ହାଟଡିହିରେ ଚାଲିଛି ଲଗାଣ ବର୍ଷା, ବିସ୍ତୀର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକରେ ଆଜି ଦିନ ତମାମ ଲଗାଣ ବର୍ଷା ଲାଗି ରହିଛି। ଗତକାଲି ସକାଳ ସାଢ଼େ ଆଠଟା ସୁଧା ୨୨୫.୦୧ ମିଲିମିଟର ବର୍ଷା ହୋଇଥିବା ହୋଇଥିବା ବେଳେ ଆଜି ସକାଳ ଆଠଟା ସୁଧା ୩୨.୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ସକାଳ ଆଠଟା ପରଠାରୁ ପ୍ରବଳ ବର୍ଷା ହେଉଛି। ବିଶେଷ କରି ପାହାଡ ଉପରେ ଅଧିକ ବର୍ଷା ହେଉଥିବାରୁ ପାହାଡ ପାଣି ଆସି ବିଭିନ୍ନ ଗ୍ରାମର ଚାଷଜମି ଜଳମଗ୍ନ ହୋଇଯାଇଛି। ଏହି ବର୍ଷା ଯୋଗୁଁ ଶାସଙ୍ଗ ପଞ୍ଚାୟତ ର ଚୋରଗଡିଆ, ଗୋପାଳପୂର, ବଡତିରା , ଛେନାପଦି, ଶାସଙ୍ଗ, ବଞ୍ଚୋ ପଞ୍ଚାୟତର ବଞ୍ଚୋ, ଶିବନାରାୟଣପୁର, ଅକରୁଆ ପଞ୍ଚାୟତର ଭାତକରୁଆ, କାଠିଆସରା, ଘୋଷରାପଦା, ଦାଧିବାମନପୂର, ପଞ୍ଚୁଗୋଛିଆ ପଞ୍ଚାୟତର , ନିଳାପୁର, ମୁଗୂପୂର, ହୀରାପୁର, ସର୍ବେଶ୍ୱରପୁର, ପଞ୍ଚୁଗୋଛିଆ, ତରଭା, ବରେଶ୍ୱର, ହାଟଡିହି ପଞ୍ଚାୟତର ମଠ, କପୁଣ୍ଡି, କୁଣ୍ଡିସାହି, ଅଣା, ହାଟଡିହି, ଜଳକଳଙ୍ଗ, ଗୋପ, ସୁଲଣ ପଞ୍ଚାୟତର ଆବୁଲୁପୁରା, ଜଳସରପୁର, ବଡ ରମ୍ପାସ ପଞ୍ଚାୟତର ଗୁହାଳଗଡିଆ, ନୂଆରମ୍ପାସ୍, ଇଶଳା, ଟୁକୁଣା, ବଡରମ୍ପାସ, ଇଞ୍ଚୋଳ ପଞ୍ଚାୟତର ଇଞ୍ଚୋଳ, ଭୂତପଦା, ଅପସର, ଧାନଘର, ଆଦି ଗ୍ରାମର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଆସନ୍ତା କାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କିଛି ଚାଷୀ ଏବେ ଧାନତଳି ରୁଆପୋତା କରି ଥିବାରୁ ସେମାନଙ୍କ କ୍ଷୟକ୍ଷତି ହେବାର ଆଶଙ୍କା ଦେଖା ଦେଇଛି। ଶିବନାରାୟଣପୁର ଗ୍ରାମରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ଗ୍ରାମର ଅନେକ ଚାଷୀଙ୍କ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ୧୦ଦିନ ହେଲା ଚାଷଜମି ଜଳମଗ୍ନ ରହିଥିବାରୁ ଧାନଗଛ ସବୁ ପଚି ନଷ୍ଟ ହୋଇ ଗଲାଣି। ଚଳିତ ବର୍ଷ ତିନି ତିନି ଥର ରୁଆପୋତା କରିବା ପରେ ଏପରି ପରିସ୍ଥିତି ଯୋଗୁଁ ଆଉ ତଳି ମିଳିବା କଷ୍ଟକର। ତେଣୁ ଆଉ ଚାଷ କରିବା ସମ୍ଭବପର ନୁହେଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କ କହିବା କଥା ଯେ ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ପାଣି ଆସି ଗାଁର ଚାଷଜମିରେ ଜମା ହୋଇ ରହୁଛି। ବିଲଗୁଡ଼ିକରେ ଏବେ ୩ଫୁଟ ଉଚ୍ଚର ପାଣି ରହିଛି। ମୁଗୁପୂର ମାଇନର କେନାଲରେ ଆବଶ୍ୟକ କଲଭର୍ଟ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ପୂର୍ବରୁ ଅନେକ କଲଭର୍ଟ ଥିବାବେଳେ କିଛି ଲୋକ ଘରବାଡ଼ି କରିବାରୁ ମାଟି ପକାଇ କଲଭର୍ଟ ମୁହଁକୁ ପୋତି ପକାଇବାରୁ ଜଳ ନିଷ୍କାସନର ବାଟ ବନ୍ଦ ହୋଇଯାଇଛି। ଏଣୁ ଜଳ ନିସ୍କାସନ ହୋଇ ନପାରି ଏପରି କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଶାଳଣିଆ ଠାରେ ଦୁଇ ଦୁଇଟି କଲଭର୍ଟ ପୋତିଦେଇ ଥିବାରୁ ଉପର ପଟରେ ଥିବା ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଅନେକ ଚାଷୀଙ୍କ ସରାବିଶ ନଷ୍ଟ ହୋଇଥିବା ଜଣାପଡ଼ିଛି।


