ଜନ୍ମଦିନରେ ଶ୍ରୀ ଜୀଉ କରନ୍ତି ଦିବ୍ୟ ସ୍ନାନ
ସନ୍ତୋଷ କୁମାର ଦାଶ
ପୁରୀ ଶ୍ରୀ ମନ୍ଦିର ରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତି ମାନବୀୟ ଲୀଳା କରୁଛନ୍ତି। ସାଧାରଣ ମଣିଷ ପରି ସକାଳ ହେଲେ ଡ଼ାକିଲେ ଉଠନ୍ତି। ମୁହଁ ଧୁଅନ୍ତି, ଦାନ୍ତ ଘସନ୍ତି,
ସ୍ନାନ କରନ୍ତି, ବେଶ ହୁଅନ୍ତି, ସକାଳ ଜଳଖିଆ, ମଧ୍ୟାର୍ଣ୍ଣ ଭୋଜନ, ସଂଧ୍ୟା ଭୋଜନ, ରାତ୍ରୀ ଭୋଜନ କରିଥାନ୍ତି।
ବର୍ଷକ ବାରମାସ ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଶ୍ରୀ ବଳଭଦ୍ର,ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ମନ୍ଦିର ଭିତରେ ବିମ୍ୱ ସ୍ନାନ କରୁଥିବାବେଳେ ଏକ ମାତ୍ର ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ଭକ୍ତ ମାନଙ୍କ ସମ୍ମୁଖରେ ସ୍ନାନ ମଣ୍ଡପ ରେ ଦିବ୍ୟ ସ୍ନାନ କରିଥାନ୍ତି। ନିଳାଦ୍ରୀ ମହୋଦୟ ପୁସ୍ତକ ରେ ବର୍ଣ୍ଣିତ ହୋଇଛି ଯେ, ଏହି ଦିନ ଶ୍ରୀ ଜିୟୁ ମାନଙ୍କର ଜନ୍ମ ଦିବସ। ଏଣୁ ଏହି ଶୁଭ ଦିନ ରେ ଶ୍ରୀ ଜିୟୁ ମାନଙ୍କ ଆଦେଶ କ୍ରମେ ସ୍ନାନ ଉତ୍ସବ ପାଳନ ହୋଇ ଆସୁଛି।ମନୁଷ୍ୟ ଦୈନଦିନ ସମ୍ପାଦନ କରୁଥିବା ନିତ୍ୟକର୍ମ ମାନଙ୍କ ମଧ୍ୟରେ ସ୍ନାନ ଏକ ଅପରିହାର୍ଯ୍ୟ କର୍ମ। ସ୍ନାନ ଦ୍ବାରା ମନ ଓ ଦେହ ପରିଷ୍କାର ଓ ପବିତ୍ର ହୋଇ ଥାଏ। ସାଧୁ ସନ୍ଥ ମାନେ ତ୍ରିସନ୍ଧ୍ୟା କରିବା ପାଇଁ ତିନି ଥର ( ପ୍ରାତଃ, ମଧ୍ୟାର୍ଣ୍ଣ, ସଂଧ୍ୟା ରେ) ସ୍ନାନ କରିଥାନ୍ତି।ସାଧାରଣତଃ ସ୍ନାନ ତିନି ପ୍ରକାର ର।ପୂର୍ଣ୍ଣ ଶରୀର ସ୍ନାନ, ବେକ ଠାରୁ ତଳକୁ କରାଯାଉଥିବା ସ୍ନାନ ଓ ଅଣ୍ଟା ଠାରୁ ତଳକୁ କରାଯାଉଥିବା ସ୍ନାନ।କିଛି ବିଦ୍ୱାନ ମାନଙ୍କ ମତରେ ସ୍ନାନ ତିନି ପ୍ରକାର ର। ନିତ୍ୟ ସ୍ନାନ ( ସବୁ ଦିନ ), ପୁଣ୍ୟ ଦିବସ ବା ସ୍ଵତନ୍ତ୍ର ଦିନ କରାଯାଉଥିବା ସ୍ନାନ ଓ କାମନା ପୂରଣ ପରେ କରାଯାଉଥିବା ସ୍ନାନ। ବୃହତ ପୁରାଣ ର ସଂହିତା ଅନୁଯାୟୀ ସ୍ନାନ ସାତ ପ୍ରକାର ର। ମଞ୍ଚ ସ୍ନାନ, ପାର୍ଥିବ ସ୍ନାନ, ଆଗ୍ନେୟ ସ୍ନାନ, ବାୟୁ ସ୍ନାନ, ଦିବ୍ୟ ସ୍ନାନ, ବାରୁଣ ସ୍ନାନ ଓ ମାନସ ସ୍ନାନ। ଏଥି ମଧ୍ୟରୁ ସମସ୍ତ ତୀର୍ଥ ଜଳ ରେ ସ୍ନାନ କରିବାକୁ କହିଥାନ୍ତି ଦିବ୍ୟ ସ୍ନାନ। ସ୍ନାନ ପୂର୍ଣିମା ଦିନ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଦିବ୍ୟ ସ୍ନାନ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣିମା ପୁର୍ବ ଦିନ ଶ୍ରୀ ଜୀଉ ମାନଙ୍କର ସେନାପଟା ଲାଗି ହେବା ସହିତ ଶ୍ରୀ ମନ୍ଦିର ର ଉତ୍ତର ଦ୍ଵାର ନିକଟରେ ପୂଜିତା ମା ‘ ଶୀତଳା ଙ୍କ ସମ୍ମୁଖସ୍ଥ ସୁନା କୂଅ ର ଜଳ କୁ ସଂସ୍କାର କରାଯାଇଥାଏ।ସବୁ ତୀର୍ଥ ର ଜଳ ମାନଙ୍କୁ ଏଠାକୁ ଆବାହନ କରାଯିବା ପରେ ଗରାବଡୁ ସେବକ ମାନଙ୍କ ଦ୍ବାରା ୧୦୮ କଳସ ରେ ଜଳ ଉଠାଯାଏ। ତହିଁ ରେ କର୍ପୁର, କେଶର, ଚନ୍ଦନ ମିଶ୍ରିତ କରାଯାଇ ସମସ୍ତ କଳସ କୁ ଅଧିବାସ ଗୃହ ରେ ରଖାଯାଏ। ଜ୍ୟେଷ୍ଠ ପୂର୍ଣିମା ଦିନ ଦଇତାପତି ସେବକ ମାନେ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପ କୁ ନେଇ ବସାଇବା ପରେ ସେଠାରେ ଅବକାଶ ନୀତି ସମ୍ପନ୍ନ ହୋଇ ଥାଏ।ଷୋଡ଼ଶ ଉପଚାର ରେ ପୂଜା ସମାପ୍ତ ପରେ ପୂଜା ପଣ୍ଡା ଗଣ ରୂପା ପୀଙ୍ଗଣ ରେ ଶ୍ରୀ ଜଗନ୍ନାଥ ଙ୍କୁ ୩୫ ଗୋଟି, ଶ୍ରୀ ବଳଭଦ୍ର ଙ୍କୁ ୩୩ ଗୋଟି, ଦେବୀ ସୁଭଦ୍ରା ଙ୍କୁ ୨୨ ଗୋଟି ଓ ଶ୍ରୀ ସୁଦର୍ଶନ ଙ୍କୁ ୧୮ ଗୋଟି ପୂର୍ଣ୍ଣ କୁମ୍ଭ ଜଳ ରେ ସ୍ନାନ କରାଇଥାନ୍ତି। ସ୍ନାନ ପରେ ଠାକୁର ମାନଙ୍କୁ ଗଜାନନ ବେଶ ରେ ସଜ୍ଜିତ କରାଯାଇଥାଏ।ଜ୍ୟେଷ୍ଠ ମାସ ର ପୂର୍ଣିମା କୁ ସ୍ନାନ ପୂର୍ଣ୍ଣିମା ବୋଲି କୁହା ଯାଇଥାଏ। ଏହି ସ୍ନାନ ଉତ୍ସବ ଶ୍ରୀ ମନ୍ଦିର ରେ ଅନୁଷ୍ଠିତ ହୋଇ ଆସୁଥିବା ପ୍ରସିଦ୍ଧ ଦ୍ଵାଦଶ ଉତ୍ସବ ର ପ୍ରଥମ ଉତ୍ସବ ବୋଲି ବିବେଚନା କରାଯାଇଥାଏ।
ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।