ରାଜସ୍ୱ ଅମଲା ସଂଘର କଳାବ୍ୟାଜ୍ ପରିଧାନ ଜାରି : ୧୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି
ଆସିକା (ୱାଇଏନ୍ଏସ୍) :ରାଜ୍ୟ ସଂଘର ଆହ୍ୱାନକ୍ରମେ ୧୦ ଦଫା ଦାବୀ ପୂରଣ ଲାଗି ରାଜସ୍ୱ ଅମଲା ସଂଘ ଆସିକା ଶାଖାର କାର୍ଯ୍ୟକର୍ତ୍ତାମାନେ କଳାବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଛି । ଆସନ୍ତା ୧୪ ତାରିଖ ସୁଦ୍ଧା ଦାବୀ ପୂରଣ ଦିଗରେ ସରକାର ପଦକ୍ଷେପ ନନେଲେ ଅନିର୍ଦ୍ଦିଷ୍ଟ କାଳ ଲାଗି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବାକୁ ସଂଘର କାର୍ଯ୍ୟକର୍ତ୍ତାମାନେ ସଜବାଜ ହେଉଥିବା ଜଣାପଡିଛି । ଜିଲ୍ଲାସ୍ତରୀୟ କାର୍ଯ୍ୟରତ ଅମଲା ମାନଙ୍କ ମୂଳ ଦରମା ଓଆର୍ଏସ୍ପି ୨୦୧୭ ନିୟମ ଅନୁଯାୟୀ ଲେବେଲ୍-୯କୁ ବୃଦ୍ଧି, କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ, ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃଥଇଥାନ ଯୋଜନାର ନିୟମାବଳୀକୁ ସଂପୁର୍ଣ୍ଣ ରୂପେ ଉଚ୍ଛେଦ କରି ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ, ଓଡିଶା ରାଜସ୍ୱ ସେବା ପଦ୍ଧିତିରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ପ୍ରଦାନ, ନୂତନ ପେନସନ୍ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟ କେତେକ ଦାବୀ ପୂରଣ ଲାଗି ଓଡିଶା ରାଜସ୍ୱ ଅମଲା ସଂଘର ଆହ୍ୱାନକ୍ରମେ ଆସିକା ସଂଘର କାର୍ଯ୍ୟକର୍ତ୍ତାମାନେ ଦୀର୍ଘ ଦିନର ନ୍ୟାୟୋଚିତ ଦାବୀ ପୂରଣ ଲାଗି କଳାବ୍ୟାଜ୍ ପରିଧାନ ଜାରି ରଖିଥିବା ଜଣାପଡିଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଓଡିଶା ରାଜସ୍ୱ ଅମଲା ସଂଘର ଦୀର୍ଘ ଦିନର ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ଆସିକା ଶାଖାର ସକ୍ରିୟ ସଦସ୍ୟ କିରଣ କୁମାର ପାଢୀ, ଜ୍ଞାନଚାନ୍ଦ ମହାନ୍ତି, କେ.ଲୀଲୁ, ସୁନିତାରାଣୀ ପାତ୍ର, ଚନ୍ଦନ କୁମାର ରଥ, ସୁମନ୍ କୁମାର ବିଷୋୟୀ, ଅଭିଜିତ୍ ପାଣିଗ୍ରାହୀ, ଦୀପକ୍ କୁମାର ଗୌଡ, ସନ୍ତୋଷ କୁମାର ପ୍ରଧାନ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଶିବଶମ୍ଭୁ ଗୌଡଙ୍କ ସମେତ ବହୁ ସଦସ୍ୟ ଅନୁରୋଧ କରିଥିବା ଜଣାପଡିଛି ।