ରିପୋର୍ଟ କାର୍ଡ଼ ପ୍ରଦାନ କଲେ ରାୟଗଡ଼ା ବିଧାୟକ

ରାୟଗଡ଼ା,(ଦୁର୍ଗାପ୍ରସାଦ ପାଢୀ): ପ୍ରଥମ ଥର ବିଧାୟକ ହେବା ପରେ ଜିଲାରେ ପ୍ରଥମ ବିଧାୟକ ଭାବେ ନିଜର ଏକ ବର୍ଷ ପୂର୍ତି ରିପୋର୍ଟ କାର୍ଡ଼ ରବିବାର ପ୍ରଦାନ କରିଛନ୍ତି ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା । ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିଧାୟକ ହେବା ପରେ ବର୍ତମାନ ସୁଦ୍ଧା ୩ଟି ବିଧାନସଭା ଅଧିବେଶନରେ ନିଜ ଅଂଚଳର ସମସ୍ୟା ନେଇ ୨୫୪ଟି ପ୍ରଶ୍ନ କରିଛନ୍ତି ବୋଲି କହିଛନ୍ତି ବିଧାୟକ କାଡ୍ରାକା । ସେଥିରୁ ୧୫୪ଟି ଉତର ତାଙ୍କ ହସ୍ତଗତ ହୋଇଛି । ଏତଦବ୍ୟତିତ ଅଂଚଳରେ ବିଧାୟକ ପାଣ୍ଠିରୁ କରିଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ ।
କ୍ରୀଡା ଭିତିଭୂମି ବିକାଶ ପାଇଁ ଚାନ୍ଦିଲି ଠାରେ ବୃହତ ଷ୍ଟାଡିୟମ ଓ ପିତାମହଲ ଠାରେ ମିନି ଷ୍ଟାଡିୟମ ଦାବି, କୃଷି କ୍ଷେତ୍ରରେ ବିକାଶ ପାଇଁ ରାୟଗଡା ଶୀତଳ ଭଣ୍ଡାର ପୁନରୁଦ୍ଧାର ସହିତ କାଶୀପୁର ଠାରେ ଏକ ନୂତନ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ମଧ୍ୟ ବିଧାନସଭାରେ ଦାବି ଉପସ୍ଥାପନ କରାଯାଇଛି। ରାୟଗଡା ସହରର ପ୍ରବାହିତ ଝଞ୍ଜାବତୀ ନଦୀକୁ ଅଂଚଳର ଗଙ୍ଗା ବୋଲି ସମ୍ବୋଧିତ କରି ଜଳଯୋଗାଣ ପ୍ରକଳ୍ପ ତ୍ୱରାନ୍ନିତ ସହିତ ନାଗାବଳୀ ନଦୀରେ ଜେକେ କାଗଜକଳ ଦ୍ୱାରା ଥିବା ଆଡିବନ୍ଧ ହଟାଇବାକୁ ମଧ୍ୟ ଦାବି କରିଛନ୍ତି। ଯେହେତୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି, ତେଣୁ ସେ ନିଜେ ଆଡିବନ୍ଧ ଭାଙ୍ଗିବାକୁ ଯାଇନଥିବା କହିଛନ୍ତି । ଆଗକୁ ବିଧାନସଭା ଅଧିବେଶନ ରହିଛିା ସେଥିରେ ପୁଣି ଥରେ ଏନେଇ ପ୍ରଶ୍ନ କରିବେ ଏବଂ ଯଦି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ କଂଗ୍ରେସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଧାୟକ କାଡ୍ରାକା । ଏଥିସହ ଜେକେ କାଗକଳ ନିଜର ଆବର୍ଜନା ପାଣି ସିଧାସଳଖ ନଦୀରେ ଛାଢୁଛି। ଫଳରେ ନଦୀଜଳ ପ୍ରଦୂଷିତ ହେବାରେ ଲାଗିଛି। ଯଦ୍ୱାରା ନାଗାବଳୀ ଜଳ ଆଉ ବ୍ୟବହାର ଉପଯୋଗୀ ନଥିବା କହିଛନ୍ତି ଆପଲସ୍ୱାମୀ। ତେବେ ନଦୀକୁ ଛାଡ଼ୁଥିବା ଆବର୍ଜନା ପାଣିକୁ ବିଶୁଦ୍ଧ କରି ଛାଡ଼ୁଥିବା ଜେକେ କତୃପକ୍ଷ କହିଥିବା ବିଧାୟକ କାଡ୍ରାକା କହିଥିଲେ । ଏଣେ ହାତୀପଥରକୁ ନେଇ ମଧ୍ୟ ପ୍ରଶ୍ନ ଉପସ୍ଥାପନ କରିଥିଲେ। ତେବେ କାଶୀପୁର ବ୍ଲକ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ହେଉଥିବା ସୂଚନା ଦେଇଥିଲେ। ଏଥିସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହୋଇଥିବା ଦୁର୍ନୀତିର ତଦନ୍ତ ସହିତ ଲୋକଙ୍କ ଟଙ୍କା ବାଟମାରଣା କରିଥିବା ଅଧିକାରୀଙ୍କ ଠାରୁ ଭରଣା ପାଇଁ ପୁନର୍ବାର ବିଧାନସଭାରେ ଦାବି କରାଯିବ ବୋଲି ସୂଚନା ଦେଇଛନ୍ତି ବିଧାୟକ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଜିଲା ବହୁ ପଛରେ ରହିଛି । ଜିଲାରେ ଡ୍ରପଆଉଟ ସ୍ଥିତି ଉଦବେଗଜନକ । ଏତଦବ୍ୟତିତ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି କରିବା ସହିତ ମେଡିକାଲ କଲେଜ ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଆଗାମୀ ଦିନରେ ରାୟଗଡା ଜିଲାର ତିନି ବିଧାୟକ ଓ ସାଂସଦ ମିଳିତ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତୁରନ୍ତ ମେଡ଼ିକାଲ କଲେଜ ଓ ଅତ୍ୟାଧୁନିକ ମେଡ଼ିକାଲ ସ୍ଥାପନା ପାଇଁ ଜଣାଇବୁ ବୋଲି ପ୍ରତିଶୃତି ଦେଇଛନ୍ତି ବିଧାୟକ କାଡ୍ରାକା । ଏତଦବ୍ୟତିତ ରାୟଗଡା ସହରରେ ଗୋଟିଏ ମହିଳା ଥାନା ସହିତ ତିନିଟି ନୂତନ ଫାଣ୍ଡି ସ୍ଥାପନା ପାଇଁ ପୋଲିସ ଡିଜିଙ୍କୁ ଭେଟି ଜଣାଇଛନ୍ତି । ତେବେ ପୋଲିସ ବିଭାଗରେ କର୍ମଚାରୀ ଅଭାବ ଥିବା ନେଇ ଡିଜି କହିଥିବା ସୂଚନା ଦେଇଛନ୍ତି ବିଧାୟକ କାଡ୍ରାକା । କିନ୍ତୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଜିଲା କଂଗ୍ରେସ ସଭାପତି ଶଙ୍କର ଜିଲାକାରା, କାର୍ଯ୍ୟକାରୀ ସଭାପତି ଶଙ୍କର୍ଷଣ ମଙ୍ଗରାଜ, ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା, ବରିଷ୍ଠ ନେତା ଚିନାରି କ୍ରିଷ୍ଣାଙ୍କ ସମେତ ବିଭିନ୍ନ ଯୁବନେତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ