ତାମିଲନାଡୁରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଦିଗପହଣ୍ଡି(ଅଳକ ନାଥ ମିଶ୍ର)ତାମିଲନାଡୁ ରାଜ୍ୟର ଶିବଗଙ୍ଗା ଜିଲ୍ଲା ମାଲକୋଟାଇ ଗ୍ରାମରେ ଥିବା ମେଘା ବ୍ଳ୍ଯୁ ମେଟାଲ କମ୍ପାନୀରେ କାମ କରୁଥିବା ବେଳେ ଏକ ପଥର ଖସିଯିବା ଫଳରେ ଚାପି ହୋଇ ଜଣେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ହେଲେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୁଶପଡା ଗ୍ରାମ ଚମ୍ପା ସାହିର ବି . ଅରକ୍ଷିତ ଦୋରା(୨୮)। ସୂଚନା ପ୍ରକାରେ, ଅରକ୍ଷିତ ଦୀର୍ଘ ବର୍ଷ ଧରି ଉକ୍ତ କ୍ରସର କମ୍ପାନୀରେ ଜେସିବି ଚାଳକ ରୂପେ କାର୍ଯ୍ୟ କରି ଆସୁଥିଲେ । ଗତ ଦୁଇବର୍ଷ ପୂର୍ବେ ବିବାହ କରିଥିବା ବେଳେ ନିକଟରେ ତାଙ୍କର ଏକ ୬ ମାସର ଶିଶୁ ମଧ୍ୟ ରହିଅଛି । ପରିବାର ଚଳାଇବା ନିମନ୍ତେ ସେଠାରେ ସେ କାମ କରୁଥିଲେ । ସୋମବାର ସକାଳ ୧୦ ଟା ସମୟରେ କ୍ରସର ନିକଟରେ କାମ କରୁଥିବା ବେଳେ ହଠାତ ଏକ ବଡ଼ ପଥର ଖସି ପଡ଼ିଥିବାରୁ ସେହି ପଥର ତଳେ ୬ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ଦୀର୍ଘ ଘଣ୍ଟାର ଖୋଜାଖୋଜି ପରେ ମଙ୍ଗଳବାର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେଥିମଧ୍ୟରୁ ସେଠାକାର ୪ ଜଣ ରହିଥିବା ବେଳେ ଅରକ୍ଷିତଙ୍କ ମଧ୍ୟ ମୃତଦେହ ମିଳିଥିଲା । ବୁଧବାର ମଧ୍ୟ ଅନ୍ଯ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ କମ୍ପାନୀ ପକ୍ଷରୁ ଅରକ୍ଷିତଙ୍କ ପରିବାରକୁ ସୂଚନା ଦିଆଯିବା ପରେ ପରିବାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ମଙ୍ଗଳବାର ପରିବାର ଲୋକେ ସେଠାରେ ପହଞ୍ଚି ଥିବା ଖବର ମିଳିଥିଲେ ମଧ୍ୟ ଅରକ୍ଷିତଙ୍କ ଶବ ଭିଟାମାଟିକୁ ଆଣିବା ଏବଂ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।


