ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଲେ ୨୦୮ ଭିନ୍ନକ୍ଷମ ଛାତ୍ରଛାତ୍ରୀ
ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର ) ଲାଲବଜାର ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଭିନ୍ନକ୍ଷମ ପିଲା ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି. ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ସ୍ବେଛାସେବୀ ସଂଗଠନ ସାଧନାର ନିର୍ଦେଶକ ରଞ୍ଜିତ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ. ଜିଲ୍ଲାର ୨୬ ଗୋଟି ବ୍ଲକରୁ ୨୦୮ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ. ସେଥିମଧ୍ୟରୁ ଶ୍ରବଣ ଓ ବାକ ଶକ୍ତି ବିଭାଗରୁ ୭୮ଜଣ, ଚଳନ ଶକ୍ତି ରହିତ ବିଭାଗରୁ ୭୮ ଜଣ, ମାନସିକ ଅନଗ୍ରସର ବିଭାଗରୁ ୨୬ ଜଣ ଓ ସ୍ୱଳ୍ପ ଦୃଷ୍ଟିବାଧିତ ବିଭାଗରୁ ୨୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ. ଶ୍ରବଣ ଓ ବାକ ଶକ୍ତି ବିଭାଗରୁ ବାରିପଦା ବ୍ଳକ ପୋଲିସ ଲାଇନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଶୀଷ କୁମାର ବେହେରା, ଚଳନ ଶକ୍ତି ରହିତ ବିଭାଗରୁ ଠାକୁରମୁଣ୍ଡା ବ୍ଳକ ଓଡିଶା ଆଦର୍ଶ ବିଦ୍ୟାଳୟ, ଦିଗଧରର ଛାତ୍ରୀ କଳ୍ପନା ମଲ୍ଲିକ, ମାନସିକ ଅନଗ୍ରସର ବିଭାଗରୁ କରଞ୍ଜିଆ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡଗାଁର ଛାତ୍ର ବାପୁନ ସୁତାର ଓ ସ୍ବଳ୍ପ ଦୃଷ୍ଟିବାଧିତ ବିଭାଗରୁ ବାରିପଦା ବ୍ଳକ ଶ୍ରୀପଦଗଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସସ୍ମିତା ଚାନ୍ଦ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି. ପ୍ରଥମ ସ୍ଥାନ ଅଧ୍ବକାର କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୭୬ ତମ ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରାଯିବ. ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବିରେନ୍ଦ୍ର କୁମାର ସାହୁ, ରୋହିତ କୁମାର ବିଶ୍ବାଳ, ରେଖାରଣୀ ଦାସ, ଦିଲ୍ଲୀପ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଅନ୍ତର୍ନିବେଶି ସାଧନ କର୍ମୀ କିଶୋର କୁମାର ସାହୁ ଧନ୍ୟବାଦ ଅପର୍ଣ କରିଥିଲେ.


