ସମେସ୍ତେ ଉତ୍ସଵ ପାଳନରେ ବ୍ୟସ୍ତ ହେଲେ ରାଣିବାହାର ପୁଣ୍ଡି ମାଝୀ ଖୋଜୁଛି ଦୁଇ ଓଲି ପାଇଁ ଖାଦ୍ୟ

କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମ ସଂଲଗ୍ନ ଜାନୀପଡ଼ାର ପୂଣ୍ଡି ମାଝି। ବିଧାତା କେଉଁ ମାପକାଠିରେ ଜନ୍ମ ଦେଇଥୁଲା ସେ ବି ଜାଣିନି। ନିଜ ଜୀବନରେ କେବଳ ଯନ୍ତ୍ରଣାକୁ ପାଥେୟକରି ବଞ୍ଚୁଥିବା ବେଳେ ଏବେ ବର୍ଷକର କଅଁଳ ଶିଶୁକନ୍ୟାକୁ ବଞ୍ଚାଇବା କଷ୍ଟକର ହୋଇଛି। ମୂଲ ଲାଗିବା କ୍ଷମତାଥାଇ ମଧ୍ୟ ଶିଶୁକନ୍ୟାକୁ କାହାକୁ ଦେଇ କାମ ଖୋଜିବାକୁ ଯିବ ତାହା ପୂର୍ଣି ପାଇଁ ପ୍ରଶ୍ନବାଚୀ। ନଅମାସ ତଳେ ସ୍ଵାମୀର ଚିତା ଜଳିଲା ବେଳକୁ କୋଳରେ ଥିଲା ତିନିମାସର ଶିଶୁକନ୍ୟା। ପରିବାରରେ ଆଉ କେହିନାହାନ୍ତି। ଭଙ୍ଗା ଦଦରା ମାଟିକୁଡ଼ିଆରେ ପୂଣ୍ଡି ଆଉ ଶିଶୁକନ୍ୟା। ପଡ଼ିଶା
ଲୋକଙ୍କ ମୁଠାଏ ପଖାଳରେ ଜୀବନ କେତେଦିନ ଚାଲିବ? ତିନିଦିନ ତଳେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ଭେଟିବା ପାଇଁ ପ୍ରୟାସକରି ନିରାଶ ହୋଇଛନ୍ତି। ଆଜି ପୂର୍ଣିକୁ ରାଣୀବାହାଲ ଗ୍ରାମର ଜାନୀପଡ଼ା ଯାଇ ଘରେ ଭେଟିଲା ବେଳକୁ ଦ୍ଵିପ୍ରହର ହୋଇଯାଇଥିଲା। ଶିଶୁକନ୍ୟା ଶୋଇ ପଡ଼ିଥିଲା। ଆଜି ରୋଷେଇ କଣ କରିଛ ବୋଲି ପଚାରିବାରୁ ଶଙ୍କିଯାଇ କୋହଭରା କଣ୍ଠରେ କାଲି ସନ୍ଧ୍ୟାରୁ ଘରେ ରୋଷେଇ ହୋଇନାହିଁ ବୋଲି ପ୍ରକାଶ କରିଥିଲା। ସେତେବେଳକୁ କିଛି ପଡ଼ିଶା ଲୋକ ନିରାଶ୍ରୟୀ ପୂର୍ଣି ପାଇଁ ଚାଉଳ ଓ ଭତ୍ତା କଥା ଉଠାଇଥିଲେ। ଥୁଆମୂଳ ରାମପୁର ବ୍ଲକ କୋକେଲପଦର ଗ୍ରାମର ପୂଣ୍ଡି ତିନିବର୍ଷ ତଳେ ଜାନୀପଡ଼ାର ଅଭି ମାଝିକୁ ବିବାହ କରିଥିଲା। ଏହି ଦମ୍ପତି ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇଥିଲେ। ଦୁଇଜଣଙ୍କ କିଛି ଉପର୍ଜନ ହେବାପରେ ଗାଁକୁ ଫେରି ଏକ ମାଟିକୁଡ଼ିଆ ତିଆରି କରିଥିଲେ। ସେଠାରେ ସେମାନେ କିଛିଦିନ ଆରାମରେ ରହିଲେ। କୋଳକୁ ଆସିଲା ଶିଶୁକନ୍ୟା । କିନ୍ତୁ ଝିଅକୁ ତିନିମାସ ହେଲା ବେଳକୁ ସ୍ବାମୀ ଅଭି ମାଝି ଝାଡ଼ାବାନ୍ତିରେ ଆରପାରିକୁ ଚାଲିଗଲା। ସ୍ବାମୀର ଶୁଦ୍ଧିପରେ ଅଣ୍ଟା ଭିଡ଼ିଥିଲା ପୂଣ୍ଡି। ଭତ୍ତା, ଏନ୍‌ଏଫ୍‌ବିଏସ୍, ପଡ଼ିଚାଉଳ ପାଇଁ ଅନେକ ଉଦ୍ୟମ ପରେ ମଧ୍ୟ ନିରାଶ ହେବକୁ ପଡ଼ିଲା। ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ହେବାପରେ ଲୋକଙ୍କ ପାଖରେ ସହାୟତାର ହାତ ପାତିବାକୁ ପଡ଼ିଲା। ଏମିତି କଷ୍ଟମୟ ଜୀବନ ବିତାଉଥିବା ପୂଣ୍ଡିଙ୍କ କୁଡ଼ିଆର ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରିଦିଆଗଲା। ପେଟ ପାଇଁ ସଂଘର୍ଷ କରି ଆସୁଥିବା ପୂଣ୍ଡି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଆସିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ମିଳିପାରୁ ନଥିବା ଆମପାଖରେ ପ୍ରକାଶ କରିଥିଲା। ପୂଣ୍ଡିକୁ ପଡ଼ିଚାଉଳ, ବିଧବା ଭତ୍ତା ଓ ଏନ୍‌ଏଫ୍‌ଦିଏସ୍ ସହାୟତା ରାଶି ମିଳିଲେ ଏକ ନିରୀହ ପରିବାର ବଞ୍ଚିଯିବ ବୋଲି ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ