ବାଲେଶ୍ଵର(ସରୋଜ ପଣ୍ଡା): ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ଏକ ସ୍ୱେଚ୍ଛାସେବୀ ସଂଗଠନ ମିଳିତ ସହଯୋଗରେ ଗତ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଏକ ସାମୁହିକ ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଓ ବିଧାୟିକା ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ରହି ବର କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ।ଏହି ବିବାହରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ସାଜି ଥିଲେ ଓ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଉଭୟ ବର ଓ କନ୍ୟା ପକ୍ଷ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଥିବା ବେଳେ ୨୦୦ରୁ ଅଧିକ ଲୋକ ଖାଇବାକୁ ନପାଇ ଖରାବେଳେ ବିବାହ ସ୍ଥଳରୁ ଭୋକିଲା ଫେରି ଆସିଥିଲେ।ସହର ମଧ୍ୟରେ ଏହି ବିବାହ କାର୍ଯ୍ୟକ୍ରମ ନକରି ଯାତାୟାତର ସୁବିଧା ନ ଥିବା ପଦ୍ମାବତୀ ପାର୍କ ରେ କରିବା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ମଧ୍ୟ ପ୍ରଶ୍ନବାଚୀ।ଏଠାରେ ଉଲ୍ଲେଖ ଯୋଗ୍ୟ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସବ୍ ରେଜିଷ୍ଟ୍ରି ଅଫିସ ରୁ ରେଜିଷ୍ଟ୍ରି ବିବାହ ଆବେଦନ କାରି ମାନଙ୍କ ଚିଠା ଆଣି ଏହି ବିବାହ କରାଯାଇଛି।ବିବାହିତ ଦମ୍ପତି ମାନଙ୍କ ମଧ୍ୟରୁ କିଛି ଦମ୍ପତିଙ୍କ ଆଗରୁ ବିବାହ ସାରି ସନ୍ତାନ ଥିବାର ଅଭିଯୋଗ ହୋଇଛି।ଏପରିକି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବର କନ୍ୟା ମାନେ ଗମନାଗମନର ସୁବିଧା ନଥିବା ପଦ୍ମାବତୀ ପାର୍କକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ପଦ୍ମାବତୀ ପାର୍କ ରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରି ପାର୍କ କର୍ତ୍ତୃପକ୍ଷ ଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ସନ୍ଦେହ ପ୍ରକାଶ କରି ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।ବିବାହ ସ୍ଥାନରେ ଜଣେ ଆତ୍ମଘୋଷିତ ମହିଳା ସମାଜସେବୀ ମାମଲତକାର ସାଜି ସବୁ ଅବ୍ୟବସ୍ଥା ସୃଷ୍ଟି କରିବା ଦେଖାଯାଇଥିଲା।