ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠକେଇ ଅଭିଯୋଗ ନେଇ ମାପ ଓ ଓଜନ ବିଭାଗର ତଦନ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଥିବା ସାଇକୃପା ପେଟ୍ରୋଲ ପମ୍ପରେ ବୁଧବାର ଦିନ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତଦନ୍ତ କରାଯାଇଛି।ବିଭାଗର ଯୁଗ୍ମ ନିୟନ୍ତ୍ରକ ସୁରସେନ ଜାନି, ନୀରିକ୍ଷିକା ଦୀପାରାଣୀ ସ୍ବାଇଁ, ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ଏସଆଇ ରାଜ କିଶୋର ପାତ୍ର ସଦଳବଳେ ପହଞ୍ଚି ପ୍ରଥମେ ପେଟ୍ରୋଲ ପମ୍ପର ସିଲ୍ ଗୁଡିକର ସଠିକତା ଯାଞ୍ଚ କରିବା ପରେ କିଛି ଗ୍ରାହକଙ୍କ ଉପସ୍ଥିତିରେ ଏକ ସ୍ବଚ୍ଛ ଜାରକୁ ୫ ଲିଟର ପେଟ୍ରୋଲ ବାହାର କରି ମ୍ଯାସିନ ପ୍ରଦର୍ଶିତ ପରିମାଣ ସହ ଜାରର ପରିମାଣ ମଧ୍ୟରେ ସାମଞ୍ଜସ୍ୟ ସମ୍ପର୍କରେ ତନଖି କରାଯାଇଥିଲା।ତେବେ ସେହି ସମୟରେ ଉଭୟ ମ୍ଯାସିନ ଓ ଜାରର ମାପ ପ୍ରାୟତଃ ଠିକ୍ ଥିବା ଜଣାପଡିଥିଲା।ପରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହୃଦୟ ରଞ୍ଜନ ମେକାପଙ୍କ ସମେତ ପ୍ରାକ୍ତନ ସଭାପତି ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ ଏବଂ ହରପ୍ରସାଦ ରଥ ସେଠାରେ ପହଞ୍ଚି ଯୁଗ୍ମ ନିୟନ୍ତ୍ରକଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।ତେବେ କେତେକ କାରଣ ଯୋଗୁଁ ବେଳେବେଳେ ଗ୍ରାହକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ପ୍ରଦାନ ସମୟରେ ଅତି ନଗଣ୍ୟ ପରିମାଣରେ ତାରତମ୍ୟ ଦେଖାଯିବା ସ୍ବାଭାବିକ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା।ତଥାପି ଗ୍ରାହକଙ୍କ ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ଗୁଡିକୁ ନିୟମିତ ବ୍ଯବଧାନରେ ଯାଞ୍ଚ କରାଯିବାକୁ ଓକିଲ ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି। ସାଇକୃପା ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ପେଟ୍ରୋଲ ପ୍ରଦାନ ସମୟରେ ପରିମାଣରେ ଠକେଇ କରାଯାଉଥିବା ନେଇ ଗତ ଶୁକ୍ରବାର ଅଭିଯୋଗ ହୋଇଥିଲା। ଜଣେ ଗ୍ରାହକ ସନ୍ଦେହରେ ୩ ଲିଟର ପେଟ୍ରୋଲ ଏକ ଜାରରେ କିଣି ମାପ କରିବା ସମୟରେ ଅଧା ଲିଟର କମ୍ ଥିବା ଦେଖା ଯାଇଥିଲା।ଫଳରେ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।ଶନିବାର ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ନିକଟରେ ଏହି ଖବର ପହଞ୍ଚିବା ପରେ ସଂଘ ପକ୍ଷରୁ ଏଭଳି ଘଟଣାର ତୁରନ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ନୀରିକ୍ଷକଙ୍କ ସମେତ ଦିଗପହଣ୍ଡି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା।


