ଦୁର୍ଗାପୂଜା ସୁରକ୍ଷା ପାଇଁ କମିସନରେଟ୍ ପୁଲିସର ବ୍ୟାପକ ପ୍ରସ୍ତୁତି
କଟକ, (ଓ୍ବାଇଏନଏସ): ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି କଟକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି କମିସନରେଟ୍ ପୁଲିସ। ସହରରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ସହ ୫୭ଟି ଅସ୍ଥାୟୀ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ। ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ ଓ ସିସିଟିଭି ମାଧ୍ୟମରେ ନଜର ରଖାଯିବା ସହ ସାଇବର ଥାନାର ସ୍ୱତନ୍ତ୍ର ଟିମ୍ ସୋସିଆଲ ମିଡିଆ ଉପରେ ଦିନରାତି ନିରୀକ୍ଷଣ କରିବ। ଗତବର୍ଷ ଭସାଣି ସମୟରେ ଉତ୍ତେଜନା ଦେଖାଦେଇଥିବାରୁ ବାରପଥର-କଦମରସୁଲ ରାସ୍ତାରେ ଏଥର ସୁରକ୍ଷାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ପୂଜା ସୁରକ୍ଷାରେ ଓଡ଼ିଶା ସ୍ପେଶାଲ ଆର୍ମଡ୍ ପୁଲିସ (ଓଏସଏପି), ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (ଏସଓଜି), କୁଇକ୍ ଆକ୍ସନ ଫୋର୍ସ ଏବଂ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍) ନିୟୋଜିତ ହେବେ। ଏଥିସହ ୪୦ ଜଣ ଡିଏସପି, ୫୫ ଜଣ ଇନ୍ସପେକ୍ଟର, ୪୦୦ ଜଣ ଏସଆଇ ଓ ଏଏସଆଇ, ୮୪ ଜଣ ହାବିଲଦାର, ୬୦୦ ଜଣ କନଷ୍ଟେବଳ ଏବଂ ୭୦୦ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିବେ। ପୂଜା ମଣ୍ଡପ ଓ ପ୍ରମୁଖ ଛକରେ ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ପ୍ରାୟ ୭୦୦ ପୁଲିସ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସେମାନଙ୍କୁ ପୂର୍ବରୁ ପରିଚୟପତ୍ର ପ୍ରଦାନ କରାଯାଇଛି। ସମଗ୍ର ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ସହରର ବିଭିନ୍ନ ଥାନାକୁ ୬ଟି ଜୋନ୍ ଓ ୨ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୬ ଜଣ ଏଡିସିପି କିମ୍ବା ଏଏସପି ପାହ୍ୟାର ଅଧିକାରୀଙ୍କୁ ଏହି ଜୋନ୍ଗୁଡ଼ିକର ଦାୟିତ୍ୱ ଦିଆଯାଇଛି। ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ସହରରେ ୨୦ଟି ଅତିରିକ୍ତ ପିସିଆର୍ ଭ୍ୟାନ୍, ୩ଟି ସ୍ୱତନ୍ତ୍ର ମୋବାଇଲ୍ ଭ୍ୟାନ୍ ଏବଂ ୪୦ଟି ବାଇକ୍ ପିସିଆର୍ ଦ୍ୱାରା ପାଟ୍ରୋଲିଂ କରାଯିବ। ଭିଡ଼ ଭିତରେ ଚୋରି ଓ ମହିଳାଙ୍କ ପ୍ରତି ଅସଦାଚରଣ ରୋକିବା ପାଇଁ ସାଦା ପୋଷାକରେ ମଧ୍ୟ ପୁଲିସ ମୁତୟନ ରହିବେ। ଟ୍ରାଫିକ୍ ପରିଚାଳନାରେ ୨୦ ଜଣ ଅଧିକାରୀଙ୍କ ସହ ୨୦୦ କର୍ମଚାରୀ ନିୟୋଜିତ ହେବେ।
ଅନ୍ୟପକ୍ଷରେ ପୂଜା ଓ ଭସାଣି ସମୟରେ ସାମାଜିକ ଗଣମାଧ୍ୟମରେ ଗୁଜବ, ଉତ୍ତେଜନା ସୃଷ୍ଟିକାରୀ ବାର୍ତ୍ତା କିମ୍ବା ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଉତ୍ତେଜନା ବଢ଼ାଇବା ଭଳି ପୋଷ୍ଟ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ସାଇବର ଥାନାରେ ଏକ ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟା ସୋସିଆଲ ମିଡିଆ ଉପରେ ନଜର ରଖିବ। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନରେ ୫୭ଟି ଅସ୍ଥାୟୀ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ। ଅତି ସମ୍ବେଦନଶୀଳ ସ୍ଥାନରେ ଘରର ଛାତ ଉପରେ ପୁଲିସ ଫୋର୍ସ ମୁତୟନ ସହ ଚାନ୍ଦି ମେଢ଼ ନିକଟରେ ବନ୍ଧୁକଧାରୀ ପୁଲିସ ଜଗିବେ। ଗତବର୍ଷ ଦଶହରା ଭସାଣି ସମୟରେ ବାରପଥର-କଦମରସୁଲ ଅଞ୍ଚଳରେ ଦଙ୍ଗା ସଦୃଶ ପରିସ୍ଥିତି ଓ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଉକ୍ତ ରାସ୍ତାରେ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇଛି। ଏହି ରାସ୍ତାରେ ୧୮୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ। ସେମାନଙ୍କ ମଧ୍ୟରେ ଏଏସପିରୁ ଏଏସଆଇ ପାହ୍ୟା ପର୍ଯ୍ୟନ୍ତ ୪୫ ଜଣ ଅଧିକାରୀ ରହିବେ। ଏଥିସହ ୧୦ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ଫୋର୍ସ ଓ ୫ ପ୍ଲାଟୁନ୍ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହେବେ। ଆକାଶମାର୍ଗରୁ ନିରୀକ୍ଷଣ ପାଇଁ ୪ଟି ଡ୍ରୋନ୍ ଉଡ଼ାଯିବ। ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳଙ୍କ ସହ ଦୁଇ ଜଣ ଡିସିପି ପାହ୍ୟାର ଅଧିକାରୀ ଏହି ରାସ୍ତାର ସୁରକ୍ଷା ଦାୟିତ୍ୱରେ ରହିବେ। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ଲଗାଯାଇ ଭିଡ଼ ଓ ଯାତାୟାତ ନିୟନ୍ତ୍ରଣ କରାଯିବ। ବକ୍ସିବଜାର, ବାରପଥର, ତିନିକୋଣିଆ ବଗିଚା, ବାଉଁଶ ଗଳି, ହାତୀ ପୋଖରୀ, କଦମରସୁଲ, ଚାନ୍ଦିନୀଚୌକ, ଚୌଧୁରୀ ବଜାର, ଜାଉଁଳିଆପଟି, ହରିପୁର ଓ ସୟଦ ସେମିନାର ଛକ ସମେତ ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ଟି ସିସିଟିଭି କ୍ୟାମେରା ଲଗାଯିବ। ଡିସିପିଙ୍କ ଆଧୁନିକ କଣ୍ଟ୍ରୋଲ୍ ରୁମ୍ରୁ ପୁଲିସ ଅଧିକାରୀମାନେ ଏହି କ୍ୟାମେରାଗୁଡ଼ିକ ଉପରେ ୨୪ ଘଣ୍ଟା ନଜର ରଖିବେ। ଶୁକ୍ରବାର ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପୁଲିସ ବ୍ରିଫିଂରେ ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଏବଂ ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ଏହି ସୁରକ୍ଷା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ଭସାଣି ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପୂଜା ଓ ଭସାଣି ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।


