ନିଶା ନୁହେଁ ଜୀବନ ଶୀର୍ଷକ କର୍ମଶାଳା
କଟକ,(ଓ୍ବାଇଏନଏସ): ବିଭିନ୍ନ ମାଦକ ଦ୍ରବ୍ୟ ବ୍ୟବହାରର କୁପରିଣାମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ତଥା ବିଶେଷକରି ଯୁବପିଢୀଙ୍କୁ ନିଶା କବଳରୁ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉପରେ ଆଜି ଆମ ସଂକଳ୍ପ : ନିଶା ନୁହେଁ ଜୀବନ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି। ଆଜି ବାଲିଯାତ୍ରା ତଳ ପଡିଆରେ ଚାଲିଥିବା ବିକାଶ ମେଳା ଅବସରରେ ଅନୁଷ୍ଠିତ ଆଲୋଚନଚକ୍ରରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ ଜଲ୍ଲାରେ ଅପମିଶ୍ରିତ, ବିଷାକ୍ତ ଓ ଚୋରା ମଦ କାରବାର ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଆଗକୁ ମହାବିଦ୍ୟାଳୟ ସ୍ତରରେ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ନିଶାମୁକ୍ତି ଅଭିଯାନରେ ଗାନ୍ଧଜୀଙ୍କ ଉକ୍ତିକୁ ଉଦ୍ଧାର କରି ନିଶା କବଳରୁ ଯୁବପିଢୀଙ୍କୁ ଦୁରେଇ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟ ବକ୍ତା ଡାକ୍ତର ପ୍ରଶାନ୍ତ ମହାପାତ୍ର ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିୱାରୀ, ଅବକାରୀ ଅଧିକ୍ଷକ ଖୋର୍ଦ୍ଧା, ଶ୍ରୀମତୀ ସୁମତି ତ୍ରିପାଠୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ, ଅବକାରୀ ଉପ ଅଧିକ୍ଷକ, ଆଠଗଡ଼ ସି. ଏଚ. ତିରୁପତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନିଶା କବଳରୁ ମୁକ୍ତ ହୋଇ ନୂତନ ଜୀବନ ପାଇଥିବା ଅଶୋକ ରଞ୍ଜନ ସାମଲ, କମଳାକାନ୍ତ ସାମଲ, ସୁନୀଲ ସାମଲ, ଦୀପକ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ପରେ ପରେ ନିଶା ନୁହେଁ ଜୀବନ ଶୀର୍ଷକ ଏକ ନାଟକ ମଞ୍ଚସ୍ଥ ହୋଇଥିଲା। ଦ୍ଵିତୀୟ ଅଧିବେଶରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗର ଆଲୋଚନଚକ୍ର ଅନୁଷ୍ଠିତ ହୋଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।