୧୨ ବର୍ଷ ପରେ ଠାକୁରାଣୀ ଯାତ୍ରା ; ଓଡ଼ାସିଙ୍ଗି ଗାଁ ଉତ୍ସବ ମୁଖର
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ‘ ରମାଦେବୀ ବୁଢ଼ୀଠାକୁରାଣୀ ଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ ହୋଇଛି। ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି ।ନାଚ ଗୀତ ରେ ଗାଁ ଦୁଲୁକୁଛି ।ଯାତ୍ରା ପରିଚାଳନା କମିଟି ସଭାପତି ବାଲ ଗୋପାଳ ସାହୁ , ଉପସଭାପତି ପି . ରାମେଶ୍ଵର ପାତ୍ର , ସମ୍ପାଦକ ଜି . କ୍ଷେତ୍ର ମୋହନ ରେଡ୍ଡୀ , ସହ ସମ୍ପାଦକ ଅଜୟ ରେଡ୍ଡୀ , କୋଷାଧ୍ୟକ୍ଷ ଶଙ୍କର ସେଠୀ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବହରି ଗୈାଡ , ସେବାୟତ କାଳିଆ ପାତ୍ର , ଭଗବାନ ପାତ୍ର , ବସନ୍ତ ପାତ୍ର , ସୁଦାମ ଚରଣ ପାତ୍ର,ଯାତ୍ରା ପରିଚାଳନା କମିଟି ସଦସ୍ୟ ବୃନ୍ଦ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଙ୍କ ଉପସ୍ଥିତିରେ ରବିବାର ବିଳମ୍ବିତ ସନ୍ଧ୍ଯାରେ ଗ୍ରାମର ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଯାତ୍ରା ପାଇଁ ମା ‘ ଙ୍କୁ ଆବାହନ କରାଯାଇଥିଲା। ମା ‘ ଙ୍କ ମସ୍ତକ ରୁ ଫୁଲମଣ୍ଡା ଖସିବା ପରେ ତାହାକୁ ତାଟରେ ରଖାଯାଇ ବିଭିନ୍ନ ନୃତ୍ୟ ବାଦ୍ୟ ବାଜଣା ଆତସବାଜି ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଗ୍ରାମର ଉପସ୍ଥିତ ବହୁ ସଂଖ୍ୟକ ମହିଳା ଶ୍ରଦ୍ଧାଳୁ ଙ୍କ ହୁଳହୁଳି ବାଦ୍ୟ ବାଜଣା ର ତାଳେ ତାଳେ ମା ‘ ବୁଢ଼ୀ ଠାକୁରାଣୀ ଅସ୍ଥାୟୀ ଯାତ୍ରା ପୀଠ ରେ ପ୍ରବେଶ କରିଥିଲେ। ସୋମବାର ସକାଳୁ ଅସ୍ଥାୟୀ ଯାତ୍ରା ପୀଠରେ ମା ‘ ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ଆଖପାଖ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଦୀର୍ଘ ୧୨ ବର୍ଷ ପରେ ଗ୍ରାମରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଗ୍ରାମବାସୀ ବେଶ୍ ଉତ୍ସାହିତ ରହିଛନ୍ତି । ପ୍ରତ୍ୟେକ ଦିନ ଯାତ୍ରା ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମିନା ବଜାର ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ୍ ଆକର୍ଷଣ କରିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ସୋମବାର ଯାତ୍ରାର ଦ୍ବିତୀୟ ଦିବସ ସନ୍ଧ୍ଯାରେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଙ୍କୁ ଦେଖିବାକୁ ଯାତ୍ରା ପୀଠ ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସେହିପରି କଣ୍ଠଶିଳ୍ପୀ କିଶୋର ବେହେରା ଏବଂ ଅସିନାଙ୍କ ସଙ୍ଗୀତରେ ଦର୍ଶକ ବେଶ୍ ଝୁମିଥିଲେ । ଆସନ୍ତା ୧୧ ତାରିଖ ବିଳମ୍ବିତ ରାତି ରେ ମା ‘ ବୁଢ଼ୀ ଠାକୁରାଣୀ ସ୍ବମନ୍ଦିର ପ୍ରତ୍ୟାଗମନ କରିବା ପରେ ଯାତ୍ରା ଉଦଯାପିତ ହେବ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।


