କଣ୍ଟ ପୂରିଲା, ସରୁନି ଆମ୍ୱୋ – ବାତୋ ବୈତରଣୀ ବିଜୁ ସେତୁ ନିର୍ମାଣ
ଆନନ୍ଦପୁର, ( ପାର୍ଥ ସୌରଭ ସା) ଶିଳାନ୍ୟାସକୁ ୯ ବର୍ଷ ବିତିଲାଣି । ଶେଷ ହେବାର ନାଁ ନେଉନି ଆମ୍ୱୋ – ବାତୋ ବିଜୁସେତୁ ନିର୍ମାଣ କାମ । ଏବେ ବର୍ଷା ଯୋଗୁଁ ଲୋକେ ଭରା ନଇରେ ପଶି ଯିବାଆସିବା କରୁଛନ୍ତି । କେନ୍ଦୁଝର ଜିଲ୍ଲାର ଦୁଇ ପ୍ରମୁଖ ବ୍ଲକ୍ ହାଟଡିହି ଓ ଘସିପୁରା ବ୍ଲକକୁ ଯୋଡ଼ିବା ପାଇଁ ବୈତରଣୀ ନଦୀରେ ବାତୋ ଠାରେ ଏହି ସେତୁ ନିର୍ମାଣାଧୀନ ରହିଛି । ନିର୍ମାଣରେ ତ୍ରୁଟି ଯୋଗୁଁ ତିନିବର୍ଷ କାମ ଅଟକିବା ପରେ ନୂଆ ଠିକା ସଂସ୍ଥା ଦାୟିତ୍ଵ ନେଇଥିଲା। ନୂଆ ଠିକା ସଂସ୍ଥା ମନ୍ଥର ଗତିରେ କାମ କରୁଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ଜୁନ୍ରେ କାମ ଶେଷ କରିବାକୁ ବିଧାନସଭାରେ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଜୁନ ଯାଇ ଜୁଲାଇ ସରିବାକୁ ବସିଲାଣି। ହେଲେ କାମ ଅଧାପନ୍ତରିଆ ହୋଇ ରହିଛି। ମାତ୍ର ଯେପରି ହାତଗଣତି କିଛି ଶ୍ରମିକଙ୍କୁ ନେଇ କାମ କରାଯାଉଛି ସେପରି ହେଲେ କାମ ସରିବାକୁ ୨୦୨୩୦ ମସିହା ଅତିକ୍ରମ କରିଯିବ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ହାଟଡିହି ବ୍ଲକ୍ର ଆମ୍ଭୋ ଘାଟ ଓ ଘସିପୂଜା ବ୍ଲକ୍ର ବାତୋ ଘାଟ ଉପରେ ହାଟଡିହି ବ୍ଲକର ଆମ୍ଭୋ, କରଗୋଳା, ତରଭା, ଲଇଛଣପୁର, ବିରିଡ଼ି, ବଡ଼ରମ୍ପାସ, ତେଇସିଙ୍ଗା, ଗିରିଗାଁ, ସମଣା ଘଷିପୁରା ବ୍ଲକର ବାତୋ, କରଡ଼ାପାଳ, ନୟାଗଡ଼, ମଧୁକେଶରୀ, ପରମାନନ୍ଦପୁର, ଗୋଡିଉପର, ଅତା, ସାଇଁକୂଳ, ପଣ୍ଡୁଆ ପ୍ରଭୃତି ଗ୍ରାମବାସୀ ନିର୍ଭର କରୁଛନ୍ତି । ବର୍ଷାଦିନେ ବାତୋ ଓ ଆମ୍ୱୋ ଠାରେ ଲୋକେ ବିପଦପୁର୍ଣ୍ଣ ଭାବରେ ଡଙ୍ଗାରେ ନଦୀ ପାର ହେଉଛନ୍ତି। ବନ୍ୟା ଆସିଲେ ଯତାଘାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି । ଉଭୟ ଘାଟର ଦୁଇଟି ଘାଟରେ ଗୋଟିଏ ଲେଖାଏଁ ଡଙ୍ଗା ଚାଲୁଥିବାରୁ ନଦୀପାର ହେବାକୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହି ପୋଲ ନିର୍ମାଣ ହେଲେ ହାଟଡିହି ଅଞ୍ଚଳକୁ ଯାଜପୁରକୁ ଓ ଘସିପୁରା ଅଞ୍ଚଳର ରୁ ଭଦ୍ରଳକୁ କମ୍ ସମୟ ମଧ୍ୟରେ ଯାହାୟତ କରିହେବ ବୋଲି ଦାବି ହୋଇଥିଲା। ପରେ ନାବାର୍ଡ ସହାୟତାରେ ବିଜୁସେତୁ ଯୋଜଠାରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆମ୍ୱୋ – ବାତୋ ମଧ୍ୟରେ ବୈତରଣୀ ନଦୀରେ ପୋଲ ନିର୍ମାଣପାଇଁ ୩୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୫୨୦.୭୧ମିଟର ଲମ୍ବ ଏହି ପୋଲର ନିର୍ମାଣ ୨୦୧୬ ନଭେମ୍ବର୧୪ରେ ଆରମ୍ଭ ହୋଇଥିଲା। ତିନିବର୍ଷ ମଧ୍ୟରେ ଅର୍ଥାତ ୨୦୧୯ ନଭେମ୍ବରରେ ଶେଷ କରିବାକୁ କଣ୍ଟ ରହିଥିଲା। ମାତ୍ର ୨୦୧୮ ଅକ୍ଟୋବର ସୁଦ୍ଧା ଠିକା ସଂସ୍ଥା ୧୨ଟି ପିଲର ମଧ୍ୟରୁ ମାତ୍ର ୬ଟି କରିପାରିଥିଲା। ୩ ନମ୍ବର ପିଲରଟି ବନ୍ୟାରେ ଦବିଯାଇ ସାଇଡ୍ ହେବାପରେ କାମ ବନ୍ଦ ରହିଥିଲା । ନୂତନ ଡିଜାଇନ୍ ପରେ ପୁଣି ପୋଲ କାମ ଆରମ୍ଭ ହେବଦୋଲି କୁହାଯାଉଥିଲା। ନୂଆ ଡିଜାଇନ୍ ବିଳମ୍ବ ହେବାରୁ ସେତେବେଳର ଠିକାସଂସ୍ଥା କ୍ୟାମ୍ପ ଛାଡ଼ି ପଳାଇ ଯାଉଥିଲା। ତିନିବର୍ଷ କାମ ବନ୍ଦ ପରେ ୨୦୨୩ ଜୁନରେ ପୁଣି ଟେଣ୍ଡର କରାଯାଇଥିଲା । ଏଥିରେ ମୋଟ ୧୪କୋଟି ୨୯ଲକ୍ଷ ୭୧ ହଜାର ୧୧୯ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ତ୍ରୁଟିଥିବା ପିଲର ନିର୍ମାଣ ଶେଷହୋଇଛି। ଟେଣ୍ଟରର ଏକବର୍ଷ ମଧ୍ୟରେ ନିର୍ମାଣ ଶେଷ କରିବାକୁ ଧାର୍ଯ୍ୟ ଥିବାବେଳେ ଆମ୍ୱୋ ପାର୍ଶ୍ଵରେ ନିର୍ମାଣ ବାକି ରହିଛି। ଗତ ବିଧାନସଭା ଶୀତ ଅଧିବେଶନରେ ଘସିପୁରା ବିଧାୟକ ଚନ୍ଦ୍ରିନାରାୟଣ ପାତ୍ର ଏ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ନିର୍ମାଣ ଜୁନ୍ ୩୦ ସୁଦ୍ଧା ସରିବ ଓ ଲୋକେ ଯାତାୟାତ କରିବେ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାନି। ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ତୁଷାରକାରି ବେହେରା କହିଛନ୍ତି ଯେ ଆମ୍ବୋ ପାର୍ଶ୍ବରେ ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ କାମ ଅଟକି ରହିଛି। ନଭେମ୍ବର ପରେ ଜମି ଅଧିଗ୍ରହଣ କରାଯାଇ କାମ କରାଯିବ ବୋଲି କହିଛନ୍ତି। କିନ୍ତୁ ଠିକା ସଂସ୍ଥା ଯେପରି କାମ କରୁଛି ପୋଲ ନିର୍ମାଣ ସମ୍ପୁର୍ଣ୍ଣ ନେଇ ସନ୍ଦେହ ଉପୁଜିଛି। ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।