୮ ବର୍ଷ ପରେବି ଦିନ ମଜୁରୀଆଙ୍କୁ ମିଳୁନି ରାସନ କାର୍ଡ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତର ଖଇରାବାଦ ଗ୍ରାମର ଦଳିତ ଯୁବକ ଗୋବିନ୍ଦ ଚନ୍ଦ୍ର ମଲିକ ବୃତ୍ତିରେ ଜଣେ ଦିନ ମଜୁରୀଆ । ପରଘରେ କାମକଲେ ନିଜ ତେଲ ଲୁଣ ସଂସାର ଚଳିଥାଏ । ସେ ଜଣେ ୱାର୍ଡ ମେମ୍ବର ମଧ୍ୟ। ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ହେବ ରାସନ କାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କର ରାସନ କାର୍ଡ ହୋଇପାରୁନାହିଁ । ସେ ବାରମ୍ବାର ବ୍ଲକଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣିି କିନ୍ତୁ ରାସନ କାର୍ଡ ମିଳିପାରୁନାହିଁ। ଗୋବିନ୍ଦଙ୍କର ପରିବାର କହିଲେ ପତ୍ନୀ ଏବଂ ଗୋଟିଏ ପୁତ୍ର। ୩ଜଣଙ୍କୁ ନେଇ ଗୋବିନ୍ଦଙ୍କ ପରିବାର। କେନ୍ଦ୍ର ସରକାର ଗରିବଙ୍କ ପାଇଁ ଡ଼ିଣ୍ଡିମି ନାଗରା ପିଟୁଥିବା ବେଳେ ଖଇରାବାଦରେ ତାହା ସମ୍ପୂର୍ଣ୍ଣ ଭାବେ ବ୍ୟତିକ୍ରମ ପାଲଟିଛି । ଏଠି ଦିନ ମଜୁରୀଆଟି ବଞ୍ôଚବା ପାଇଁ ସଂଘର୍ଷ କରିଚାଲିଛି। ଖଣ୍ଡେ ରାସନ କାର୍ଡ ପାଇଁ ବାର ଦ୍ୱାର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି । କିନ୍ତୁ ସରକାରୀ ଚାକିରିଆ ଏଠି ରାସନ କାର୍ଡ ହାତେଇବାରେ ଲାଗିପଡିଛନ୍ତି । କିନ୍ତୁ ଗରିବ ଲୋକଟି ସରକାରଙ୍କ ରାସନକାର୍ଡ ଯୋଜନାରୁ ବାଦ ପଡୁଛି । ଏହା ହେଉଛି ବାସ୍ତବ ସତ୍ୟ ଓ ସରକାର ପ୍ରକୃତ ହିତାଧିକାରୀଙ୍କୁ ଚି଼ହ୍ନଟ ପ୍ରକ୍ରିୟା କେଉଁଠି ନାଁ କେଉଁଠି ପଥ ଭ୍ରଷ୍ଟ ହୋଇଛି । ଥିଲାବାଲା ଏଠି ସରକାରୀ ଯୋଜନା ହାତେଇବାରେ ଲାଗିଥିବା ବେଳେ ନଥିଲାବାଲା ଏଠି କଣଠେସା ହୋଇପଡିଛି ।


