ଇଶ୍ୱରଙ୍କୁ ଚିଠି

ଅନେକ ସମ୍ଭାବନା ଭିତରୁ ବାରିପଟେ ବାକି ଆଧାକ ଜାଗାରେ ଆଧାତୋଳା ଥିବା ଘରକୁ ପୁରା କରିବା ସମ୍ଭାବନାକୁ ସମ୍ଭବ କରିବାକୁ ଜନବଳ, ଧନବଳ, ମନୋବଳ ସାଙ୍ଗକୁ ଆମ୍ବ ଗଛଟା ହଣା ହେବା ଯେ ସୁନିଶ୍ଚିନ୍ତ ଏହା ଜାଣିବା ପରେ ସମ୍ଭାବନାର ସମ୍ଭବ ସ୍ବପ୍ନଟା ଠପ ହୋଇଯାଇଥିଲା ବୃନ୍ଦାବନବାବୁଙ୍କର . ପୁଅ କହୁଥିଲା ମୋ ପିଲା ହେଲେ ଆଉ ହଳଦିବସନ୍ତଟିଏ ଉଡିବାର ଦେଖିବାକୁ ପାଇବନି କି ଏଣ୍ଡୁଅ, ଝିଟିପିଟି, ଚମ୍ପେଇନେଉଳି, ଗୁଣ୍ଡୁଚିମୂଷା ସହିତ ପ୍ରଜାପତି, କଙ୍କି ଜାତୀୟ କୀଟ ପତଙ୍ଗ ଚିହ୍ନିବାକୁ ପାଇବନି, ଯାହାସବୁ ଚିତ୍ରରେ ବହିଭିତରେ ଦେଖିବ.ମାଆ ହସନ୍ତି କୁରୁଳେଇ. ମନ ଭାଙ୍ଗିଯାଏ ବୃନ୍ଦାବନବାବୁଙ୍କର ଯେ ଆଧାତୋଳା ଘରଟାକୁ ତାଙ୍କ ଜୀଵନକାଳରେ ବୋଧେ ଉଠେଇ ହେବ ନାହିଁ. ପୁଅ ତାର ପିଲାଳିଆମିରେ କଣ କହୁଛି ତ ମାଆର ମୁଚୁକୁନ୍ଦିଆ ହସ ବାହାରୁଛି.ସେଇ ଆମ୍ବଗଛ ଦେଇ ମୂଷା, ମାଙ୍କଡ଼ ଓ ଶେଷକୁ ସାପ ପଶିଲା ତ ପୁଅ କହୁଥିଲା ବାପା ଠିକ କହୁଥିଲେ. ଗଛ କାଟିବା ଉଚିତ ନୁହେଁ ସତ କିନ୍ତୁ ଗଛ ଲଗାଇବାର ସ୍ଥିତି ଓ ସ୍ଥାନ ନିରୂପଣ ଠିକ ରହିବା ଦରକାର. ଏମିତିରେ ଗୋଟେ ଆମ୍ବ କଷି ମଧ୍ୟ ମିଳେନା. ବଉଳ ହେବାଠୁ କଷି ହୋଇ ପାଚିଲା ପର୍ଯ୍ୟନ୍ତ ମାଙ୍କଡ଼ ଦାଉ ସାଧୁଥାଆନ୍ତି ଗଛ ଉପରେ. ବୃନ୍ଦାବନବାବୁ ଓ ପୁଅ ଆକାଶ ବୁଝିଗଲେଣି ଗଛଟିକୁ କାଟିବା ନିହାତି ଆବଶ୍ୟକ. ନକାଟିଲେ ଏକରେ ଘର ହୋଇପାରିବ ନାହିଁ ଦୁଇରେ ପଡୋଶୀ କଳିକୁ ଏଡାଇ ହେବନାହିଁ. ପଡୋଶୀଙ୍କ ଛାତ ଉପରେ ପତ୍ର ପଡିଲେ, ଡ଼ାଳ ବଢ଼ି ଲମ୍ବିଗଲେ ପ୍ରତିବାଦ. ମାଙ୍କଡ଼ ଓ ସାପ ପଶୁଛନ୍ତିର ଅଭିଯୋଗକୁ ମଧ୍ୟ ଏଡାଇ ଦିଆଯାଇନପାରେ. ଏସବୁ ସ୍ଥିତି ଓ ପରିସ୍ଥିତି କବଳିତ ବୃନ୍ଦାବନବାବୁଙ୍କ ବହୁଦିନର ସ୍ବପ୍ନ ବାଡିପଟ ଆଧାତୋଳା ଘରଟିକୁ ପୁରା କରିବା ସମ୍ଭାବନା ପାଖେଇ ଆସୁଥାଏ ତ ସେଦିନ ଗଛ କଟାଳି ପହଞ୍ଚିଗଲେ. ଚୂଡ଼ା କଦଳୀ ନଡ଼ିଆ ଗୋଳେଇ ଖାଇ ଗଛ ଉପରକୁ ଚଢିଗଲେ ଖପ ଖାପ .
ଘରଣୀ ଅନସୂୟାଙ୍କ ଛାତିର ହୃତସ୍ପନ୍ଦନ ବହୁଥାଏ. ଇଶ୍ୱରଙ୍କୁ ଡାକୁଥାଆନ୍ତି.ଏ ଗଛଟା ତାଙ୍କ ବାପାଙ୍କ ସ୍ମୃତି.ପୁରୀରୁ ସାବିତ୍ରୀ ଅମାବାସ୍ୟାରେ ତାଙ୍କ ଝିଅ ଅନସୂୟାଙ୍କ ପାଇଁ ଅଭଡ଼ା ସହିତ ଆମ୍ବ, ପଣସ ଇତ୍ୟାଦି ଫଳମୂଳ ଆଣି ଆସନ୍ତି. ସେସବୁ ଫଳ ଭିତରୁ ସେବର୍ଷ ଆଣିଥିବା ଦେଶୀ ଆମ୍ବ ଏତେ ମିଠା ଥିଲା ଯେ ଝିଅ ଅନସୂୟାଙ୍କ କଥାରେ ବାପା ଆମ୍ବ ଖାଇବା ପରେ ଟାକୁଆ ପୋତି ଦେଇଯାଇଥିଲେ ଯେ ତାହା ଆଜି ଦ୍ରୁମ.ପୁଣି ସେଥିରେ ପ୍ରତିବର୍ଷ ସେହି ଅଧାତୋଳା ଘର କାନ୍ଥିରେ ଭଦଭଦଳିଆ ଚଢେଇ ଦମ୍ପତ୍ତି ଛୁଆ ଫୁଟେଇ ଏଇ ଆମ୍ବ ଗଛ ଡ଼ାଲରେ ଛୁଆକୁ ଉଡ଼ା ଶିଖାନ୍ତି. ବାପା ତ ଆଉ ନାହାଁନ୍ତି କିନ୍ତୁ ବାପଘର ଗୋତ୍ର ଭାରଦ୍ୱାଜ ହୋଇଥିବାରୁ ଏଇ ଭଦଭଦଳିଆ ଚଢେଇଙ୍କୁ ଅନସୂୟାଙ୍କ ବାପା ନିଜ ଗୋତ୍ର ଚିହ୍ନ ରୂପେ ଭାରି ମାନିଥାଆନ୍ତି ତ ପିଲାବେଳୁ ସେ ପକ୍ଷୀ ପ୍ରତି ଅହେତୁକ ଆକର୍ଷଣ ଅନସୂୟାଙ୍କର. ବାପାଙ୍କ ପଛେ ପଛେ ତାଙ୍କ ବୋଉ ଚାଲିଯିବାର ଏ ଭିତରେ ବର୍ଷେ ଊପରେ ହେଲାଣି ତ ସେହି ପକ୍ଷୀ ଦୁହିଁଙ୍କୁ ଦେଖିଲେ ଅନସୂୟାଙ୍କୁ ଲାଗେ ସତେ ଯେମିତି ତାଙ୍କ ପିତା ମାତା ପକ୍ଷୀ ଭଦଭଦଳିଆ ରୂପରେ ଉଡି ଆସିଛନ୍ତି. ପ୍ରତିଦିନ ଲୁଚେଇ ଲୁଚେଇ ସେ ଦେଖିଯାଆନ୍ତି ପକ୍ଷୀ ଦୁହିଁଙ୍କୁ. ଅନୁସନ୍ଧାନ କରି ଆମ୍ବଗଛରେ ଠାଵ କରୁଥାନ୍ତି ପକ୍ଷୀ ଦୁହିଁଙ୍କୁ ତ ଏବେ ଆମ୍ବଗଛ ହଣା ହୋଇଗଲା ପରେ ଏସବୁ ଏକାନ୍ତ ବ୍ୟକ୍ତିଗତ କଥା ମଧ୍ୟ ସବୁଦିନ ତାଙ୍କ ଭିତରେ ଲୁପ୍ତ ହୋଇଯିବ. ଏମିତି ଭାବୁ ଭାବୁ ଖଣ୍ଡ ଖଣ୍ଡ ଆମ୍ବଡ଼ାଳ ତଳେ ପଡୁଥାଏ ହଣା ହୋଇ ତ ହଠାତ ପାଟି କରିଉଠିଲେ ବୃନ୍ଦାବନବାବୁ. ରୁହ ରୁହ ତ ହଣାଳୀଙ୍କ କାତି ସ୍ଥିର ହୋଇଗଲା. ଦଉଡିଗଲେ ମାଆ ଅନସୂୟା ଓ ପୁଅ ଆକାଶ. ଦେଖିଲେ ପକ୍ଷୀବସାଟିଏ ଖସିପଡ଼ିଛି ଆମ୍ବଡ଼ାଳ ଭିତରୁ ଓ ତା ଭିତରେ ଏକମାତ୍ର ଅଣ୍ଡାଟିଏ. ରଙ୍ଗଟି ଖୁବ ସୁନ୍ଦର.ଆକାଶ ପରି କିନ୍ତୁ ଗାଢ଼ ଆକାଶିଆ. ଠିକ ଭଦଭଦଳିଆ ପକ୍ଷୀର ପର ରଙ୍ଗ ପରି. କେତେ ସମ୍ଭାବନାର ସେ ପକ୍ଷୀ ଘର, ଦିନରାତି ଏକାକାର କରି ପକ୍ଷୀବସା କରିବା ଭଳି କଷ୍ଟ କାମ ଭିତରେ ଅଣ୍ଡା ଫୁଟି ପକ୍ଷୀ ଶାବକର ସମ୍ଭାବନା ସ୍ବପ୍ନ ଉଜାଡି ଦେଇ ଗଛକାଟିବାରୁ ବିରତି ନେଇ ଫେରିଗଲେ କଟାଳି. ଯିବାପୂର୍ବରୁ ପକ୍ଷୀବସାଟିକୁ ଠିକ ଠାକରେ ଗଛ ଉପରେ ରଖିଦେଇ ଯାଅ ବୋଲି କହିଥିଲେ ବୃନ୍ଦାବନ ବାବୁ . ପକ୍ଷୀଙ୍କ ଛୁଆ ଫୁଟି ବାହାରିସାରୁ ଗଛହାଣିବା କହିଥିଲେ ବୃନ୍ଦାବନବାବୁ. ସନ୍ଧ୍ୟାରେ ଗଛ ଉପରେ ଉଡି ଉଡି ଦୁଇ ଭଦଭଦଳିଆ ପକ୍ଷୀ ସନ୍ଧାନ କରୁଥିଲେ ତାଙ୍କ ସମ୍ଭାବନାକୁ ତ ଅନସୂୟା ଡାକି ଦେଖାଉଥିଲେ ସ୍ୱାମୀ ବୃନ୍ଦାବନ ଓ ପୁଅ ଆକାଶକୁ.କହୁଥିଲେ ଦେଖ ଦେଖ ପୁଅ ତୋ ପୁଅ ଝିଅ ହେଲେ ଭଦଭଦଳିଆ ପକ୍ଷୀ ଦେଖିବେ. ବୃନ୍ଦାବନବାବୁ ତାଙ୍କ ଘରତୋଳା ସମ୍ଭାବନାକୁ ଆମ୍ବଗଛ ପରି ଅନେକ ସମ୍ଭାବନାର ସ୍ଥଳୀକୁ ଆଉ କାଟିବେନି ବୋଲି ସ୍ଥିର କରିସାରିଥିଲେ ମନେ ମନେ ଏ ଭିତରେ .
ଆମ୍ବଗଛ କଟା ହୋଇନଥିଲା. ପକ୍ଷୀ ବସାକରୁଥିଲେ ସବୁ ବର୍ଷ ଆମ୍ବଗଛ ଡ଼ାଳରେ . ପୁଅ ଆକାଶ ବାହା ହୋଇ ତାର ପୁଅଟିଏ ହେଲା ବେଳକୁ ବାପା ମାଆ ଆଗପଛ ହୋଇ ଚାଲିଗଲେ. ଆମ୍ବଗଛ ପାଇଁ ପ୍ରତିବେଶୀଙ୍କର ଯେପରି କିଛି ଅସୁବିଧା ନହୁଏ ଅର୍ଥାତ ତାଙ୍କ ଛାତରେ ପତ୍ର ଜମା ହେବା,ଗଛଦେଇ ମାଙ୍କଡ଼ ବା ସାପ ସେପଟକୁ ନଯିବା ଇତ୍ୟାଦି କଥା ସବୁକୁ ନଜରରେ ରଖି ଡ଼ାଳ ହାଣୁ ହାଣୁ ଗଛ କୋରଡ଼ରେ ଗୁଣ୍ଡୁଚିମୂଷା ଦେଖି ଆକାଶର ପୁଅ ବାବା ବହୁତ ଖୁସି ହେଉଥିଲା ତ ଆକାଶ ଗୁଣ୍ଡୁଚିମୂଷା ବିଷୟରେ ସୁନ୍ଦର କାହାଣୀଟିଏ କହିଥିଲା ପୁଅ ବାବାକୁ. ତ୍ରେତୟା ଯୁଗରେ ରାମଙ୍କ ବନବାସ ସମୟରେ ମାତା ସୀତାଙ୍କୁ ରାବଣ ନେଇ ଅଶୋକ ବଣରେ ରଖିଥାଏ. ରାମଙ୍କ ଭକ୍ତ ହନୁମାନ ଉଡି ଉଡି ଯାଇ ସୀତାଙ୍କୁ ଠାଵ କରି ଆସିଥାଏ. ସୀତାଙ୍କୁ ଅସୁର ରାବଣ କବଳରୁ ରକ୍ଷା କରିବାକୁ ହେଲେ ଲଙ୍କାକୁ ଯିବାକୁ ସମୁଦ୍ର ପଥରେ ରାସ୍ତା ନିର୍ମାଣ ଜରୁରୀ ଓ ଅତ୍ୟାବଶ୍ୟକ ଥିବାରୁ ହନୁମାନ, ସୁଗ୍ରୀବ ଓ ବାନର ସେନା ମିଶି ଲଙ୍କାରେ ପହଞ୍ଚିବା ପାଇଁ ସମୁଦ୍ରରେ ସେତୁବନ୍ଧ ବାନ୍ଧୁଥାଆନ୍ତି. ଏହି ସମୟରେ ଛୋଟ ଗୁଣ୍ଡୁଚି ମୂଷାଟିଏ ସମୁଦ୍ରରେ ଦେହ ଧୋଇ ବାଲିରେ ଗଡି ଯାଇ ନିଜ ଦେହର ଧୂଳିକୁ ରାସ୍ତା ସେତୁବନ୍ଧରେ ଦେଉଥାଏ ଝାଡ଼ି. ଏ ଦୃଶ୍ୟ ଦେଖି ପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ନେହରେ ଗୁଣ୍ଡୁଚି ମୂଷା ପିଠିକୁ ତାଙ୍କ ହାତରେ ସାଉଁଳି ଦେବାରୁ ଗୁଣ୍ଡୁଚିମୂଷା ପିଠିରେ ପ୍ରଭୁଙ୍କ ସେହି ତିନି ଆଙ୍ଗୁଳିର ଚି଼ହ୍ନ ରହିଯାଇଛି ତିନିଗାର ହୋଇ. ଗପଟି ଶୁଣିବା ପରଠୁ ପୁଅ ବାବା ଭିତରେ ଅନେକ ଭାବନା.ସେ ପଚାରୁଥିଲା ଜେଜେ ଓ ଜେଜେମାଙ୍କ ଫଟୋ ଦେଖୁଛି ହେଲେ ସେ କଣ କଣ ଆଉ ସବୁ ଚିହ୍ନ ରଖିଛନ୍ତି କୁହ ବାପା? ଆମ୍ବଗଛଟିକୁ ଜାବୁଡି ବାପା ଆକାଶ କହୁଥିଲେ ଏଇ ଆମ୍ବଗଛକୁ ବଞ୍ଚାଇ ରଖିବାର ଚି଼ହ୍ନ ପୁଅ. ସେଇଦିନଠାରୁ ପୁଅ ବାବା ଗାନ୍ଧୀଜୟନ୍ତୀରେ ଗାନ୍ଧୀଙ୍କ ଗଛ କହି ବଉଳ ଗଛ, ଗୋପବନ୍ଧୁଙ୍କ ଜନ୍ମ ଦିନରେ ଶାଳ ଗଛ, ପୁଣି ସମସ୍ତ ବରପୁତ୍ର ଓ ଠାକୁର କୃଷ୍ଣଜନ୍ମ ରାମଜନ୍ମ, ସାଇବାବାଙ୍କ ଜନ୍ମ ଦିନରେ ମଧ୍ୟ ବର, ଓସ୍ତ, ଲିମ୍ବ, ଜାମୁ, ପିଆଶାଳ, ଅଁଳା ଆଦି ଗଛ ଚାରାସବୁକୁ ନିଜ ପକେଟ ଖର୍ଚ୍ଚରୁ କିଣି ପୋତି ଚାଲିଥିଲା.ବାପା ଆକାଶ ପଚାରିଲେ କହୁଥିଲା ଏସବୁ ଗଛର ଆୟୁଷ ଶହ ଶହ ବର୍ଷ ବାପା. ପ୍ରତିବର୍ଷ ଘରେ ପିତୃପୁରୁଷଙ୍କ ଶ୍ରାଦ୍ଧରେ ଯେମିତି ଆମେ ସେମାନଙ୍କୁ ମନେପକାଉ ସେମିତି ସ୍କୁଲ କଲେଜରେ ଜାତୀୟ ସ୍ତରର ବଡ଼ମଣିଷ ମାନଙ୍କ ଜନ୍ମଦିନ ପାଳନ କରାଯାଇ ଆମେ ତାଙ୍କୁ ମନେପକାଅଇ ପାରୁଛୁ. ସେମିତି ଏ ଗଛ ତଳେ ବସି ପ୍ରତ୍ୟେକ ବାଟୋଇ ଗଛ ଦେଖି ଓ ଗଛରେ ବଡ଼ ମନୀଷୀମାନଙ୍କର ନାମ ଫଳକ ଦେଖି ସେମାନଙ୍କ କାମର ସ୍ମୃତି ଚାରଣ କରିବେ. ଯେମିତି ଆଜି ଗୁଣ୍ଡୁଚିମୂଷା କାହାଣୀ ଶୁଣି ମନ ଭିତରେ ସେବା ପାଇଁ କିଛି ଦେବାକୁ ହୁଏ ବୋଲି ମନରେ ଆସୁଛି.ବାପା ଆକାଶ ଚୁପ ହୋଇଯାଇଥିଲେ ପୁଅ ବାବା କଥାରେ.
ଏ ଭିତରେ ବାବା ତାଙ୍କ ଘର ଆଗରେ ଲଗାଇଥିବା ବରଗଛଟି ଖୁବ ବଡ଼ ହୋଇଯାଇଥାଏ. ତା ମାଆ ପ୍ରତିଦିନ ସେହି ବରଗଛକୁ ପୂଜା କରନ୍ତି. ବାପା ମଧ୍ୟ ଛାତ ଉପରେ ବସି ଅନେକ ପକ୍ଷୀ ଦେଖୁ ଦେଖୁ ବାର୍ଡ ଚଢେଇ କଥା କହୁଥାନ୍ତି ବାବାକୁ.ବାବା ମନରେ ମଧ୍ୟ ଅନେକ ପ୍ରଶ୍ନ. ପକ୍ଷୀ ବା ଚଢେଇକୁ ଇଂରାଜିରେ ବାର୍ଡ କୁହାଯାଏ. ତେବେ ବାର୍ଡ ଚଢେଇ ବୋଲି କହୁଥିବା ବାପା ଅକାଶ ପୁଅ ବାବାକୁ ତାଙ୍କ ପିଲାଦିନ କଥା କହୁଥିଲେ. ପିଲାଦିନେ ଖାଇବା ପିଇବାକୁ ଅଝଟ ହେଲେ ତୋ ଜେଜେମା ମତେ ଏଇ ଚଢେଇକୁ ଦେଖେଇ କହେ ବାର୍ଡ ତୁ ଖାଇବୁ? ଆସ ଆସ ଖାଇବୁ କହିଲେ ମୁଁ କାଳେ ଖାଇନିଏ. ତା ପରଠୁ ସେହି ପକ୍ଷୀର ଏପରି ନାମକାରଣ ରହିଯାଇଛି ପୁଅ. ବାବା କହୁଥିଲା ମଣିଷ ଜନ୍ମ ହେଲେ ଦିନେ ମରିବ. ପ୍ରଭୁ ରାମଚନ୍ଦ୍ର ଓ ଶ୍ରୀକୃଷ୍ଣ ମଧ୍ୟ ମାନବ ଦେହ ଧରି ଦିନେ ଜନ୍ମ ହୋଇ ଦିନେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ତାଙ୍କ ବିଷୟରେ ବହି ରାମାୟଣ ଓ ମହାଭାରତ ପଢି, ପିଢ଼ି ପରେ ପିଢ଼ି ଯେମିତି ସବୁକଥା ଜାଣୁଛନ୍ତି ଘରେ ଘରେ ମଧ୍ୟ ଅନେକ କଥା କାହାଣୀ. ସେସବୁକୁ ଶବ୍ଦ ରୂପ ଦେଇ ଗଳ୍ପ କବିତା, କାହାଣୀ ଲେଖିବାର କେତେ ଆବଶ୍ୟକତା ରହିଛି ନା ବାପା. ଡିଜିଟାଲ ଯୁଗରେ ଆଉ ବହି କେହି କିଏ ପଢ଼ୁନାହାଁନ୍ତି କହିବା ଭାରି ସହଜ କିନ୍ତୁ ବହି ଲେଖି, ଛାପି, ଲାଇବ୍ରେରୀ କରି ରଖିଲେ ସମସ୍ତେ ପଢିବେ. ପୁଅର କଥା ଶୁଣି ବାପା ଆକାଶ ଭାବୁଥିଲେ ପୁଅ ତାଙ୍କର ଖୁବ ବଡ଼ ହୋଇଯାଇଛି. ଆକାଶ ଏବେ ଅବସର ପରେ ନିଜ ପିଲାଦିନ,ନିଜ ଚତୁଃପାଶ୍ୱରେ ଥିବା ପରିବେଶ ଓ ଅନୁଭୂତିକୁ ସବୁ ନେଇ ଶିଶୁଗଳ୍ପ, କବିତା ଲେଖୁଥିଲା ବେଳେ ବରଗଛଟିରେ ଥିବା ପକ୍ଷୀବସା ତାଙ୍କୁ ଲେଖିବା ପାଇଁ ନୂଆ ସମ୍ଭାବନା ଦେଇଚାଲିଥିଲା ନିଜ ପୁଅ ବାବାର କଥା ଭଳି. ଆଉ ସେ ଲେଖିଚାଲିଥିଲେ ଦୃଷ୍ଟାନ୍ତ ସହ ଅନେକ ବାର୍ତ୍ତା ନେଇ କାହାଣୀ ରୁପାନ୍ତର କରିବାକୁ ଇଶ୍ୱରଙ୍କ ସଦିଚ୍ଛାପୂର୍ଣ୍ଣ ଚିଠିର ଉତ୍ତରରେ ଯେମିତି.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

 

 

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ