ଆଲୋଚନା ଚକ୍ର ଓ ପ୍ରଦର୍ଶନୀ
ବାଲେଶ୍ବର(ସରୋଜ ପଣ୍ଡା): ୧୯୭୫ ଜୁନ ୨୫ ତାରିଖରେ ସମ୍ବିଧାନ ଓ ଗଣତନ୍ତ୍ରକୁ ହତ୍ୟା କରି କ୍ଷମତା ଲାଳସାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି କଳା ଅଧ୍ୟାୟର ସ୍ମୃତି ଚାରଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଆଲୋଚନା ଚକ୍ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି। ସମାଜର ବିିଭିନ୍ନ ବର୍ଗର ଲୋକମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟବକ୍ତା ଭାବେ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ବ୍ୟକ୍ତବ୍ଯରେ ଦେଶରେ ଜରୁରୀକାଳୀନ ପରିସ୍ଥିତିର କଳା ଅନୁଭୂତି ଶୁଣାଇଥିଲେ। ଏହାସହିତ ତତ୍କାଳୀନ ଜନନେତାଙ୍କ ରାଜନୈତିକ ଲଢ଼େଇର କଥା ଓ କଂଗ୍ରେସର ଜନ ଅତ୍ୟାଚାରର କଥା ଶୁଣାଇଥିଲେ। ଏହି ଅବସରରେ ସେସମୟରେ ଗୃହବନ୍ଦୀ ଥିବା ବାହାନଗା ଅଞ୍ଚଳର ବୈରାଗୀ ଚରଣ ବେହେରାଙ୍କୁ ସମ୍ମାନୀତ କରାଯାଇଥିଲା ଓ ସେ ତାଙ୍କର ଅନୁଭୂତି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, କାର୍ଯ୍ୟକ୍ରମ ସହସଂଯୋଜକ ଆଶିଷ ଘୋଷ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମ୍ପାଦକ ବିଜୟ ସାହୁ, ଚନ୍ଦ୍ରଶେଖର ନନ୍ଦ ଆଲୋଚନା ଚକ୍ର ଓ ପ୍ରଦର୍ଶନୀ ପରିଚାଳନାରେ ସହଯୋଗ କରିଥିଲେ।