ସରସ୍ୱତୀ ପୂଜାରେ ପରିବେଶ ସୁରକ୍ଷାର ବାର୍ତ୍ତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜାକୁ ନିଆରା ଏବଂ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ସଂପ୍ରତି ଜଳବାୟୁର ଜ୍ୱାଳା ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ପରିବେଶ ଅନୁକୂଳ ପୂଜା କରିଛନ୍ତି ଶାନ୍ତନୁ । ନିଜର ପୁରୁଣା ଖାତାର ପ୍ରଚ୍ଛଦରୁ ବିଦ୍ୟାଦାତ୍ରୀଙ୍କ ଚିତ୍ର ସଂଗ୍ରହ କରି ସେଗୁଡ଼ିକୁ ଘରେ ସୁସଜ୍ଜିତ କରି ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ପୂଜାରେ ନା କୌଣସି ରାସାୟନିକ ପ୍ରଲେପଯୁକ୍ତ ରଙ୍ଗ ଥିଲା, ନା ଥିଲା ପରିବେଶ ପ୍ରଦୂଷଣର ଭୟ । ଏହା ଦେଖିବାକୁ ଯେତିକି ଆକର୍ଷଣୀୟ ଥିଲା ସେତିକି ପରିବେଶ ଅନୁକୂଳ ମଧ୍ୟ ଥିଲା । ବିଭିନ୍ନ ରାସାୟନିକ ଯୁକ୍ତ ରଙ୍ଗରେ ପ୍ରସ୍ତୁତ ମୂର୍ତ୍ତିର ବିସର୍ଜନ ଜଳ ପ୍ରଦୂଷଣ କରିବା ସହ ଜଳଚର ଜୀବମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ପ୍ରତିହତ କରିବା ପାଇଁ ଏଭଳି ପୂଜା ଗତବର୍ଷ ଠାରୁ ଶାନ୍ତନୁ କରି ଆସୁଛନ୍ତି । ଶାନ୍ତନୁଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।