ବଡ଼ଦିନ : ଯୀଶୁଙ୍କ ଧରାବତରଣ
ଏକଦା ବାଗ୍ମୀ ଆଚାର୍ଯ୍ୟ ବଲ୍ଲଭ ଶାସ୍ତ୍ରୀଙ୍କୁ ତାଙ୍କର ଶିଷ୍ୟ ପଚାରିଲେ, ‘ଆଜ୍ଞା ଏବେ ଭଗବାନ ଅବତାର ଗ୍ରହଣ କରିବା କ’ଣ ବନ୍ଦ ହୋଇଗଲା ? କାରଣ ଏବେ ତ ତାଙ୍କ ଅବତାର ସଂପର୍କରେ ଆଉ କିଛି ଆଲୋଚନା ହେଉନାହିଁ ?’
ଆଚାର୍ଯ୍ୟ ଉତ୍ତରିଲେ, ‘ଯେ ସେ ହିନ୍ଦୁଧର୍ମର ଗୀତାରେ କହିଛନ୍ତି, ମଣିଷ ଏଣିକି ନିଜର ଦୋଷଦୁର୍ବଳତାକୁ ସମ୍ଭାଳି ଆଗେଇବାରେ ସମର୍ଥ । ତେଣୁ ଆଉ ଅବତାରର ଆବଶ୍ୟକତା ନାହିଁ । ତଥାପି ମୁଁ ଭିନ୍ନ ଭିନ୍ନ ମହାପୁରୁଷ ଯଥା- ବୁଦ୍ଧ,ମହାବୀର,ଯୀଶୁ,ନାନକ, ମହମ୍ମଦ,ଈସା, କବୀର, ସମର୍ଥ ରାମଦାସ ଏବଂ ରାମକୃଷ୍ଣ ପରମହଂସ ଇତ୍ୟାଦି ରୂପରେ ଧରାପୃଷ୍ଠରେ ଅବତରୀତ ହେବି ଏବଂ ତାଙ୍କରି ମାଧ୍ୟମରେ ମୁଁ ମଣିଷର ସେବା କରିବି ।’
ଏକଥା ଯଦି ସତ୍ୟ ହୁଏ ଯୀଶୁ ହିଁ ସେହି ଈଶ୍ୱର ଯିଏ କି, ମାନବ ରୂପରେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମଦିନକୁ ବଡ଼ଦିନ, ଖ୍ରୀଷ୍ଟମାସ ବା ଡିସେମ୍ବର ୨୫ କୁହାଯାଇଥାଏ । ଏ ତିନିକଥା ଯାକ ଏକା । ଏଠାରେ ଗୋଟିଏ କଥା ସ୍ମରଣ କରିଦେଉ ଯେ, ଖ୍ରୀଷ୍ଟପୂର୍ବ ଆରମ୍ଭରୁ ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ସେମିତି କିଛି ନିର୍ଦ୍ଦିଷ୍ଟ ତାରିଖ ନଥିଲା । ଏମିତିରେ ଜାନୁଆରୀ ୬, ମେ ୨୦, ନଭେମ୍ବର ୧୭, ମାର୍ଚ୍ଚ ୨୫ ଆଦି ବିଭିନ୍ନ ସମୟରେ ଯୀଶୁଙ୍କ ଜନ୍ମଦିନ ପାଳିତ ହେଉଥିଲା; କିନ୍ତୁ ଶେଷରେ ଆର୍ମେନିଆର କାଥୋଲିକ୍ ଚର୍ଚ୍ଚ ଡିସେମ୍ବର ୨୫ ତାରିଖକୁ ବଡ଼ଦିନ ଭାବେ ଘୋଷଣା କରିଥିଲା । ଏହାପରଠାରୁ ବିଶ୍ୱରେ ସର୍ବତ୍ର ଏହି ସମୟରେ ଖ୍ରୀଷ୍ଟମାସ ପାଳନ କରାଯାଉଛି ।
ହିନ୍ଦୁଧର୍ମରେ ଶ୍ରୀକୃଷ୍ଣଙ୍କ ଜନ୍ମପୂର୍ବରୁ ଯେମିତି ଭବିଷ୍ୟ ବାଣୀ ହୋଇଥିଲା ଯେ ଦେବକୀଙ୍କର ଅଷ୍ଟମ ଗର୍ଭରୁ ଯିଏ ଜନ୍ମ ନେବ ସେ କଂସକୁ ନିଧନ କରିବ ଏବଂ ପାପତାପ ନାଶ କରି ସୁଖଶାନ୍ତି ଫେରାଇବ । ଏହି କୃଷ୍ଣ କଂସର ବନ୍ଦୀଶାଳାରେ ଜନ୍ମ ହୋଇଥିଲେ । ଠିକ୍ ସେହିପରି ଯୀଶୁଙ୍କ ଧରାବତରଣ ପୂର୍ବରୁ ଭବିଷ୍ୟବାଣୀ ଥିଲା ଯେ ମେସିହା ଜନ୍ମ ନେବେ ଏବଂ ସେ ଏ ପୃଥିବୀର ଦୁଃଖକଷ୍ଟରୁ ତଥା ଅନ୍ୟାୟରୁ ଲୋକଙ୍କୁ ମୁକ୍ତି ଦେବେ । ଏହି ମେସିହା ହିଁ ହେଉଛନ୍ତି ଯୀଶୁ । ସେ ଶିଶୁ ରୂପେ ଜନ୍ମ ନେଲେ ବେଥଲିହିମର ଏକ ଜୀର୍ଣ୍ଣ ଗୋଶାଳାରେ । ତାଙ୍କ ମାଙ୍କ ନାମ ଥିଲା ମେରୀ ଓ ପିତାଙ୍କ ନାମ ଯୋଶେଫ । ସାଂସାରିକ ଦୃଷ୍ଟିକୋଣରୁ ମା’ ଗର୍ଭବତୀ ନଥିଲେ । ମାତ୍ର ପ୍ରେମମୟ ପରମପିତାଙ୍କ କୃପାରୁ ସେ ମାଆ ମେରୀଙ୍କ ଗର୍ଭରୁ ଜାତ ହୋଇଥିଲେ । ସେଦିନ ଥିଲା ଏହି ଡିସେମ୍ବର ୨୫ ତାରିଖ ଯାହାକି ପ୍ରଥମ ମହାନ୍ ଦିବସ ବା ବଡ଼ଦିନ ।
ଶୀତଦିନରେ ବିଭିନ୍ନ ପର୍ବ ମଧ୍ୟରୁ ଯେଉଁସବୁ ପର୍ବ ପାଳନ କରାଯାଏ ସେମାନଙ୍କ ମଧ୍ୟରେ ଏହି ବଡ଼ଦିନ ପର୍ବ ବଡ଼ ଆଡ଼ମ୍ବର ଭାବରେ ପାଳନ କରାଯାଏ । ଅଧିକାଂଶ ରାଷ୍ଟ୍ରରେ ଏହାକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି । ଏହି ଦିନଟି ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ବିଶେଷକରି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଏହାକୁ ଯାକଜମକରେ ପାଳନ କରନ୍ତି । ନିଜ ଘରକୁ ବେଶ୍ ସୌଖୀନ ଭାବରେ ବିଭିନ୍ନ ପ୍ରକାରର ରଙ୍ଗୀନ ଆଲୋକରେ ସଜାଇଥାନ୍ତି । ପ୍ରାୟତଃ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି ଏବଂ ବଡ଼ଦିନ ସକାଶେ ‘ବଡ଼ଦିନି’ ସୌଦା ପାଇଁ ସ୍ୱତନ୍ତ୍ର ବଜାରମାନ ସୃଷ୍ଟି ହୋଇଥାଏ । ପରସ୍ପରକୁ ସେମାନେ ଉପହାର ପ୍ରଦାନ କରନ୍ତି ଏବଂ ପାରସ୍ପରିକ ମଧୁର ସଂପର୍କର ମଜା ଉଠାନ୍ତି । ଖାଲି ସେତିକି ନୁହେଁ ଭୋଜି କରି ସାଙ୍ଗସାଥୀଙ୍କୁ ଆପ୍ୟାୟିତ କରନ୍ତି ଏବଂ ନିଜ ଘରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ମିଠା ଇତ୍ୟାଦି ଭୋଜନ ଆଦାନ ପ୍ରଦାନ କରିଥାନ୍ତି । ଘରେ ଘରେ ନାଚଗୀତର ଆସର । ସମସ୍ତଙ୍କ ଘରେ ଖ୍ରୀଷ୍ଟମାସ ଟ୍ରି(ଗଛ) ଏବଂ ତତ୍ସମ୍ବନ୍ଧି ସାଜସଜ୍ଜାରେ ଘରକୁ ସୁସଜ୍ଜିତ କରିଥାନ୍ତି । ସମସ୍ତେ କିନ୍ତୁ ଅପେକ୍ଷା କରିଥାନ୍ତି ରାତିରେ ପ୍ରତ୍ୟେକ ଘରକୁ ଆସୁଥିବା ଶାନ୍ତାକ୍ଲଜଙ୍କୁ କାରଣ ଶାନ୍ତା ନିଜ ଜିଙ୍ଗଲ ବେଲ୍ ଗୀତ ଗାଇ ଗାଇ ଆସେ ଏବଂ ଅନେକ ଆଶୀର୍ବାଦ ଦେବା ସହ ବିଭିନ୍ନ ମନଲୋଭା ଉପହାର ମଧ୍ୟ ଆଣିଦିଏ ।
ଏହି ଦିବସରେ ପ୍ରତ୍ୟେକ ଖ୍ରୀଷ୍ଟ ଧର୍ମାବଲମ୍ବୀ ବେଶ୍ ପ୍ରଫୁଲ୍ଲ ଏବଂ ଉଲ୍ଲସିତ ଥାଆନ୍ତି । ଏମିତି ବି ବିଶ୍ୱାସ କରାଯାଏ ଯେ ଯଦି ନିଜର ଅଜ୍ଞାତରେ ନିଜେ କିଛି ତ୍ରୁଟି କରିଯାଇଥାଏ ଏହି ପବିତ୍ର ଅବସରରେ ସେ ତ୍ରୁଟି ପାଇଁ କ୍ଷମା ମାଗିନିଅନ୍ତି । ଯୀଶୁ ହେଉଛନ୍ତି କ୍ଷମାର ଅବତାର । ସେ ଏମିତି ଜଣେ ପ୍ରଭୁ ଥିଲେ ଯେକି କହୁଥିଲେ କ୍ଷୁଧାର୍ତକୁ ଗଣ୍ଡେ ଖାଇବାକୁ ଦିଅ; ଲଙ୍ଗଳାକୁ ଖଣ୍ଡେ ଲୁଗା ଦିଅ; ନିଜର ଭୁଲ୍ ପାଇଁ ଅନୁତାପ କର; ଅନ୍ୟ ପାଇଁ ନିଜ ହୃଦୟର କରୁଣା ବିଂଚିଦିଅ ଏବଂ ଅନ୍ୟର କୃତକର୍ମ ପାଇଁ ସେମାନଙ୍କୁ କ୍ଷମା ଦିଅ ଏବଂ ନିଜ ପାଇଁ କ୍ଷମା ମାଗିନିଅ ।
ସେ ହେଉଛନ୍ତି ପ୍ରେମ ଓ କ୍ଷମାର ଅବତାର । ତେଣୁ ତାଙ୍କ ଜୀବନର ପରବର୍ତୀ ସମୟରେ ଯେତେବେଳେ ମିଥ୍ୟା ରାଜଦ୍ରୋହ ଅପରାଧରେ ତାଙ୍କୁ କ୍ରୁଶବିଦ୍ଧ କରାଗଲା ସେ ସେତେବେଳେ କହିଥିଲେ -‘ପିତା ! ଏମାନେ ଯାହା କରୁଛନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା ଦିଅ ।’
ଏହିପରି ପ୍ରଭୁ ଥିଲେ ସେ କ୍ଷମାସାଗାର, କରୁଣାମୟ ଏବଂ ପ୍ରେମମୟ ପ୍ରଭୁ । ସେ ଆଜି କେବଳ ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କର ନୁହଁ ସାରା ବିଶ୍ୱର ନମସ୍ୟ ଅଟନ୍ତି ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ,ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠା.
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା-୭୫୨୦୫୦,ମୋ : ୯୯୩୮୩୪୪୧୩୮


