ଇପିଏଫ୍ ପେନସନ୍ଭୋଗୀ ସଂଘ ବୈଠକ :୨୯ରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ୱର(ସରୋଜ ପଣ୍ଡା): କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍ (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି)ରୁ ମାସିକ ପେନ୍ସନ୍ ପାଉଥିବା କର୍ମଚାରୀମାନେ ଆସନ୍ତା ୨୯ ତାରିଖ ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଆହ୍ୱାନରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଦାବିପତ୍ର ଦିଆଯିବ। ମାସିକ ସର୍ବନିମ୍ନ ଏକହଜାର ଟଙ୍କା କିମ୍ବା ତହିଁରୁ କମ୍ ପାଉଥିବା ସମସ୍ତ ଇପିଏଫ୍ ପେନ୍ସନ୍ଭୋଗୀଙ୍କ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ଓ ମହଙ୍ଗାଭତ୍ତା ପ୍ରଦାନ ପାଇଁ ଦାବି କରାଯାଉଛି। ସେହିପରି ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରି ବର୍ଦ୍ଧିତ ପେନ୍ସନ୍ ଦେବାକୁ ଦାବି ହୋଇଛି। ଗୁରୁବାର ଦିନ ପୂର୍ବାହ୍ନରେ ଉଠାଜଳସେଚନ କର୍ମଚାରୀ ଭବନରେ ଜିଲ୍ଲା କମିଟିର କର୍ମକର୍ତ୍ତା ମଣ୍ଡଳୀ ବୈଠକ ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ରାଜ୍ୟ କମିଟିର ଆହ୍ୱାନକୁ ବାଲେଶ୍ୱର ଜିଲ୍ଲାରେ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ୨୦୧୮ ମସିହାରୁ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ଦାବିରେ ଇପିଏଫ୍ ପେନସନ୍ଭୋଗୀମାନେ ଦାବି ଓ ଆନ୍ଦୋଳନ କରୁଛନ୍ତି ବୋଲି ଜିଲ୍ଲା ସଂପାଦକ ବିଷ୍ଣୁପ୍ରସାଦ ମହାନ୍ତି ବୈଠକରେ ପ୍ରକାଶ କରିଥିଲେ। ସର୍ବଶ୍ରୀ ମାୟାଧର ନାୟକ, ଶ୍ୟାମସୁନ୍ଦର ଜେନା, ଜଳଧର ପଣ୍ଡା, ଶରତ ଚନ୍ଦ୍ର ଦଳାଇ ଓ ଦୁକୁଲ ଚନ୍ଦ୍ର ଘଡ଼ାଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୂର୍ଣ୍ଣଚନ୍ଦ୍ର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


