ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଦୁଇ ସ୍ୱୟଂ ସହାୟିକା ଗୋଷ୍ଠୀ ପୁରସ୍କୃତ

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସୁଭଦ୍ରା ଯୋଜନାର ସଫଳ ରୂପାୟନ ଦିଗରେ ଅହରହ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ମିଶନ୍‍ଶକ୍ତି ବିଭାଗର ପରାମର୍ଶକ୍ରମେ ଓଡିଶାର ବିବିଧ ଓ ସମୃଦ୍ଧ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଓ ମିଶନ୍‍ଶକ୍ତି ବିଭାଗର ମିଳିତ ସହଯୋଗରେ ବୁଧବାର ମିଶନ୍‍ଶକ୍ତି ଭବନ ପରିସରରେ ବ୍ଳକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଳକସ୍ତରୀୟ ସୁଭଦ୍ର ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଆସିକା ବ୍ଳକ ପରିସରଭୁକ୍ତ ଅଞ୍ଚଳର ୧୬ଟିି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ସାମିଲ୍‍ ହୋଇ ହାତତିଆରି ପୁଷ୍ଟିକର ପିଠା, ମାଣ୍ଡିଆସୁର, ମଣ୍ଡାପିଠା, ଛେନାମଣ୍ଡା, ପାଗର, ଇଡିଲି ଓ ଚଟଣୀ, ଜୋକଲା ଚଟଣୀ, କାକରା, ଆଳୁଦମ୍‍, କ୍ଷୀର ମାଲପୁଆ, ମାଣ୍ଡିଆଲଡୁ, ମାଣ୍ଡିଆ କାକରା, ମିଠାବରା, ମାଣ୍ଡିଆ ହାଲୁଆ, ଆରିସା, ରାଶିଲଡୁ, ମିଠାଜାତୀୟ ଖାଦ୍ୟ, ମାଣ୍ଡିଆ ଜାତୀୟ ଖାଦ୍ୟ, ପୋଡପିଠା ଭଳି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଏହି ବ୍ଳକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧିକାରୀଣୀ ଇନ୍ଦିରା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା, ବିଡିଓ ଲିପିନା ଦାଶ, ଆସିକା ତହସିଲର ଉପବିଭାଗୀୟ ଅଧିକାରୀ କିରଣ କୁମାର ପାଢୀ ପ୍ରମୁଖ ଯୋଗଦେଇ ଏହି ବ୍ଳକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ରୂପେ ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପିନା ଦାଶ, ସିଡିପିଓ ଇନ୍ଦିରା ମହାପାତ୍ର, ବିପିଏମ୍‍ ଅନିତା ମହାରଣା, ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା, ଆସିକା ତହସିଲର ଉପବିଭାଗୀୟ ଅଧିକାରୀ କିରଣ କୁମାର ପାଢୀ, ମିଶନ୍‍ଶକ୍ତି ବିଭାଗର ଆସିକା ବ୍ଳକ ପ୍ରକଳ୍ପ ସଂଯୋଜକ କିରଣ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ଖାଦ୍ୟଷ୍ଟଲ୍‍ ବୁଲି ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ସାଜସଜ୍ଜା, ପରିଷ୍କାର ପରିଚ୍ଛନ୍ନତା ଓ ଉପସ୍ଥାପନାକୁ ଅନୁଧ୍ୟାନ କରି ଖାଦ୍ୟର ସ୍ୱାଦ ପରଖି ମୂଲ୍ୟାୟନ କରିଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ମିଶନ୍‍ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଆସିକାରେ ଅନୁଷ୍ଠିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ମିଶନ୍‍ଶକ୍ତି ମହିଳା ମହାସଂଘର ଆସିକା ବ୍ଳକ ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ସ୍ୱାଇଁ, ମିଶନ୍‍ଶକ୍ତି ବିଭାଗର ବ୍ଳକ ପ୍ରକଳ୍ପ ସଂଯୋଜକ କିରଣ କୁମାର ସାହୁ, ସିଡିପିଓ କାର୍ଯ୍ୟାଳୟ ଅଞ୍ଚଳ ପରିଦର୍ଶିକା ଦିପ୍ତୀ ଧୋବା, ସଂଯୁକ୍ତା ବେହେରା, ଗୀତାଞ୍ଜଳୀ ଗୌଡ, ବିଷ୍ଣୁପ୍ରିୟା ବେହେରା, ସରସ୍ୱତୀ ଆଚାର୍ଯ୍ୟ, କୁମୁଦିନୀ ଶତପଥୀ, ପ୍ରମିଳା ବେହେରାଙ୍କ ସମେତ ଓଡିଶା ଜୀବିକା ମିଶନ୍‍ ଅଧୀନରେ ଆସିକା ବ୍ଳକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଥିବା ନଥିପତ୍ର ପରିଚାଳିକାମାନେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ମହିଳାମାନଙ୍କ ମଧ୍ୟରେ ଥିବା ଦକ୍ଷତାକୁ ପରିପ୍ରକାଶ କରିବା ସାଙ୍ଗକୁ ଲୋପ ପାଇବାକୁ ବସିଥିବା ପାରମ୍ପରିକ ଖାଦ୍ୟକୁ ଜନସାଧାରଣଙ୍କ ନିକଟରେ ଅଧିକରୁ ଅଧିକ ଆଦୃତ କରିବା ସକାଶେ ଅନୁଷ୍ଠିତ ଏହି ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାରୀ କରିିଥିବା ଖଣ୍ଡଦେଉଳୀ ଗ୍ରାମ ପଞ୍ଚାୟତର ମା ବାଙ୍କେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୫ ହଜାର ଟଙ୍କା ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଗହଙ୍ଗୁ ଗ୍ରାମ ପଞ୍ଚାୟତର ସାଇରାଜ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୪ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବା ସାଙ୍ଗକୁ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଏସ୍‍ଏଚ୍‍ଜିକୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅତି ଉଚ୍ଚକୋଟୀର ଓ ଉନ୍ନତମାନର ସୁସ୍ୱାଦୁ ବ୍ୟଞ୍ଚନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଖଣ୍ଡଦେଉଳୀ ଗ୍ରାମ ପଞ୍ଚଚାୟତର ମା ବାଙ୍କେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଆସନ୍ତା ୧୨ ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିକାଶମେଳାରେ ଅଂଶଗ୍ରହଣ କରିବା ଲାଗି ମନୋନୀତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ନିର୍ବାଚିତ ପ୍ରତିନିଧି, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ