ପୋଷ୍ଟମାଷ୍ଟରଙ୍କଠାରୁ ୮୦ ହଜାର ଟଙ୍କା ଥିବା ବ୍ୟାଗ ଲୁଟିନେଲେ ଦୁବୃର୍ତ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁଞ୍ଜିକଂୟା ଛକ – ଆସିକା ମୁଖ୍ୟରାସ୍ତା କଡ଼ରେ ଥିବା ଏକ ହୋଟେଲ ସମ୍ମୁଖରୁ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମ୍ୟ ପୋଷ୍ଟ ମାଷ୍ଟର ମନୋଜ କୁମାର ପଟ୍ଟନାୟକ ଙ୍କ ଠାରୁ ୮୦ ହଜାର ଟଙ୍କା ଥିବା ହ୍ୟାଣ୍ଡ ବ୍ୟାଗ କୁ ୪ ଦୁର୍ବୃତ୍ତ ଅଭିନବ ଉପାୟରେ କୌଶଳକ୍ରମେ ଲୁଟି ନେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ପୋଷ୍ଟମାଷ୍ଟର ଜଣକ ଗ୍ରାମୀଣ ଡାକ କାର୍ଯ୍ୟାଳୟ ରୁ ସଂଗୃହିତ ୮୦ ହଜାର ଟଙ୍କା ବ୍ୟାଙ୍କ ରେ ଡିପୋଜିଟ କରିବା ପାଇଁ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ତାଙ୍କ ସ୍କୁଟି (ନଂ. ଓଡ଼ି୦୭ ଏସି -୫୭୩୦) ଯୋଗେ ଦିଗପହଣ୍ଡି ଆସିଥିଲେ। ସେ ହୋଟେଲ ସମ୍ମୁଖରେ ସ୍କୁଟି ରଖି ଖାଇବା କୁ ଯାଇଥିଲେ।ଖାଇ ସାରିବା ପରେ ଟଙ୍କା ଥିବା ବ୍ଯାଗକୁ ସ୍କୁଟି ସମ୍ମୁଖରେ ଓହଳାଇ ପଦ୍ମନାଭପୁର ଗ୍ରାମ ସ୍ଥିତ ବ୍ଯାଙ୍କ କୁ ଯିବା ନିମନ୍ତେ ସ୍କୁଟି ଷ୍ଟାର୍ଟ କରିବା ବେଳେ ୨ ଟି ବାଇକ ଆସିଥିବା ୪ ଯୁବକ ତାଙ୍କରି କିଛି ଟଙ୍କା ପଡ଼ିଯାଇଥିବା କହିଥିଲେ। ମନୋଜ ଦୁବୃର୍ତ୍ତଙ୍କ କଥାରେ ପ୍ରଭାବିତ ହୋଇ ସ୍କୁଟି ଷ୍ଟାଣ୍ଡ ମାରି ପଛକୁ ଚାହୁଁଥିବା ବେଳେ ସେମାନେ ସ୍କୁଟି ରେ ଓହଳାଇଥିବା ଟଙ୍କା ଭର୍ତ୍ତି ବ୍ୟାଗ କୁ ଝାମ୍ପିନେଇ ବ୍ରହ୍ମପୁର ରାସ୍ତାରେ ଚମ୍ପଟ ମାରିଥିଲେ । ଏନେଇ ମନୋଜ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୧୭୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁବୃର୍ତ୍ତଙ୍କ ଗତିବିଧିକୁ ଯାଞ୍ଚ କରି ଫେରିଥିବା ଜଣାପଡିଛି । ଦିଗପହଣ୍ଡି ଭଳି ଜନଗହଳି ପୂର୍ଣ୍ଣ ରାସ୍ତାରେ ଗତ କିଛି ମାସ ହେଲା ଦୁବୃର୍ତ୍ତ ମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ସହ ସ୍ପଷ୍ଟ ଦିବାଲୋକରେ ସେମାନଙ୍କ ଟଙ୍କା ବ୍ୟାଗ କୁ ଛଡାଇ ନେଇ ଆସୁଥିବା ଅଭିଯୋଗ ହୋଇଛି ।


