ରଜ ପର୍ବରେ ମା ସିଂହାସନୀଙ୍କ ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ
ପୋଲସରା (ଅନୀଲ କୁମାର ମହାରଣା) ପୋଲସରା ସହର ଠାରୁ ୨୫ ଓ ଚିରିକିପଡା ଶାସନ ଗ୍ରାମରୁ ୧୮ କିଲୋମିଟର ଦୂର କଷିପଡା ଠାରେ ମା’ ସିଂହାସନୀଙ୍କ ଶକ୍ତି ପୀଠ ଅବସ୍ଥିତ। ମା’ଙ୍କ ପୀଠରେ ତିନି ଦିନ ଧରି ପାଳିତ ହୁଏ ରଜପର୍ବ। ପ୍ରତିବର୍ଷ ପହିଲି ରଜ ଠାରୁ ମା’ ଙ୍କ ପୀଠରେ ତିନି ଦିନ ଧରି ରଜପର୍ବ ପାଳିତ ହୋଇଥାଏ। ଏହି ତିନି ଦିନ ରେ ମା’ ଙ୍କ ଦର୍ଶନ କଲେ ମା’ଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ପହିଲି ରଜ ଠାରୁ ତିନି ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ଅନ୍ୟ ଜିଲ୍ଲାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସି ମା’ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ବର୍ଷ ପ୍ରବଳ ଗରମ ସତ୍ତ୍ୱେ ପ୍ରଥମ ରଜରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ସଭାପତି ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସକାଳ ସମୟରେ ଆସି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ସୂଚାରୁ ଭାବେ ପରିଚାଳନା କରିବା ପାଇଁ କମିଟିର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। କମିଟିର କର୍ମକର୍ତ୍ତାଙ୍କ ସମେତ ଚିରିକିପଡା ଶାସନ, ଭାବରଡା , ଗୋଛାବାଡି ଓ ପାଣ୍ଡିରିପଡା ପଞ୍ଚାୟତର ଲୋକଙ୍କ ସହଯୋଗରେ ପ୍ରଥମ ରଜପର୍ବ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା। ପୋଲସରା ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ରହି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିବା ବେଳେ ପାଣ୍ଡିରିପଡା ମେଡିକାଲ ତରଫରୁ ମାଗଣା ଔଷଧ ବିତରଣ କେନ୍ଦ୍ର ଓ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା।