ନକଲି ପୁଲିସଙ୍କୁ ବାନ୍ଧିଲା ଅସଲି ପୁଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ସମ୍ମୁଖ ମୁଖ୍ୟ ରାସ୍ତାରେ ସାଧା ପୋଷାକରେ ରହି ପଥଚାରୀଙ୍କୁ ଟାର୍ଗେଟ କରି ସେମାନଙ୍କ ଠାରୁ ଚାଲାଣ କାଟିବା ବାହାନାରେ ଲୁଟ୍ ମାମଲାରେ ଦିଗପହଣ୍ଡି ପୁଲିସ ବୁଧବାର ଦୁଇ ନକଲି ପୁଲିସ ଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ଦ୍ବୟ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ତାରସ ଗ୍ରାମର ମହେଶ୍ବର ଦଳାଇ ଓରଫ୍ ଜଗନ ଏବଂ ଗଣେଶ ଜେନା ଓରଫ ଗଣେଶ । ମଙ୍ଗଳବାର ସକାଳ ପ୍ରାୟ ୮ ଟା ରେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ସଇଲଙ୍ଗ ଗ୍ରାମର କପଡା ବ୍ୟବସାୟୀ ଦିଲରାଜ ଛିନଛାନୀ ଏବଂ ତାଙ୍କ ଶଳା ଆଇମୋଶ ପାନି ନିଜ ବାଇକ ନଂ. ( ଓଡି ୨୦ ବି ୨୦୪୯) ଯୋଗେ ବ୍ରହ୍ମପୁର ଯାଉଥିଲେ । ସେହି ସମୟରେ ଅଭିଯୁକ୍ତ ଦ୍ବୟ ସେମାନଙ୍କୁ ପୁଲିସ ପରିଚୟ ଦେଇ ଥାନା ସମ୍ମୁଖ ଚେକ୍ ଗେଟ ନିକଟରେ ଅଟକାଇଥିଲେ । ଏହାପରେ ଦ୍ରୁତ ଗତିରେ ଗାଡି ଚଳାଉଥିବା କହି ଚାଲାଣ କାଟିବା ପାଇଁ କହିଥିଲେ । ସେମାନେ ଅରାଜି ହେବାରୁ ଥାନାକୁ ଯିବାକୁ କହିଥିଲେ । ସେମାନଙ୍କ ଟଙ୍କା ଭର୍ତ୍ତି ବ୍ଯାଗକୁ ଅଭିଯୁକ୍ତ ମାନେ ଧରି ଥାନା ଆଡକୁ ଯାଇଥିଲେ । କିନ୍ତୁ ଥାନା ଗେଟରେ କିଛି ପୁଲିସ ରହିଥିବା ଦେଖି ଲୁଟେରା ମାନେ ସେଠାରୁ ସେଠାରୁ ଦ୍ରୁତ ଗତିରେ ବାଇକ ଯୋଗେ ଚମ୍ପଟ ମାରିବାକୁ ଉଦ୍ୟମ କରିବାବେଳେ ବାଇକ ସହ ପଡ଼ିଯାଇଥିଲେ। । ବ୍ୟବସାୟୀ ମାନେ ଦିଗପହଣ୍ଡି ଥାନାରେ ଉପସ୍ଥିତ ପୁଲିସ କର୍ମଚାରୀ ମାନଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସ ଟିମ୍ ସେମାନଙ୍କ ପିଛା କରି ଲୁଟେରା ଦ୍ବୟ ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପୁଲିସ ସେମାନଙ୍କ ନିକଟରୁ ନଗଦ ଏକଲକ୍ଷ ଟଙ୍କା , ଦୁଇଟି ମୋବାଇଲ ଫୋନ , ଏକ ବାଇକ୍ ଜବତ କରିଛନ୍ତି । ଏନେଇ ଦିଗପହଣ୍ଡି ଥାନା କେସ୍ ନଂ. ୧୮୨/୨୫ ପ୍ରକାରେ ଅଭିଯୁକ୍ତ ଦ୍ବୟ ଙ୍କୁ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।