ଆଦି କର୍ମଯୋଗୀ ଅଭିଯାନରେ କଟକ ଜିଲ୍ଳାର ୨୧ ଗାଁ ସାମିଲ

କଟକ, (ଓ୍ବାଇଏନଏସ):– ବିକଶିତ ଭାରତ ଗଠନ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସମସ୍ତ ସୁବିଧା ପହଂଚାଇବା ସୁନିଶ୍ଚିତ କରିବା ପାଇଁ ଏକ ବିକେନ୍ଦ୍ରୀକୃତ, ସାଂସ୍କୃତିକ ପୃଷ୍ଠଭୂମି ଏବଂ ସମନ୍ୱୟ ଆଧାରିତ କ୍ୟାଡର ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ନିମନ୍ତେ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଛି । ଜିଲ୍ଳାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଳାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମରେ ସେବା, ସମର୍ପଣ ଏବଂ ସଙ୍କଳ୍ପ ମନୋଭାବ ନେଇ ବିକଶିତ ଭାରତ ଗଠନ ନିମନ୍ତେ କାର୍ଯ୍ୟ କରିବା ଦିଗରେ ଆଗେଇ ଆସିବାକୁ ଜିଲ୍ଳାପାଳ ଆହ୍ୱାନ ଦେଇଛନ୍ତି । ଆଦି କର୍ମଯୋଗୀ ହେଉଛି ଏକ ମହତ୍ୱାକାଂକ୍ଷୀ ଅଭିଯାନ ଯାହା ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଉତ୍ତରଦାୟୀ ଶାସନ ଏବଂ ସମାଜର ଶେଷ ସ୍ତର ପର୍ଯ୍ୟନ୍ତ ସେବା ସୁନିଶ୍ଚିତ କରେ । ଏଥିପାଇଁ କଟକ ଜିଲ୍ଲାର ୨୧ଟି ଗାଁ ଚିହ୍ନଟ କରାଯାଇଛି । ଗାଁର ସାମଗ୍ରିକ ଉନ୍ନତି ସହ, ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସମସ୍ତ ସରକାରୀ ସୁବିଧା ଉପଲବ୍‌ଧ କରାଇବା ଗାଁ ଲୋକଙ୍କୁ ସଶକ୍ତ କରିବା, ଗାଁରେ ଉପଲ୍‌ବଧ ସମସ୍ତ ସମ୍ପଦର ରକ୍ଷଣାବେକ୍ଷଣ ଓ ଉପଯୁକ୍ତ ବ୍ୟବହାର, ଶାସନ ବ୍ୟବସ୍ଥାରେ ଗାଁ ଲୋକଙ୍କ ସମ୍ପୃକ୍ତି ଓ ଉତରଦାୟିତା ଆଦି ସୁନିଶ୍ଚିତ କରିବା ନିମେନ୍ତ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଗାଁର ୧୫ ଜଣଙ୍କୁ ଚିହ୍ନଟ କରାଯାଇ ତାଲିମ ପ୍ରଦାନ କରାଯିବ । ପ୍ରତ୍ୟେକ ଗାଁରେ ସେବା କେନ୍ଦ୍ର ଚିହ୍ନଟ କରାଯାଇଛି ଯେଉଁଠାରେ ଗାଁ ଲୋକେ ନିଜର ସମସ୍ୟା ସମ୍ପର୍କରେ ଜଣାଇପାରିବେ ଏବଂ ବିଭିନ୍ନ ଯୋଜନା ସମ୍ବନ୍ଧରେ ତଥ୍ୟ ପାଇପାରିବେ । ସରକାରଙ୍କ ଯାଜନାଗୁଡିକ ସହ ହିତାଧିକାରୀଙ୍କୁ ସଂଯୋଗ କରାଯାଇ ସେମାନଙ୍କୁ ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ତାଲିମପ୍ରାପ୍ତ ଆଦି କର୍ମଯୋଗୀମାନେ ଘରକୁ ଘର ଯାଇ ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇବେ । ଗ୍ରାମବାସୀମାନଙ୍କର ସାମାଜିକ, ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ଶିକ୍ଷା, ଜୀବିକା, ସ୍ୱାସ୍ଥ୍ୟସେବା, ଜଳ, ବିଦ୍ୟୁତ୍‌, ଗୃହ, ଡିଜିଟାଲ ସଂଯୋଗ ଭଳି ମୌଳିକ ସୁବିଧା ଯୋଗାଇବା ଏବଂ ଆଦିବାସୀ ପରିଚୟକୁ ସଂରକ୍ଷଣ କରିବା ତଥା ସ୍ଥାନୀୟ ନେତୃତ୍ୱକୁ ସଶକ୍ତ କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି । ଆଜି ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ ଉପଜିଲ୍ଳାପାଳ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଓ ବିଭିନ୍ନ ବ୍ଲକର ଅଧିକାରୀମାନେ ଉପସ୍ଥିତ ଥିଲେ । ୨୦୧୧ ଜନଗଣନା ଅନୁଯାୟୀ ୫୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ଯେଉଁଠାରେ ୫୦ ପ୍ରତିଶତ ଜନସଂଖ୍ୟା ଆଦିବାସୀ ସମ୍ପ୍ରଦାୟର ହୋଇଥିବେ ସେହି ଅନୁଯାୟୀ ଗ୍ରାମଗୁଡିକୁ ଚିହ୍ନଟ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ