅଧ୍ୟାପକ ବିଶ୍ୱରଞ୍ଜନ, ସାମ୍ବାଦିକତା କ୍ଷେତ୍ରରେ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ପରିବେଶ ଓ ପରିବେଶ ସୁରକ୍ଷା ପାଇଁ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ସଂସଦର ସମ୍ପାଦକ ଇଂ ବିଶ୍ୱମୋହନ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।