ଖେମୁଣ୍ଡିି କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ ଗୁରୁବାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ପୂର୍ଣ୍ଣ ଅନୁଦାନ ରାଶି ପ୍ରଦାନ ଦାବିରେ ସାମୂହିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ କଲେଜ ପରିସରରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ଜଣାପଡିଛି । ସଂଘ ର ଶାଖା ସଭାପତି ଅଧ୍ୟାପକ ବିଶ୍ବ ରଞ୍ଜନ ଦାସଙ୍କ ନେତୃତ୍ୱରେ କର୍ମଚାରୀ ମାନେ କଲେଜ ଫାଟକରେ ବିକ୍ଷୋଭ କରି ଧାରଣା ଦେଇଥିଲେ । କଲେଜ ପରିଚାଳନା କମିଟି ଦ୍ବାରା ଗତ ୨୦୦୮ ରୁ ୨୦୧୮ ମଧ୍ୟରେ ବହୁ ଅଧ୍ୟାପିକା ,ଅଧ୍ୟାପକ ଏବଂ କର୍ମଚାରୀ ମାନେ ନିଯୁକ୍ତି ପାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଉପଯୁକ୍ତ ଅନୁଦାନ ରାଶି ମିଳୁନାହିଁ । ଯାହାର ପ୍ରତିବାଦରେ ସଂଘ ପକ୍ଷରୁ ୧ ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେଜ ଅଧ୍ୟକ୍ଷ ଡ . ଅସିତ କୁମାର ଷଡ଼ଙ୍ଗୀଙ୍କୁ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ଯେଉଁଦିନ ପର୍ଯ୍ୟନ୍ତ ଅନୁଦାନ ନୀତି ସମ୍ବନ୍ଧୀୟ କୌଣସି ବିଧିବଦ୍ଧ ପଦକ୍ଷେପ ରାଜ୍ୟ ସରକାର ପକ୍ଷରୁ ନିଆଯାଇନାହିଁ ସେହିଦିନ ପର୍ଯ୍ୟନ୍ତ ଅର୍ଥାତ୍ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନ ସମୟରେ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


