ବାର୍ଷିକ ଉତ୍ସବ ଓ ଶ୍ରୀହନୁମାନ ଜୟନ୍ତୀ

ବାଲେଶ୍ୱର (ସରୋଜ ପଣ୍ଡା): ଟାଉନ୍‌ହଲ ରୋଡ଼ରେ ଥିବା ଶ୍ରୀମହାବୀର ହନୁମାନ ମନ୍ଦିରରେ ସୁଦକ୍ଷ ବୈଦିକ ପଣ୍ଡିତ ବ୍ରାହ୍ମଣଙ୍କ ଦ୍ୱାରା ମନ୍ଦିର କମିଟିର ଆବାହକ ଡକ୍ଟର ଗୌରସାଧନ ମିଶ୍ର (ଧରଣୀ ନନା)ଙ୍କ ପରାମର୍ଶରେ ଯଥାବିଧି ବାର୍ଷିକ ଉତ୍ସବ ସହିତ ଶ୍ରୀହନୁମାନ ଜୟନ୍ତୀ ତା୧୪.୦୪.୨୦୨୫ରିଖରେ ଯଥୋଚିତ ଉତ୍ସବ ଓ ମାର୍ଯ୍ୟାଦାର ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପୂଜକ ପଣ୍ଡିତ କୃତିବାସ ପଣ୍ଡାଙ୍କ ପୌରାହିତ୍ୟରେ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଦିବସବ୍ୟାପୀ ଆୟୋଜିତ ଉତ୍ସବରେ ଷୋଡ଼ଶ ଉପଚାର ପୂଜା ସହିତ ହନୁମାନଙ୍କ ବୀଜମନ୍ତ୍ରରେ ବିଶ୍ୱକଲ୍ୟାଣ ନିମନ୍ତେ ୧୦୮୦ ଥର ହୋମଯଜ୍ଞ ଏବଂ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଓ ପୂର୍ଣ୍ଣାଳତୀ ସହ ୧୦୮ ଲଡ଼ୁ ଭୋଗ ଭକ୍ତି ଓ ପବିତ୍ରତାର ସହ ପାଳିତ ହୋଇଥିଲା ଏବଂ ଏହି ଅବସରରେ ମନ୍ଦିର କମିଟି ତରଫରୁ ଭକ୍ତମାନଙ୍କ ପାଇଁ ଲଡ଼ୁଭୋଗ ଓ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ଏହି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ଏବଂ ଏଥିରେ ମନ୍ଦିର କମିଟି ତରଫରୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ଦିର କମିଟିର ସଦସ୍ୟ ଓ ଶୁଭେଚ୍ଛୁ ବିଶେଷ ଭାବେ ଯୁବ କର୍ମକର୍ତ୍ତାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସୁପରିଚାଳିତ ହୋଇଥିଲା। ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତଙ୍କ ଦ୍ୱାରା ବିଧାୟକ ପାଣ୍ଠି ସରକାରୀ ଅନୁଦାନରେ ଏହି ମନ୍ଦିରର ଉନ୍ନତିକଳ୍ପେ ୨ ଲକ୍ଷ ଟଙ୍କା ଅର୍ଥରେ କାର୍ଯ୍ୟ ହୋଇଥିବାରୁ କମିଟି ତରଫରୁ ତାଙ୍କୁ ସମସ୍ତଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ମହାନ୍ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତି ଓ ଭକ୍ତମାନେ ଯୋଗଦାନ ଦେଇ ଶ୍ରୀହନୁମାନ ଚାଳିଶା ପାଠ ସହ ଜୟ ଶ୍ରୀରାମ, ଜୟ ଶ୍ରୀ ହନୁମାନ ଓ ଶଙ୍ଖଧ୍ୱନିରେ ସମଗ୍ର ଅଂଚଳକୁ ଭକ୍ତିମୟ କରିଥିଲେ। ଏଥିରେ ମନ୍ଦିର କମିଟିର ବରିଷ୍ଠ ସଦସ୍ୟ ସର୍ବଶ୍ରୀ ଲକ୍ଷ୍ମଣ କୁମାର ବାରିକ, ପ୍ରଶାନ୍ତ କୁମାର ଦାସ, ବସନ୍ତ କୁମାର ଦାସ, ରାଜେନ୍ଦ୍ର ବେହେରା, ରଞ୍ଜିତ ନନ୍ଦୀ, ସିଦ୍ଧାର୍ଥ ପ୍ରଧାନ, ଶାନ୍ତନୁ କୁମାର ଲେଙ୍କା ଓ ବିକ୍ରମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦାନ ଦେଇଥିଲେ। ଏହି ଉତ୍ସବର ସର୍ବସଫଳତା ପାଇଁ ମନ୍ଦିର କମିଟିର ଆବାହକ ଡକ୍ଟର ଗୌର ସାଧନ ମିଶ୍ର କମିଟିର ସବୁ ସଦସ୍ୟ ଓ ଶୁଭେନ୍ଦୁ ସମସ୍ତଙ୍କୁ ତାଙ୍କର ପୂର୍ଣ୍ଣ ସହଯୋଗ ପାଇଁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶେଷରେ ଶ୍ରୀ ହନୁମାନଙ୍କ କୃପାଭିକ୍ଷା କରି ସବୁ ଭକ୍ତ ତଥା ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ