ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଂସ୍କୃତି ଭଵନରେ ଆଜି ପର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ, କେନ୍ଦୁଝର ଶ୍ରୀ ଅନନ୍ତ ନାୟକ ଯୋଗ ଦେଇ ଶ୍ରମିକମାନେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଜରିଆରେ ନାମ ପଞ୍ଜିକରଣ କରିବା ଓ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ଆର୍ଥିକ ସହାୟତାର ଫାଇଦା ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। ଆହୁରିମଧ୍ୟ ସାଂସଦ ଶ୍ରୀ ନାୟକ ଶ୍ରମିକମାନଙ୍କ ଶ୍ରମ ବଳରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହେଉଥିବା ଏବଂ ଶ୍ରମିକମାନଙ୍କ ସକଳ ଉନ୍ନତି ଓ ସାମାଜିକ ନିରାପତ୍ତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଥିବା ସମସ୍ତ ବ୍ୟବସ୍ଥା ସମ୍ବନ୍ଧରେ ବିସ୍ତୃତ ସୂଚନା ଦେବା ସହିତ ଶ୍ରମିକ ଭାଇ ଭଉଣୀ ମାନେ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଗୁଡିକର ସୁଫଳ ପାଇପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ଏହି ସଭାରେ ସମ୍ମାନନୀୟ ଅତିଥିରୂପେ ମାନ୍ୟବର ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ମାନ୍ୟବର ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡ଼ି, କେନ୍ଦୁଝରଗଡ଼ ପୌରପରିଷଦ ଅଧ୍ୟକ୍ଷା ନିକୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରମିକ ମାନେ ସେମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଅଧିକାର ସମ୍ପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ ।ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସୂର୍ଯ୍ୟକାନ୍ତ ମାଳି ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ଉଦ୍ଦେଶ୍ୟ ଓ କେନ୍ଦୁଝର ଜିଲ୍ଲାରେ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବିବାହ ସହାୟତା ପାଇଁ ୫୭ ଜଣଙ୍କୁ  ୨୮,୦୦,୦୦୦ ଟଙ୍କା, ହିତାଧିକାରୀଙ୍କୁ ମୃତ୍ୟୁ ଜନିତ ସହାୟତା ପାଇଁ ୩୯ ଜଣଙ୍କୁ  ୯୨,୦୦,୦୦୦ଟଙ୍କା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୩୭ ଜଣଙ୍କୁ ୧,୮୫,୦୦୦ ଟଙ୍କା, ପ୍ରସୂତୀକାଳୀନ ସହାୟତା ବାବଦରେ ୪ ଜଣଙ୍କୁ  ୪୦,୦୦୦ ଟଙ୍କା, ଶିକ୍ଷାବୃତ୍ତି ସହାୟତା ବାବଦରେ ୨୧ ଜଣଙ୍କୁ ୨,୨୦,୦୦୦ ଟଙ୍କା ସମୁଦାୟ ୧୫୮ ଜଣଙ୍କୁ ୧,୨୪,୪୫,୦୦୦ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା । ୨୦୦ ଜଣ ହିତାଧିକାରୀ ଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଆକାଶ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ, ଜିଲ୍ଲା ଶ୍ରମ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ