ଜଳବାୟୁ ପରିବର୍ତନର ପ୍ରଭାବ

ଏହା ନିସନ୍ଦେହ ଯେ, ଜଳବାୟୁର ପରିବର୍ତନ କେବଳ ପାଣିପାଗ ଏବଂ ଋତୁ ଉପରେ ପ୍ରଭାବ ପକାଉ ନାହିଁ । ଏହା ସାମାଜିକ ଜୀବନକୁ ପ୍ରଭାବିତ କରୁଥିବା ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି । ଯାହାକି ଗତ ଦଶନ୍ଧି ଧରି ସାମାଜିକ ଜୀବନଶୈଳୀ, କାର୍ଯ୍ୟ ଧାରାକୁ ପରିବର୍ତନ କରିଛି । ବିଶେଷ କରି ବାରମ୍ବାର ସାମୁଦ୍ରିକତ ବାତ୍ୟା, ବନ୍ୟା, ମରୁଡି ପରି ଜଳବାୟୁ ପରିବର୍ତନ ଜନିତ ପ୍ରାକୃତିକ ବିପର୍ଯ୍ୟାୟ ଯୋଗୁଁ ମାନବ ସମାଜର ଜୀବନଧାରାରେ ପରିବର୍ତନ ଘଟାଇଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ପଶ୍ଚିମବଙ୍ଗର ସୁନ୍ଦରବନ । ଯେଉଁଠି ୭୦ପ୍ରତିଶତ ଛାତ୍ୟଚାତ୍ରୀ ନିୟମିତ ସ୍କୁଲ ଯାଉନଥିବା ବେଳେ ୨୭ ପ୍ରତିଶତ ଅଧାରୁ ପାଠ ଛାଡିଛନ୍ତି । ସେହିପରି ୨୦୧୯ରୁ ୨୦୨୨ ମଧ୍ୟରେ ସୁନ୍ଦରବାଦ ଦ୍ୱୀପରେ ବାଲ୍ୟବିବାହ ଘଟଣାରୁ ଜଣାପଡିଛି ଯେ, ଜଳବାୟୁ ତଥା ପରିବେଶଜନିତ ଆର୍ଥୀକ ଦୁରାବସ୍ଥାର ଶିକାର ହୋଇ ସେମାନଙ୍କର ପରିବାର ଆର୍ଥୀକ ବୋଝ ସହ୍ୟ କରିନପାରି ଯେଉଁ ବୟସରେ ନାବଳାକ ପୁଅ, ଝିଅଙ୍କୁ ଲାଳନପାଳନ କରିବା କଥା, ସେମାନଙ୍କୁ ବିବାହ କରାଇ ଦେବାକୁ ବାଧ୍ୟ ହେଉଛନ୍ତି । ଏଭଳି ବିବାହ କନ୍ୟା ସନ୍ତାନକୁ ବେଆଇନ ଭାବେ ମାନବ ଚାଲାଣ କରାଇବାରେ ପଥ ସୁଗମ କରିଦେଉଛି । ଏହାର କାରଣ ହେଉଛି ବିବାହ ପୂର୍ବରୁ ବରପକ୍ଷରୁ ସାମାଜିକ ସ୍ଥିତି ତଥା ଘରଦ୍ୱାର, ବନ୍ଧୁବାନ୍ଧବଙ୍କ ସମ୍ପର୍କରେ କୌଣସି ଯାଂଚ କରାଯାଇନଥାଏ । ଯାହାର ପରିଣତି ସ୍ୱରପ ୨୩ପ୍ରତିଶତ ବଧୁବେଶରେ ସନ୍ଦିତ ନାବାଳିକା କନ୍ୟାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥାନ୍ତି । ଯାହାକି ସେମାନଙ୍କୁ ଅନ୍ୟତ୍ର ବିକ୍ରି କିମ୍ବା ଚାଲାଣ କରାଯାଇଥାଏ । ଏଭଳି ଅଭିଯୋଗ ଏବେ ଦିନକୁ ଦିନ ବଢିବାରେ ଲାଗିଛି । କହିବା ବାହୁଲ୍ୟ ଯେ, ଏହି ଘଟଣା କେବଳ ସୁନ୍ଦରବନରେ ସୀମିତ ରହିନାହିଁ । ଆମ ରାଜ୍ୟର ଦୁର୍ଗମ ଅଂଚଳ ତଥା ଗ୍ରାମାଚଂଳର ବହୁ ଗରିବ ଯୁବତୀଙ୍କୁ ବିନା ଖର୍ଚ୍ଚରେ ଦଲାଲଙ୍କ ଜରିଆରେ ପିତାମାତା ଅପରିଚିତ ଯୁବକ ସହ ବିବାହ କରାଇ ଦେଉଥିବା ଦେଖାଯାଏ । ପରବର୍ତୀ ସମୟରେ ସେହି ଯୁବତୀମାନଙ୍କର କୌଣସି ପତା ମିଳିନଥାଏ । ସେମାନଙ୍କୁ ଅନ୍ୟତ୍ର ବିକ୍ରୀ କରିଦିଆଯାଇଥାଏ । ଏଭଳି ଅଭିଯୋଗ ଏବେ ବଢିବାରେ ଲାଗିଛି । କେତେକ ଯୁବତୀ ନିର୍ଯ୍ୟାତନା ସହ୍ୟ କରିନପାରି ଖସି ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିଥାଏ । ସେମାନଙ୍କୁ ବେଶ୍ୟ ବୃତି କିମ୍ବା ଅନ୍ୟ ବେଆଇନ କାର୍ଯ୍ୟ କଳାପରେ ନିୟୋଜିତ କରାଯାଇଥିବା ଶୁଣିବାକୁ ମିଳେ । ସେହିପରି ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏଭଳି ଘଟଣା ଘଟୁଥିବା ଗଣମାଧ୍ୟମ ରିପୋର୍ଟ କୁହେ । ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ଜଳବାୟୁ ପରିବର୍ତନ ଜନିତ ବିପର୍ଯ୍ୟାୟ ଯୋଗୁଁ ଅନୁରୂପ ଘଟଣା ବୃଦ୍ଧି ପାଇବାରେ ଲାଗିଛ । ମିଳିତ ଜାତିସଂଘ ପପୁଲେଶନ ଫଣ୍ଡ(ୟୁଏନପିଏଫ)ରିପୋର୍ଟ ଅନୁଯାୟୀ, ବିଶ୍ୱବ୍ୟାପୀ ବାଲ୍ୟବିବାହ ଘଟଣା ଲଗାମହୀନ ଭାବେ ବଢି ଚାଲିଛି । କେନିଆଠାରୁ ଆରମ୍ଭ କରି ବଙ୍ଗଳାଦେଶ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତନ ଯୋଗୁଁ ପ୍ରାକୃତିକ ସମ୍ପଦ କମି କମି ଯାଉଥିବାବେଳେ ଏହାର ପ୍ରଭାବ ପରିବାର ଏବଂ ସାମାଜିକ ଜୀବନଶୈଳୀ ଉପରେ ପଡୁଛି । ଯାହାର ପରିଣତି ସ୍ୱରୁପ ବିଶ୍ୱରେ ବିଭିନ୍ନ ଗରିବ, ଅନୁନ୍ନତ ରାଷ୍ଟ୍ରରେ ବାଲ୍ୟବିବାହ ୩୩ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ତେବେ ୨୦୫୦ସୁଦ୍ଧା ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ଏବଂ ଶିଶୁ ସୁରକ୍ଷା ପାଇଁ ୟୁଏନପିଏଫ ଆକଳନ କରିଛି । ୟୁଏନପିଏଫ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅସହ୍ୟ ଜଳବାୟୁ ପରିବର୍ତନ ବିପର୍ଯ୍ୟାୟ ଯୋଗୁଁ ୮୫ଟି ରାଷ୍ଟ୍ରର ୨୪୨ ମିଲିଅନ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହୋଇଛି । ସେମାନେ ଅଧାରୁ ପାଠ ଛାଡିଛନ୍ତି କିମ୍ବା ନିୟମିତ ସ୍କୁଲ ଯାଉନାହାଁନ୍ତି । ଏହି ସଂଖ୍ୟା ଆହୁରି ଅଧିକ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏହା ନିସନ୍ଦେହ ଯେ, ଜଳବାୟୁ ପରିବର୍ତନ ଜନିତ ସ।।ମଜିକ ଜୀବନ ଶୈଳୀ ବିପର୍ଯ୍ୟାୟ ରୋକିବା ଲାଗି ଏକ ବିସ୍ତୃତ ନୀତି ବା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏଥିପ୍ରତି ନୀତି ନିର୍ଦ୍ଧାରକମାନେ ଅଗ୍ରାଧିକାର ଭିତିରେ ଧ୍ୟାନ ଦେବା ଆବଶ୍ୟକ । ବିଶେଷ କରି ଉପାନ୍ତ, ସମୟାନୁବର୍ତୀ ଏବଂ ଦୁର୍ଗମ ଅଂଚଳ ସମେତ ଗାଁ ଗହଳିରେ ଏଥିପ୍ରତି ସଚେତନତା ସହ ବ୍ୟାପକ ଯୋଜନା ପ୍ରସ୍ତୁତ ହେବା ଜରୁରୀ । ଆମ ଦେଶରେ ବହୁ ଯୋଜନା ରହିଛି । ମାତ୍ର ଜଳବାୟୁ ପରିବର୍ତନ ଦ୍ୱାରା ସାମାଜିକ ଜୀବନ ଯାତ୍ରାରେ ପରିବର୍ତନ ନେଇ ସେ ଭଳି କୌଣସି ଆଖିଦୃଶିଆ ଯୋଜନା ପରିଲକ୍ଷିତ ହୁଏ ନାହିଁ । ଛାତ୍ରଛାତ୍ରୀ, ବାଳିକା ଓ ଶିଶୁ ସୁରକ୍ଷା ପାଇଁ ଧ୍ୟାନ ଦେବା ଆବଶ୍ୟକ । ଆହୁରି ମଧ୍ୟ ଦେଶର ଜିଡିପି ଜଳବାୟୁ ପରିବର୍ତନ ଯୋଗୁଁ ପ୍ରଭାବିତ ହେଉଥିବା ଭାରତୀୟ ରିଜର୍ଭର୍ ବ୍ୟାଙ୍କ (ଆରବିଆଇ) ଆକଳନ କରିଛି । ମାନବ ଚାଲାଣ, ବାଲ୍ୟବିବାହ, ପାଠପଢା ପ୍ରଭାବକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରାଗଲେ ଏହା ସବୁ ବ୍ୟାଧିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବା ଆଶା ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ