ଶାନ୍ତି ଅଭିମୁଖେ ମଣିପୁର
ଜାତିଆଣ ହିଂସା ଉପଦ୍ରୃତ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ପରେ ରାଜ୍ୟପାଳ ଅଜୟ କୁମାର ଭାଲ୍ଲା ନିଜ ପାଖରେ ରଖିଥିବା ସମସ୍ତ ବେଆଇନ ଏବଂ ଲୁଟ ଅସ୍ତ୍ରଶସ୍ତ୍ରକୁ ସମର୍ପଣ କରିବା ପାଇଁ ସମସ୍ତ ସମ୍ପ୍ରଦାୟକୁ ଅନୁରୋଧ କରିବା ନିଶ୍ଚିତ ଭାବେ ଏକ ଯଥାର୍ଥ ପଦକ୍ଷେପ ଏବଂ ରାଜ୍ୟରେ ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇପାରିବ ବୋଲି କୁହାଯାଇପାରିବ । ତେବେ ରାଜ୍ୟପାଳ ଦେଇଥିବା ଅନ୍ତିମ ସମୟ ପୁରିଯିବାର ଅବ୍ୟବହିତ ପୂର୍ବରୁ ମୈତ୍ରେଇର କଠୋର ପନ୍ଥୀ ଗୋଷ୍ଠୀ ଆରମ୍ବାଇ ଟେଙ୍ଗୋଲ ଇମ୍ପାଲ ପଶ୍ଚିମରେ ୨୪୬ ବେଆଇନ ଅସ୍ତ୍ରଶସ୍ତ୍ର ସମର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୩ମେ’ ମାସ ଠାରୁ ତଥା ଦୀର୍ଘ ୨୩ମାସ ଧରି ମୈତ୍ରେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ଜାତିଗତ ଦଙ୍ଗାରେ ୨୦୦ର ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ପୋଡାଜଳାରେ ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି । ସେହିପରି ହଜାର ହଜାର ଲୋକ ପିଲାଛୁଆ ଧରି ଜୀବନ ବଂଚାଇବା ପାଇଁ ପଡୋଶୀ ରାଜ୍ୟଗୁଡିକରେ ଆଶ୍ରୟ ନେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ରାଜ୍ୟର କ୍ଷମତାସୀନ ବିଜେପି ସରକାର ବିଫଳ ହେବା ପରେ ଶେଷରେ କେନ୍ଦ୍ର ସରକାର ରାଜ୍ୟ ବିଧାନସଭାକୁ ନିଲମ୍ବନ ରଖିବା ସଙ୍ଗେ ସଙ୍ଗେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି । କହିବା ବାହୁଲ୍ୟ ଯେ, ରାଜ୍ୟରେ ଜାତିଗତ ଦଙ୍ଗା ଯେତିକି ଉଗ୍ର ହେଉଥିଲା, ସେହି ଅନୁପାତରେ ପୋଲିସ ଥାନା ଓ ଅସ୍ତ୍ରାଗାରରୁ ଲୁଟ ହୋଇଥିଲା । ଯେଉଁଥିରେ ଉଭୟ ମୈତ୍ରେଇ ଓ କୁକି ଜୋ ଗୋଷ୍ଠୀ ସମ୍ପୃକ୍ତ ଥିବାବେଳେ ନିରୀହ ଗ୍ରାମବାସୀଙ୍କୁ ନେଇ ଉଭୟ ସମ୍ପ୍ରଦାୟ ସ୍ୱତନ୍ତ୍ର ସଶସ୍ତ୍ର ମିଲିସିଆ ଗୋଷ୍ଠୀ ଗଠନ କରିଥିଲେ । ଯେଉଁଗୋଷ୍ଠୀ ପରସ୍ପର ବିରୁଦ୍ଧରେ ସଶସ୍ତ୍ର ହିଂସାକାଣ୍ଡରେ ବ୍ୟସ୍ତ ଥିଲେ । ମଣିପୁର ଏକ ସୀମାନ୍ତ ରାଜ୍ୟ । ଚୋରା ଅସ୍ତ୍ରଶସ୍ତ୍ରର ହବ୍ ଭାବେ ପରିଚିତ ମ୍ୟାଁମାରୁ ସୀମାନ୍ତ ଦେଇ ବ୍ୟାପକ ଅସ୍ତ୍ରଶସ୍ତ୍ର ମଣିପୁରକୁ ଆସୁଛି । ନିରାପତା ରକ୍ଷୀ ବାହିନୀ ତଲାସୀ ଅଭିଯାନ ସମୟରେ ସାମାନ୍ୟ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ବେଳେ ଏବେ ସୁରକ୍ଷା ବଳୟର ଯବାନମାନେ ହିଂସାମୁଖୀ ଗୋଷ୍ଠୀକୁ ନିରସ୍ତ୍ର ଏବଂ ହିଂସାକାଣ୍ଡ ନିୟନ୍ତ୍ରଣ ପାଇଁ ସଂଗ୍ରାମ ଅବ୍ୟାହତ ରଖିଛନ୍ତି । ରାଜ୍ୟପାଳଙ୍କ ଅନୁରୋଧ ପରେ ଚଳିତ ସପ୍ତାହରେ ଉଗ୍ରପନ୍ଥୀ ଗୋଷ୍ଠୀ ବିଭିନ୍ନ ସ୍ଥାନରେ ୧୦୦ରୁ ଉର୍ଦ୍ଧ୍ୱ ଲୁଟ ବେଆଇନ ଅସ୍ତ୍ରଶସ୍ତ୍ର ସମର୍ପଣ କରିଥିବା ଜଣାଯାଏ । ମଣିପୁରର ରାଜ୍ୟପାଳଙ୍କ ସୁରକ୍ଷା ପରାମର୍ଶଦାତା କୁଳଦୀପ ସିଂହଙ୍କ ସୂଚନା ଅନୁଯାୟୀ ରାଜ୍ୟର ପୋଲିସ ଥାନା ଓ ଅସ୍ତ୍ରାଗାରରୁ ୬୦୦୦ରୁ ଉର୍ଦ୍ଧ୍ୱ ବନ୍ଧୁକ ଓ ଗୁଳିଗୋଳା ଲୁଟ୍ ହୋଇଛି । ଲୁଟ ଅସ୍ତ୍ରଶସ୍ତ୍ରରୁ ମାତ୍ର ୧୨୦୦ ଅର୍ଥାତ ଏକ ପଂଚମାସ୍ତ୍ର ଜବତ ହୋଇଛି । ଅନ୍ୟପକ୍ଷରେ ହଜାର ହଜାର ଅସ୍ତ୍ରଶସ୍ତ୍ର ଏବେ ବି ଘୂରି ବୁଲୁଛି । ଉଲ୍ଳେଖଯୋଗ୍ୟ ଯେ, ଶେଷ ଥର ଗତ ଜାନୁୟାରୀ ୧ତାରିଖରେ ବିଦାୟୀ ମୁଖ୍ୟମନ୍ତ୍ରୀ ଏନ-ବିରେନ ସିଂହ ରାଜ୍ୟବାସୀଙ୍କୁ କ୍ଷମାମାଗିବାର କିଛି ଘଂଟା ପରେ ଇମ୍ପାଲ ପଶ୍ଚିମ ଜିଲ୍ଲାର କାଦଙ୍ଗବଣ୍ଡ ଅଂଚଳରେ ଶେଷଥର ପାଇଁ ବଡ ଧରଣର ଗୁଳିକାଣ୍ଡ ଘଟିଥିଲା । ଏହା ନିସନ୍ଦେହ ଯେ, ବ୍ୟାପକ ପରିମାଣରେ ଚୋରା ଅସ୍ତ୍ରଶସ୍ତ୍ର ଉପଲବ୍ଧ ହେଉଥିବାରୁ ମଣିପୁରରେ କିଛି ଅଂଚଳରେ ହିଂସାକାଣ୍ଡ ଲାଗି ରହିଥିବା ପୋଲିସ ରିପୋର୍ଟ କହେ । ସେହିପରି ହିଂସାକାଣ୍ଡ, ଗୁଳିକାଣ୍ଡ ରୋକିବାରେ ପୋଲିସ ଓ କେନ୍ଦ୍ରୀୟ ବାହିନୀ ପକ୍ଷରେ ଅତ୍ୟନ୍ତ କଷ୍ଟକର ଥିଲା । ଯାହାର ପରିଣତ ସ୍ୱରୁପ କଠୋର ପନ୍ଥୀ ଉଗ୍ରପନ୍ଥୀ ଗୋଷ୍ଠୀ ମୁଣ୍ଡ ଟେକିଥିଲା । ପରିଣତି ସ୍ୱରୁପ ଜାତିଗତ ଦଙ୍ଗା ରୋକିବାରେ ଏବଂ ଆଇନ-ଶୃଙ୍ଖଳା ପରିଣତି ନିୟନ୍ତ୍ରଣ କରିବାରେ ବିରେନ ସିଂହ ସରକାର ବିଫଳ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହୋଇନପାରେ । ଏବେ ଗତ ଦୁଇମାସ ଧରି କୌଣସି ବଡ ଧରଣର ହିଂସାକାଣ୍ଡ ଘଟି ନାହିଁ । ମିଲିସିଆ ଗୋଷ୍ଠୀ ଲୁଟ ଓ ବେଆଇନ ଅସ୍ତ୍ରଶସ୍ତ୍ର ସମର୍ପଣ ଆରମ୍ଭ ହୋଇଛି । ଏହା ନିଶ୍ଚିତ କେନ୍ଦ୍ର ସରକାରଙ୍କ ପାଇଁ ହିଂସାକାଣ୍ଡ ନିୟନ୍ତ୍ରଣ କରିବାରେ ଏବେ ଏକ ସୁଯୋଗ ଆସିଛି । କେନ୍ଦ୍ର ସରକାର ନୀରବ ନରହି ପରିସ୍ଥିତିର ସଦୂପଯୋଗ କରିବାର ସମୟ ଏବେ ଉପନୀତ ହୋଇଛି । ମଣିପୁର ଏବେ ଶାନ୍ତି ଅଭିମୁଖେ ଅଗ୍ରସର ହେଉଛି, ଏହା କୁହାଯାଇପାରେ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ