ଆସିକାକୁ ମିଳିଲା ସଂଶୋଧିତ ପାଠ୍ୟପୁସ୍ତକ
ଆସିକା (ୱାଇଏନ୍ଏସ୍) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ସକାଶେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୯୦୦ରୁ ଉର୍ଦ୍ଧ୍ୱ ସଂଶୋଧିତ ପାଠ୍ୟପୁସ୍ତକ ପହଞ୍ଚିଥିବା ଜଣାପଡିଛି । ଯେଉଁଠିରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ବିଦ୍ୟାର୍ଥୀଙ୍କ ସକାଶେ ଝୁଲଣା ଏବଂ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସକାଶେ ସାହିତ୍ୟ ପାଠ୍ୟପୁସ୍ତକ ଥିବା ଜଣାପଡିଛି । ପିଲାଙ୍କ ପାଠପଢାରେ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇବା ଆରମ୍ଭ ହୋଇଛି । ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ପରେ ପାଠ୍ୟପୁସ୍ତକରେ କେତେକ ତୃଟିକୁ ନେଇ ବିବାଦ ଓ ଆପତ୍ତି ପରେ ଶିକ୍ଷାବିଭାଗ ପକ୍ଷରୁ ସଂଶୋଧିତ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇ ବଣ୍ଟନ ଆରମ୍ଭ ହୋଇଥିବା ଜଣାପଡିଛି । ଆବଶ୍ୟକୀୟ ସଂଶୋଧନ ପରେ ନୂତନ ପାଠ୍ୟପୁସ୍ତକକୁ ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଗାଇବା ପ୍ରୟାସ ଜାରି ରହିଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, କେ.ନୁଆଁପଲ୍ଲୀ, ଗଙ୍ଗାପୁର, ବଡଖୋଲି, ଭେଟନଇ, ବାବନପୁର, ଖାରିଆ, ହରିଡାପଦର, କାଳଷଣ୍ଢପୁୁର, ଆସିକା ସହର, ନଳବଣ୍ଟା ଇତ୍ୟାଦି ୧୩ଟି କ୍ଳଷ୍ଟର ଅଧୀନସ୍ଥ ୧୫୩ଟି ବିଦ୍ୟାଳୟରେ ପ୍ରାୟ ୧୧ ହଜାରରୁୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଶିକ୍ଷାବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୯୦୦ରୁ ଉର୍ଦ୍ଧ୍ୱ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ଅତିଶୀଘ୍ର ସେଗୁଡିକୁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ପାଇଁ ପଦକ୍ଷେପ ନିଆଯିବ ବୋଲି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା ସୂଚନା ଦେଇଛନ୍ତି ।


