ଢଳି ପଡ଼ିଥିବା ମନ୍ଦିରକୁ ସିଧା କରିଦେଲେ ହରିଆନ୍ନା ମିସ୍ତ୍ରୀ
ହାଟଡିହି(ବିକାଶ ବିଶ୍ବାଳ): ୧୨ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ମା ମଙ୍ଗଳା ମନ୍ଦିରଟି ଢଳି ଯାଇ ବିପଦ ସଙ୍କୁଳ ହୋଇ ପଡିଥିବା ବେଳେ ତାକୁ ଅକ୍ଷତ ଅବସ୍ଥାରେ ସିଧା କରିଦେଲେ ହରିଆନ୍ନାର କିଛି ମିସ୍ତ୍ରୀ। ସୂଚନାରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ମଟରାଗଡିଆ ଗ୍ରାମରେ ପୋଖରୀ ନିକଟରେ ୧୨ବର୍ଷ ପୂର୍ବେ ଏକ ମଙ୍ଗଳା ମନ୍ଦିର ପ୍ରତିଷ୍ଠା କରିଥିଲେ। କିନ୍ତୁ ଗତ କିଛିମାସ ହେଲା ମନ୍ଦିରଟି ପୋଖରୀ ପଟକୁ ଢଳିବା ଆରମ୍ଭ କରିଥିଲା। ଦିନକୁ ଦିନ ଅଧିକ ଅଧିକ ଢଳିବା ଦ୍ୱାରା ମନ୍ଦିରଟି ଅସୁରକ୍ଷିତ ହୋଇ ପଡ଼ିଥିଲା। ୩୦ଫୁଟରୁ ଊର୍ଦ୍ଧ୍ବ ଉଚ୍ଚତା ବିଶିଷ୍ଟ ମନ୍ଦିରକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେନେଇ ଗ୍ରାମବାସୀ ମାନେ ଚିନ୍ତିତ ହୋଇ ପଡ଼ିଥିଲେ। ଏହିପରି ନୂତନ ମନ୍ଦିରଟିଏ ନିର୍ମାଣ କଲେ ୮ରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯିବ ଜାଣିବା ପରେ ଗ୍ରାମର କିଛି ବ୍ୟକ୍ତି ଜଗ ସାହାଯ୍ୟରେ ଟେକି ସିଧା କରିବା ପାଇଁ ମିସ୍ତ୍ରୀ ଖୋଜିଥିଲେ। ନାରଣ ନାୟକ, କୈଳାଶ ନାୟକ, ସୁଧାଂଶୁ ନାୟକ, ଦାଶରଥି ସେଠୀ, ରତ୍ନାକର ପ୍ରଧାନ ପ୍ରମୁଖ ଗ୍ରାମବାସୀଙ୍କ ଉଦ୍ୟମରେ ଏବେ ହରିଆନ୍ନାରୁ ଏକ ଇଞ୍ଜିନିୟରଂ ସଂସ୍ଥାର ମିସ୍ତ୍ରୀ ମାନେ ଆସି ଜଗ ସାହାଯ୍ୟରେ ମନ୍ଦିରକୁ ଉଠାଇ ସିଧା କରିଛନ୍ତି। ୧୫ଦିନ ହେବ ଏହି କାମ ଚାଲୁଥିବା ବେଳେ ଏହି କାମ ଆହୁରି ୬/୭ଦିନ ଲାଗିଯିବ। ଏହି କାର୍ଯ୍ୟରେ ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରୁଥିବା ଦେଖିବାକୁ ମିଳିଛି।